ସମାରା: ଅଧିନାୟକ ଆଲେକଜାଣ୍ଡାର କୋଲାରୋଭଙ୍କ ଦ୍ୱିତୀୟାର୍ଧ ଗୋଲ୍ ବଳରେ ଗତଥରର କ୍ୱାର୍ଟର ଫାଇନାଲିଷ୍ଟ କୋଷ୍ଟାରିକାକୁ ଦୁର୍ବଳ ସର୍ବିୟା ୧-୦ ଗୋଲ୍ରେ ହରାଇ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି। ପ୍ରଥମାର୍ଧରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ନପାରିବା ପରେ ଦ୍ୱିତୀୟାର୍ଧର ଦଶମ ମିନିଟ୍ରେ ମିଳିଥିବା ୨୫ ମିଟର ଦୂର ଫ୍ରିକିକ୍କୁ ଗୋଲ୍ରେ ରୂପାନ୍ତର କରି କୋଲାରୋଭ ନିଜ ଦଳକୁ ବିଜୟ ଉପହାର ଦେଇଥିଲେ। ଅନ୍ୟପକ୍ଷରେ କୋଷ୍ଟାରିକା ଦକ୍ଷତା ମୁତାବକ ଖେଳ ଖେଳି ନପାରି ପରାଜିତ ହୋଇଥିଲା। ଗ୍ରୁପ୍-ଇର ଏହି ମ୍ୟାଚ୍ ଜିତିବା ପରେ ସର୍ବିୟା ବ୍ରାଜିଲ ଏବଂ ସ୍ୱିଜରଲାଣ୍ଡ ବିପକ୍ଷ କଷ୍ଟକର ମୁକାବିଲା ପୂର୍ବରୁ ନିଜ ମନୋବଳ ବଢ଼ାଇ ପାରିଥିଲା। ୧୯୯୮ ମସିହା ପରେ ସର୍ବିୟା ମଧ୍ୟ ପ୍ରଥମ ଥର ପାଇଁ ନିଜ କୌଣସି ବିଶ୍ୱକପ୍ରେ ଖେଳିଥିବା ନିଜ ପ୍ରଥମ ମ୍ୟାଚ୍ ଜିତିଥିଲା। ଯୁଗୋସ୍ଲୋଭିଆ ସହ ମିଶିକି ଥିଲା ବେଳେ ଏହି ଦଳ ୧୯୯୮ ବିଶ୍ୱକପ୍ରେ ଇରାନକୁ ୧-୦ରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ୧୯୯୮ରୁ ୨୦୧୦ ମସିହା ମଧ୍ୟରେ ଲଗାତାର ୫ଟି ବିଶ୍ୱକପ୍ ମ୍ୟାଚ୍ ହାରିବା ପରେ ଗତ ତିନିଟି ବିଶ୍ୱକପ୍ ମ୍ୟାଚ୍ ମଧ୍ୟରୁ ଏହି ଦଳ ଆଜି ଦ୍ୱିତୀୟ ବିଜୟ ହାସଲ କରିଥିଲା।
ରବିବାର ସଂଧ୍ୟାର ଏହି ମ୍ୟାଚ୍ରେ କୋଷ୍ଟାରିକା ଉଜ୍ଜ୍ୱଳମୟ ଆରମ୍ଭ କରିଥିଲା। ହେଲେ କିଛି ସମୟ ଭିତରେ ଏହା ଫିକା ପଡ଼ି ଯାଇଥିଲା। ସର୍ବିୟା ଲୟକୁ ଫେରିବା ସହ ଏହି ଦଳକୁ ପ୍ରଥମାର୍ଧରେ ପୂରା ନିୟନ୍ତ୍ରଣରେ ରଖିଥିଲା। କୋଷ୍ଟାରିକା ରକ୍ଷଣଭାଗ ଅବଶ୍ୟ ସର୍ବିୟାକୁ ପ୍ରଥମ ୪୫ ମିନିଟ୍ ଖେଳରେ ଗୋଲ୍ ଦେବାର ସୁଯୋଗ ଦେଇ ନଥିଲେ। ହେଲେ ୫୫ ମିନିଟ୍ରେ ଡେଭିଡ୍ ଗଜମ୍ୟାନ୍ କରିଥିବା ଗୁରୁତର ତ୍ରୁଟି କୋଷ୍ଟାରିକା ପାଇଁ କାଳ ହୋଇଥିଲା। ବିପଜ୍ଜନକ ଖେଳ ପାଇଁ ରେଫରି ତାଙ୍କୁ ହଳଦିଆ କାର୍ଡ ଦେଖାଇବା ସହ ସର୍ବିୟାକୁ ଫ୍ରି-କିକ୍ ଉପହାର ଦେଇଥିଲେ। କୋଲାରୋଭ ବାମଗୋଡ଼ରେ ମାରିଥିବା ଏହି ସଟ୍ କୋଷ୍ଟାରିକା ଗୋଲ୍ ପୋଷ୍ଟର ଡାହାଣ ପଟ କୋଣରେ ପ୍ରବେଶ କରିବା ସହ ସର୍ବିୟା ଆଗୁଆ ହୋଇ ଯାଇଥିଲା। କୋଷ୍ଟାରିକା ଗୋଲ୍ ରକ୍ଷକ ଡାଇଭ୍ ମାରି ଏହାକୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ବଳକା ସମୟରେ କୋଷ୍ଟାରିକା ଏହି ଗୋଲଟିକୁ ଶୁଝି ପାରି ନଥିଲା। ଫଳରେ ସର୍ବିୟା ପୂରା ୨ ପଏଣ୍ଟ ସହ ତା’ ଖାତା ଖୋଲିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Kolarov.jpg)