ହାଇଦ୍ରାବାଦ: ଦୁଇ ବର୍ଷର ବିରତି ପରେ ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜା କୋର୍ଟକୁ ପ୍ରତ୍ୟାବର୍ତନ କରିବାକୁ ପ୍ରସ୍ତୁତ ହୋଇଗଲେଣି। ଆସନ୍ତାବର୍ଷ ଜାନୁଆରିରେ ସେ ହୋବାର୍ଟ ଇଣ୍ଟରନ୍ୟାସ୍ନାଲ୍ ପ୍ରତିଯୋଗିତା ଜରିଆରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଟେନିସ୍କୁ ଫେରିବେ ବୋଲି ଗୁରୁବାର ସ୍ପଷ୍ଟ କରିଛନ୍ତି। ୩୩ ବର୍ଷ ବୟସ୍କା ସାନିଆ ଶେଷ ଥର ପାଇଁ ୨୦୧୭ ଅକ୍ଟୋବରରେ ଚାଇନା ଓପନ୍ରେ ଖେଳିଥିଲେ। ତେବେ ୨୦୨୦ ଜାନୁଆରିରେ ହୋବାର୍ଟ ଇଣ୍ଟରନ୍ୟାସ୍ନାଲ୍ରେ ସେ ୟୁକ୍ରେନ୍ର ନାଦିଆ କିଜେନୋକ୍ଙ୍କୁ ସାଥୀ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ସାନିଆ ଏବେ ବିଶ୍ବ ମାନ୍ୟତାର ୩୮ତମ ସ୍ଥାନରେ ରହିଛନ୍ତି। ପାକିସ୍ତାନ କ୍ରିକେଟର୍ ସୋଏବ୍ ମଲ୍ଲିକଙ୍କୁ ବିବାହ କରିଥିବା ସାନିଆ ଗତବର୍ଷ ଅକ୍ଟୋବରରେ ପ୍ରଥମ ସନ୍ତାନ (ପୁତ୍ର ଇଜ୍ହାନ୍) ଜନ୍ମ ଦେଇଥିଲେ। ଫଳରେ ସେ ଟେନିସ୍ରୁ ଦୂରେଇ ରହିଥିଲେ। ହେଲେ ମାତୃତ୍ବ ଲାଭ କରିବାର ଗୋଟିଏ ବର୍ଷ ବିତି ଯାଇଥିବାରୁ ଏବେ କୋର୍ଟକୁ ଫେରିବା ସମ୍ଭବ ହେବ। ସେଥିପାଇଁ ହୋବାର୍ଟ ଏବଂ ପରେ ପରେ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବାକୁ ସ୍ଥିର କରିଥିବା ସାନିଆ କହିଛନ୍ତି। ତଥାପି ଏହା ପୂର୍ବରୁ ଆସନ୍ତା ମାସରେ ମୁମ୍ବାଇରେ ଆୟୋଜିତ ଏକ ପ୍ରତିଯୋଗିତାରେ ଖେଳିବା ପାଇଁ ଯୋଜନା ରଖିଛି। ହେଲେ ପୂରା ନିଶ୍ଚିତ ହୋଇନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp