ନୂଆଦିଲ୍ଲୀ: ଏସିଆ କପ୍ ଆୟୋଜନକୁ ନେଇ ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ବୟାନବାଜି ଜାରି ରହିଛି | ଉଭୟ ଦେଶର କ୍ରିକେଟ ବୋର୍ଡ ଏସିଆ କପକୁ ନେଇ ମୁହାଁମୁହିଁ ହୋଇଛନ୍ତି | ପାକିସ୍ତାନରେ ଏସିଆ କପ୍ ଅନୁଷ୍ଠିତ ହେଲେ ଭାରତୀୟ ଟିମ ପାକିସ୍ତାନ ଯିବେ ନାହିଁ ବୋଲି ପୂର୍ବରୁ ବିସିସିଆଇ ସ୍ପଷ୍ଟ ଭାବେ କହିସାରିଛି | ବର୍ତ୍ତମାନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ବିସିସିଆଇକୁ ଟାର୍ଗେଟ କରିଛନ୍ତି। କେବଳ ବିସିସିଆଇକୁ ନୁହେଁ ସାହିଦ ଆଫ୍ରିଦି ପିସିବି ଚେୟାରମ୍ୟାନ୍ ନଜମ ସେଠୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ରେ ପାକିସ୍ତାନକୁ ଖେଳିବାକୁ ପଡିବ ଏବଂ ଜିତିବାକୁ ପଡିବ। ଏହା ଭାରତୀୟ କ୍ରିକେଟ ବୋର୍ଡକୁ ଚାପୁଡ଼ା ଭଳି ହେବ |

Advertisment

ପାକିସ୍ତାନୀ ଟିଭି ଚ୍ୟାନେଲ ସମା ଟିଭିରେ ସାହିଦ ଆଫ୍ରିଦି କହିଛନ୍ତି ଯେ ନଜମ ସେଠୀ ପିସିବି ଚେୟାରମ୍ୟାନ ପଦବୀର ମହତ୍ତ୍ୱ ବୁଝିବା ଉଚିତ | ତାଙ୍କର ଦାୟିତ୍ୱ କ’ଣ? ସେ ବାରମ୍ବାର ନିଜର ବିବୃତ୍ତି ପରିବର୍ତ୍ତନ କରିବା ଠାରୁ ଦୂରେଇ ରହିବା ଉଚିତ୍ | ତାଙ୍କୁ ଏସିଆ କପ୍ ଆୟୋଜନ ବିଷୟରେ ସବୁ ସ୍ଥାନରେ ସାକ୍ଷାତକାର ଦେବା ଆବଶ୍ୟକ ନାହିଁ। ଏହି ପ୍ରସଙ୍ଗରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ ହେବା ଉଚିତ୍। ସେହିପରି ଦିନିକିଆ ବିଶ୍ୱକପରେ ପାକିସ୍ତାନ ଦଳକୁ ଭାରତକୁ ନ ପଠାଇବା କହିବା ବୁଝାପଡୁନାହିଁ | ଯଦି କ୍ରିକେଟ୍ ମ୍ୟାଚ ହେବ, ତେବେ ଆମ ଦଳ ପଠାଇବା ଉଚିତ୍ | ଭାରତରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ମ୍ୟାଚ ହେଉ ଆମ ଖେଳାଳିଙ୍କୁ ପଠାଇବା ଉଚିତ | ସେଠାକୁ(ଭାରତ) ଯାଇ ମ୍ୟାଚ ଖେଳିବା ଓ ଟ୍ରଫି ଜିତିବା ପରେ ଫେରିବାଠାରୁ ବଡ଼ କିଛି ନାହିଁ | ଏହା ତାଙ୍କ(ବିସିସିଆଇ) ପାଇଁ ଚାପୁଡ଼ା ଭଳି ହେବ |