ଇଂଲଣ୍ଡରେ ୨୩ ବର୍ଷ ପରେ ଭାରତୀୟ ମହିଳା ଦଳର ଶୃଙ୍ଖଳା ବିଜୟ

କ୍ୟାଣ୍ଟରବରୀ: ବୁଧବାର ଦ୍ବିତୀୟ ମହିଳା ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ୩୦୦ରୁ ଅଧିକ ସ୍କୋର୍‌ କରିଥିବା ଭାରତ ୮୮ ରନ୍‌ରେ ଘରୋଇ ଇଂଲଣ୍ଡକୁ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍‌କୁ ଜିତିଥିବା ଭାରତ ମଧ୍ୟ ୨-୦ର ଅଗ୍ରଣୀ ପାଇ ୩ ମ୍ୟାଚ୍‌ ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିନେଇଥିଲା। ଏଥି ସହିତ ୨୩ ବର୍ଷ ପରେ ଇଂଲଣ୍ଡରେ ପ୍ରଥମ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଥିଲା। ଶେଷଥର ପାଇଁ ୧୯୯୯ରେ ଭାରତୀୟ ମହିଳା ଦଳ ଇଂଲଣ୍ଡରେ ଘରୋଇ ଦଳ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଜିତିଥିଲା। ତା’ପରଠାରୁ ଉଭୟ ଦଳ ମଧ୍ୟରେ ଇଂଲଣ୍ଡରେ ଖେଳାଯାଇଥିବା ସମସ୍ତ ୬ ଦ୍ବିପାକ୍ଷିକ ଶୃଙ୍ଖଳାରେ ଭାରତ ପରାଜୟ ବରଣ କରିଥିଲା।

ଅନ୍ୟପକ୍ଷରେ ଗତ ୧୫ ବର୍ଷ ମଧ୍ୟରେ ଇଂଲଣ୍ଡରେ ଦିନିକିଆ ଶୃଙ୍ଖଳା ଜିତିବାରେ ଅଷ୍ଟ୍ରେଲିଆ ପରେ ଭାରତ ଦ୍ବିତୀୟ ଦଳ ହୋଇଛି। ଅଷ୍ଟ୍ରେଲିଆ ୨୦୧୫ ଓ ୨୦୧୯ରେ ଇଂଲଣ୍ଡଠୁ ଇଂଲଣ୍ଡରେ ଶୃଙ୍ଖଳା ଜିତିଥିଲା। ତଥାପି ଏହି ସମୟ ମଧ୍ୟରେ ଇଂଲଣ୍ଡ ତା’ ଘରୋଇ ମାଟିରେ ମୋଟ ୨୦ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳିଥିଲା ବେଳେ ୧୭ ଜିତିଛି। ହର୍ମନ୍‌ପ୍ରୀତ୍‌ଙ୍କ ଅପରାଜିତ ୧୪୩ ରନ୍‌ ଇଂଲଣ୍ଡରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ବ୍ୟକ୍ତିଗତ ଦିନିକିଆ ସ୍କୋର୍‌। ଏକ୍ଷେତ୍ରରେ ସେ ସୋଫି ଦେବିନେ (୧୧୭*, ୨୦୧୮), ଦେବୀ ହକ୍‌ଲେ (୧୧୭, ୧୯୯୬) ଏବଂ ଲିଜେଲ ଲି (୧୧୭, ୨୦୧୮)ଙ୍କୁ ପଛରେ ପକାଇଥିଲେ। ସେହିପରି ହର୍ମନପ୍ରୀତ୍‌ ମଧ୍ୟ ଭାରତୀୟ ଅଧିନାୟିକା ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ର କୀର୍ତ୍ତିମାନ ରଚିଛନ୍ତି। ତାଙ୍କ ପୂର୍ବରୁ ମିତାଲି ରାଜ (୧୨୫*, ବନାମ ଶ୍ରୀଲଙ୍କା ୨୦୧୮)ଙ୍କ ନାମରେ ଏହି ମାଇଲଖୁଣ୍ଟ ରହିଥିଲା।

ବୁଧବାର ୧୪୩* ରନ୍‌ର ପାଳି ହର୍ମନପ୍ରୀତ୍‌ଙ୍କର ଦିନିକିଆରେ ପଞ୍ଚମ ଶତକ ଥିଲା। ଏକ୍ଷେତ୍ରରେ ସେ ସ୍ମୃତି ମନ୍ଧାନା (୫ ଶତକ)ଙ୍କ ସମକକ୍ଷ ହୋଇଥିଲେ। ପୂର୍ବତନ ଅଧିନାୟିକା ମିତାଲି ରାଜ (୭ ଶତକ) ଭାରତୀୟ ଭାବେ ଶୀର୍ଷରେ ରହିଛନ୍ତି। ହର୍ମନ୍‌ପ୍ରୀତ୍‌ଙ୍କ ସମସ୍ତ ୫ ଶତକ ୪ ନମ୍ବର କିମ୍ବା ତା’ଠୁ ନିମ୍ନକ୍ରମ ବ୍ୟାଟିଂରୁ ଆସିଛି। ଏକ୍ଷେତ୍ରରେ ହର୍ମନ୍‌ପ୍ରୀତ୍‌ ଯୁଗ୍ମ ଭାବେ ନାତାଲ ସିଭର୍‌ଙ୍କ ସହ ରହିଛନ୍ତି।

ସମ୍ବନ୍ଧିତ ଖବର