ବୁମ୍‌ରା ୨୦୧୯ରେ ଘରୋଇ ଟେଷ୍ଟ୍‌ ଖେଳିପାରିବେନି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ ପୂର୍ବରୁ ଆହତ ହୋଇ ବାଦ୍‌ ପଡ଼ିଥିବା ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ପାଇଁ ନିରାଶାଜନକ ଖବର ମିଳିଛି। ପିଠି ଜନିତ ଆଘାତ ଯୋଗୁଁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରୁ ବାଦ୍‌ ପଡ଼ିଥିଲେ। ଏପରିକି ଆଗାମୀ ବାଲାଂଦେଶ ବିପକ୍ଷ ଘରୋଇ ଶୃଙ୍ଖଳା ମଧ୍ୟ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ବୁମ୍‌ରା ଚଳିତ ୨୦୧୯ରେ କୌଣସି ଘରୋଇ ଟେଷ୍ଟ୍‌ ଖେଳିପାରିବେନି ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଫଳରେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ଅନ୍ତର୍ଗତ ଶୃଙ୍ଖଳାକୁ ଚଳିତ ବର୍ଷ ଭାରତ ବୁମ୍‌ରାଙ୍କ ବିନା ଖେଳିବାକୁ ବାଧ୍ୟ ହେବ। ଯାହାକି ବିରାଟ କୋହଲିଙ୍କ ଦଳ ପାଇଁ ଶକ୍ତ ଝଟ୍‌କା ହେବ। ଉଭୟ ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ବୁମ୍‌ରାଙ୍କ ପାଇଁ ରିସ୍କ ନେବାକୁ ଚାହୁଁନାହାନ୍ତି। ବୁମ୍‌ରା ପୂରା ସୁସ୍ଥ ନହେବା ପର୍ଯ୍ୟନ୍ତ ଦଳକୁ ଫେରିବା ଉଚିତ ନୁହେଁ ବୋଲି କହିଛନ୍ତି। ତେଣୁ ବୁମ୍‌ରା ସମ୍ଭବତଃ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ବେଳକୁ ଦଳକୁ ଫେରିପାରନ୍ତି ବୋଲି ଏହି ସୂତ୍ରରୁ ଜଣାପଡ଼ିଛି। ବିଶେଷକରି ଅଷ୍ଟ୍ରେଲିଆରେ ୨୦୨୦ରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଉପରେ ଭାରତ ନଜର ରଖିଥିବାରୁ ବୁମ୍‌ରାଙ୍କୁ ପୂରା ସୁସ୍ଥ ହୋଇ ଫେରିବା ଉଚିତ ବୋଲି ଭାରତୀୟ ଦଳ କର୍ତୃପକ୍ଷ ମନସ୍ଥ କରିଛି। ତାଙ୍କ ସ୍ବାସ୍ଥ୍ୟ ଉପରେ ଫିଜିଓ ତୀକ୍ଷ୍ଣ ନଜର ରଖିଛନ୍ତି। ସେ ସମୟ ପୂର୍ବରୁ ସୁସ୍ଥ ଓ ଫିଟ୍‌ ହୋଇଯିବେ ବୋଲି ଦଳୀୟ କର୍ତୃପକ୍ଷ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର