ଦୁବାଇ: ଭାରତୀୟ କ୍ରିକେଟର୍‌ ତଥା ଏକଦା ସଚିନ୍‌ ତେନ୍ଦୁଲକର୍‌ଙ୍କ ରେକର୍ଡକୁ ଭାଙ୍ଗିବା ଭଳି ଦକ୍ଷତା ରଖୁଥିବା ତାରକା ବ୍ୟାଟର୍‌ ବିରାଟ କୋହଲି ପାଖାପାଖି ୧୦ ବର୍ଷ ପରେ ପ୍ରଥମ ଥର ଆଇସିସି ଟେଷ୍ଟ୍‌ ବ୍ୟାଟିଂ ମାନ୍ୟତାର ଶୀର୍ଷ ୨୦ରୁ ବିଦା ହୋଇଛନ୍ତି। ୨୦୧୪ ଡିସେମ୍ବରରେ ସେ ଶୀର୍ଷ ୨୦ରେ ପ୍ରବେଶ କରିଥିଲେ ମଧ୍ୟ ଗତ କିଛି ମାସ ହେବ ଖରାପ ପ୍ରଦର୍ଶନ କାରଣରୁ ତାଙ୍କ ମାନ୍ୟତାରେ ଅବନତି ହୋଇ ଆସୁଥିଲା। ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ମାନ୍ୟତାରେ କୋହଲି ୮ଟି ସ୍ଥାନ ତଳକୁ ଖସି ୨୨ରେ ପହଞ୍ଚିଛନ୍ତି। ରୋହିତ ଶର୍ମା ମଧ୍ୟ ଦୁଇଟି ସ୍ଥାନରେ ଅବନତି ଦେଖାଇ ୨୬ତମ ସ୍ଥାନରେ ଓ ଭାରତର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ବ୍ୟାଟର୍ ଓପନର ଯଶସ୍ବୀ ଜୟସ୍ବାଲ ଚତୁର୍ଥ ସ୍ଥାନକୁ ଖସି ଯାଇଛନ୍ତି। 

Advertisment

ଅନ୍ୟପକ୍ଷରେ ଭାରତୀୟ ୱିକେଟ୍‌ରକ୍ଷକ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡ଼େଜାଙ୍କ ମାନ୍ୟତାରେ ଉନ୍ନତି ପରିଲକ୍ଷିତ ହୋଇଛି। ପନ୍ତ ପାଞ୍ଚଟି ସ୍ଥାନ ଉପରକୁ ଉଠି ‌ବ୍ୟାଟର୍‌ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ବେଳେ ଜାଡ଼େଜା ଟେଷ୍ଟ୍ ବୋଲର୍‌ ମାନ୍ୟତାରେ ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି। ନ୍ୟୁଜିଲାଣ୍ଡ ବ୍ୟାଟର୍ ଡାରିଲ ମିଚେଲ ୮ଟି ସ୍ଥାନ ଉପରକୁ ଲମ୍ଫ ମାରି କ୍ୟାରିୟର୍ ଶ୍ରେଷ୍ଠ ସପ୍ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବ୍ୟାଟର୍ ଜୋ ରୁଟ୍ ପ୍ରଥମ ସ୍ଥାନରେ ଥିଲା ବେଳେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମସନ୍ ଦ୍ବିତୀୟ, ଇଂଲଣ୍ଡର ହାରି ବ୍ରୁକ୍ ତୃତୀୟ ଏବଂ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ପଞ୍ଚମ ସ୍ଥାନରେ ରହିଛନ୍ତି।