୧୦୦ ଦିନ ପରେ ବିଶ୍ୱକପ୍‌

ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପ୍‌କୁ ଆଉ ରହିଲା ୧୦୦ ଦିନ। ଚଳିତ ବର୍ଷ ନଭେମ୍ବର ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ବିଶ୍ୱକପ୍‌ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ। ହକି ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ୧୦୦ ଦିନିଆ ଅବଗଣନା ପର୍ବ ସୋମବାର ଓଡ଼ିଶାର କେତେକ ସ୍ଥାନଠାରୁ ଆରମ୍ଭ କରି ଦେଶର ବିଭିନ୍ନ ପ୍ରାନ୍ତରେ ସମ୍ପନ୍ନ ହୋଇଛି। ଏସିଆଡ୍‌ରେ ସାମିଲ୍‌ ହୋଇ ଜାକର୍ତା ଏବଂ ପାଲେମବାଙ୍ଗ୍‌ରେ ଥିବା ଭାରତୀୟ ପୁରୁଷ ଓ ମହିଳା ହକି ମଧ୍ୟ ଏହି ପ୍ରତୀକାତ୍ମକ ଅବଗଣନା ପର୍ବରେ ସାମିଲ ହାଇଛନ୍ତି। ଖେଳାଳିମାନେ ପ୍ଲାକାର୍ଡ ଜରିଆରେ ‘ଭାରତ ଆସନ୍ତୁ, ନଭେମ୍ବରରେ ଦେଖା, ଭୁବନେଶ୍ୱର ଚଲୋ’ ସଚେତନତା ଜାରି କରିଥିଲେ।
ଭାରତୀୟ ହକି ଦଳ ଏବେ ଏସୀୟ କ୍ରୀଡ଼ାରେ ସାମିଲ ଥିବାରୁ ସମସ୍ତଙ୍କ ନଜର ମଧ୍ୟ ସେଠାରେ କେନ୍ଦ୍ରୀଭୂତ ରହିଛି। ମହିଳା ଦଳ ରବିବାର ୮-୦ରେ ଇଣ୍ଡୋନେସିଆକୁ ପରାସ୍ତ କରିଥିବାବେଳେ ପୁରୁଷ ଦଳ ମଧ୍ୟ ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛି। କିନ୍ତୁ ହକି ବିଶ୍ୱକପ୍‌ ହିଁ ଭାରତର ମୁଖ୍ୟ ଆକର୍ଷଣ ରହିଛି। ‘ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବା ଆମକୁ ବିଶ୍ୱକପ୍‌ ପାଇଁ ଆତ୍ମବିଶ୍ୱାସ ଦେଇ ପାରିବ। ଜାକର୍ତାରେ ଥିବା ପ୍ରତି ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ ବିଶ୍ୱକପ୍‌କୁ ନେଇ ଉତ୍ସାହିତ’ ବୋଲି କହିଛନ୍ତି ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ।
ବିଶ୍ୱକପ୍‌କୁ ନେଇ ହକି ଇଣ୍ଡିଆ ଏବଂ ଓଡ଼ିଶା ସରକାର ଜୋରଦାର ପ୍ରସ୍ତୁତି କରୁଥିବା ବେଳେ ଦର୍ଶକଙ୍କୁ ଭୁବନେଶ୍ୱରରୁ ଶ୍ରେଷ୍ଠ ସ୍ମୃତି ନେଇ ଫେରିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ୧୮ ଦିନିଆ ଏହି ପ୍ରତିଯୋଗିତାରେ ବିଶ୍ୱର ଏକ ନମ୍ବର ଦଳ ତଥା ଗତ ଥରର ବିଜେତା ଅଷ୍ଟ୍ରେଲିଆ ସହିତ ମୋଟ ୧୬ ଦେଶ ଭାଗନେବେ। ମୋଟ ୩୬ ମ୍ୟାଚ୍‌ ଦେଖିବେ ଦର୍ଶକ। ମ୍ୟାଚ୍‌ ଗୁଡ଼ିକ ପାଇଁ ମଧ୍ୟ ମାତ୍ର ୨୦୦ ଏବଂ ୧୦୦ ଟଙ୍କାରେ ଟିକେଟ୍‌ ଉପଲବ୍‌ଧ ହେଉଛି। ଆଉ ମାତ୍ର ୧୦୦ ଦିନ ଥିବାରୁ ଏଥି ପାଇଁ ଆସୁଥିବା ପ୍ରତି ବ୍ୟକ୍ତି ନିଶ୍ଚିତ ଚମତ୍କାର ଅନୁଭବ ନେଇ ଫେରିବେ ଏବଂ ହକି ଦେଶରେ ନୂଆ ସ୍ତରକୁ ଯିବ ବୋଲି କହିଛନ୍ତି ହକି ଇଣ୍ଡିଆ ମହାସଚିବ ମହମ୍ମଦ ମୁସ୍ତାକ୍‌। ଆୟୋଜନର ମୁଖ୍ୟ ବ୍ୟକ୍ତିତ୍ୱ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ କହିଛନ୍ତି, ‘ସୌନ୍ଦର୍ଯ୍ୟମୟ ଭୁବନେଶ୍ୱର ସହରରେ ହକି ଇତିହାସର ସବୁଠୁ ବଡ଼ ପ୍ରତିଯୋଗିତା ଆୟୋଜିତ ହୋଇଛି। ଦେଶରେ ହକିର ବିକାଶ ପାଇଁ ଏହି ବିଶ୍ୱକପ ଆୟୋଜନ ଗୁରୁୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। ଏହାକୁ ସଫଳ କରାଇବା ଲାଗି ସମସ୍ତେ ଦିନରାତି ଖଟୁଛନ୍ତି। ଆମେ ନିଶ୍ଚିତ ଯେ ବଡ଼ ସଫଳତା ମିଳିବ’।

ସମ୍ବନ୍ଧିତ ଖବର