୧୧ ବର୍ଷ ପରେ ଓସିଏରେ ହେବ ପ୍ରତିଦ୍ବନ୍ଦ୍ବିତା: ୨୦୦୮ରେ ୧୪ ପଦବି ପାଇଁ ଲଢ଼ିଥିଲେ ୨୨ଜଣ, ଏଥର ୫ ପାଇଁ କେତେ?

କଟକ: ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ରେ ଦୀର୍ଘ ୧୧ ବର୍ଷ ପରେ ପ୍ରତିଦ୍ବନ୍ଦ୍ବିତାମୂଳକ ନିର୍ବାଚନ ଅନୁଷ୍ଠିତ ହେବ। ଶେଷ ଥର ପାଇଁ ୨୦୦୮ ମସିହାରେ ହୋଇଥିବା ନିର୍ବାଚନରେ ସମସ୍ତ ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏହାପରଠୁ ୨୦୧୨ରେ ଥରେ ନିର୍ବାଚନ ହୋଇଥିଲେ ବି ସେଥିରେ ସମସ୍ତ ପ୍ରାର୍ଥୀମାନେ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟୀ ହୋଇଥିଲେ। ତେବେ ପର୍ଯ୍ୟାୟକ୍ରମେ ଭୋଟରଙ୍କ ସ˚ଖ୍ୟା ବଢ଼ିଥିଲେ ବି ୨୦୧୬ରେ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ଅନେକ କସରତ କରିଥିଲେ। କିନ୍ତୁ ଲୋଧା ସମିତିର ହସ୍ତକ୍ଷେପ କରିବା ଯୋଗୁଁ ସବୁ ଯୋଜନା ଫସରଫାଟି ଯାଇଥିଲା। ସେବେଠାରୁ ଜିଲ୍ଲାଗୁଡ଼ିକୁ ସନ୍ତୁଷ୍ଟ କରି ରଖିବା ପାଇଁ ଛୋଟବଡ଼ ପ୍ରୟାସ ଆରମ୍ଭ ହୋଇଯାଇଥିଲା। କିନ୍ତୁ କ୍ଲବ୍‌, ସ୍କୁଲ୍‌, କଲେଜଗୁଡ଼ିକୁ ନେଇ ସଦସ୍ୟତା ବିବାଦ ଦେଖାଦେବାରୁ ପାଣିପାଗରେ ପରିବର୍ତ୍ତନ ହୋଇଥିଲା। ଏହାସତ୍ତ୍ବେ ବର୍ତ୍ତମାନ ସ୍ଥିତିରେ କିଏ ବହୁମତ ପାଇବ ତାହା ଆକଳନ କରିବା ସହଜ ହେବ ନାହିଁ। ଆଗାମୀ ନିର୍ବାଚନରେ ସମସ୍ତ ରାଜ୍ୟରେ ୫ ପଦବି ପାଇଁ ଓ ଜଣେ କାଉନ୍‌ସେଲର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଏଥର ଓସିଏ ନିର୍ବାଚନରେ ଉକ୍ତ ୫ ପଦବି ପାଇଁ କେତେଜଣ ମଇଦାନକୁ ଓହ୍ଲାଉଛନ୍ତି ତାହା ନାମାଙ୍କନ ଦାଖଲ ହେବା ପରେ ଜଣାପଡ଼ିବ।

୨୦୦୮, ଅଗଷ୍ଟ ୧୭ ତାରିଖରେ ହୋଇଥିବା ନିର୍ବାଚନରେ ମୋଟ ଭୋଟର ସ˚ଖ୍ୟା ୧୪୮ ଥିଲା। ସଭାପତି ପାଇଁ ର˚ଜୀବ ବିଶ୍ବାଳ ଓ ପ୍ରଦୀପ ଚୌହାନଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ସେଥିମଧ୍ୟରୁ ର˚ଜୀବ ୯୯ ଓ ପ୍ରଦୀପ ୪୭ ଖଣ୍ଡ ଭୋଟ ପାଇଥିଲେ। ସେହିପରି ସମ୍ପାଦକ ପାଇଁ ୨୦୦୪ରେ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟୀ ହୋଇଥିବା ଆଶୀର୍ବାଦ ବେହେରାଙ୍କ ଲଢ଼େଇ ସୁନ୍ଦରଗଡ଼ର ଆନନ୍ଦ ନାୟକ ସହ ହୋଇଥିଲା। ହେଲେ ରେକର୍ଡ ଭୋଟରେ ଆଶୀର୍ବାଦ ବିଜୟୀ ହୋଇ ନିଜର କାୟା ବିସ୍ତାର କରିଥିଲେ। ଆଶୀର୍ବାଦ ୧୨୧ ଓ ଆନନ୍ଦ ମାତ୍ର ୨୬ ଖଣ୍ଡ ଭୋଟ ପାଇଥିଲେ। ସେହିପରି କୋଷାଧ୍ୟକ୍ଷ ପାଇଁ ବଲାଙ୍ଗୀରର ହରିନାରାୟଣ ପୂଜାରୀଙ୍କ ସହ ୨୦୦୪ରେ ଅପ୍ରତିଦ୍ବନ୍ଦ୍ବୀ ଭାବେ ଯୁଗ୍ମ ସମ୍ପାଦକ ନିର୍ବାଚିତ ହୋଇଥିବା ମଙ୍ଗଳା କ୍ଲବ୍‌ର ସତ୍ୟ ମହାନ୍ତିଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ହରିନାରାୟଣ ମାତ୍ର ୩୪ ଖଣ୍ଡ ଭୋଟ ପାଇଥିଲା ବେଳେ ସତ୍ୟ ୧୧୩ ଭୋଟ ପାଇ ବିଜୟୀ ହୋଇଥିଲେ। ଏହାଛଡ଼ା ୮ ଉପସଭାପତି ପାଇଁ ୧୨ ଜଣଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ସେଥିମଧ୍ୟରୁ ମହମ୍ମଦ ସବିର ହୁସେନ୍‌ ୧୧୬, କ୍ଷୀତିଶ ଚନ୍ଦ୍ର ସାମନ୍ତରାୟ ୧୧୫, ଚିନ୍ମୟାନନ୍ଦ ଜେନା ୧୧୩, ଅଧୀପ ଦାସ ୧୦୮, ନବର˚ଜନ ପଟ୍ଟନାୟକ ୧୦୮, ନଳିନୀ କୁମାର ଦାସ ୧୦୭, ଅନୂପ କୁମାର ପାତ୍ର ୧୦୬, ଗଗନ ଚନ୍ଦ୍ର ଲେଙ୍କା ୧୦୪ ଭୋଟ ପାଇ ନିର୍ବାଚିତ ହୋଇଥିଲା ବେଳେ ରବିନାରାୟଣ ପଣ୍ଡା ୪୬, ମେହତାବ ଖାନ୍‌ ୩୮, ପଠାନ୍‌ କୁମାର ପଣ୍ଡା ୩୫, ମାନସ ର˚ଜନ ସେଠୀ ୩୩ ଭୋଟ ପାଇ ପରାଜିତ ହୋଇଥିଲେ। ସେହିପରି ୩ ଯୁଗ୍ମ ସମ୍ପାଦକ ପାଇଁ ୪ ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା ବେଳେ ରାମଚନ୍ଦ୍ର ଦାସ ମହାପାତ୍ର ୧୧୩, ସ˚ଜୀବ କୁମାର ଦତ୍ତ ୧୦୭, ଶିବ ପ୍ରସାଦ ତ୍ରିପାଠୀ ୧୦୬ ଭୋଟ ପାଇ ବିଜୟୀ ହୋଇଥିଲେ। କିନ୍ତୁ କେକେ ବଳ ୪୭ ଭୋଟ ପାଇ ପରାଜିତ ହୋଇଥିଲେ। ଏମାନଙ୍କ ବାଦ୍‌ ୩ କାଉନସିଲ ସଦସ୍ୟ ପାଇଁ ରାଇଜି˚ ଷ୍ଟୁଡେଣ୍ଟ୍‌ କ୍ଲବ୍‌ର ସତ୍ୟବ୍ରତ ବେହେରା, ବିଶ୍ବଭାରତୀ କ୍ଲବ୍‌ର ବିଷ୍ଣୁଦେବ ମହାନ୍ତି, ଜୁଭେନାଇଲ୍‌ କ୍ଲବ୍‌ର ନିର୍ବାଣ ରାୟ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟୀ ହୋଇଥିଲେ।

ଏଥର ସ˚ଶୋଧିତ ସମ୍ବିଧାନ ଅଧିନରେ ୧୧ ବର୍ଷ ପରେ ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ପଦବି ଓ ଭୋଟର ସ˚ଖ୍ୟା କମିଯାଇଛି। ଗୋଟିଏ ଲେଖାଏଁ ସଭାପତି, ସମ୍ପାଦକ, ଉପସଭାପତି, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ସର୍ବୋଚ୍ଚ ପରିଷଦ ପାଇଁ ଜଣେ କାଉନସେଲରଙ୍କୁ ମଧ୍ୟ ନିର୍ବାଚିତ କରିବାକୁ ହେବ। ପ୍ରତ୍ୟେକ ଜିଲ୍ଲା, କ୍ଲବ୍‌, ସ୍କୁଲ୍‌, କଲେଜରୁ ମୋଟ ୭୦ଜଣ ଭୋଟରଙ୍କ ସହିତ ୩ଜଣ ଆନ୍ତର୍ଜାତିକ କ୍ରିକେଟର ନୂଆ କର୍ମକର୍ତ୍ତା ବାଛିବେ। ଯାହାକୁ ନେଇ ଆଶାୟୀମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବା ବେଳେ ନିର୍ବାଚନୀ ଉଷ୍ମତା ମଧ୍ୟ ଧିରେଧିରେ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର