ଜାତୀୟ ଭଲିବଲ୍‌: ଆସାମକୁ ହରାଲା ଓଡ଼ିଶା ମହିଳା, ୨୬ ବର୍ଷ ପରେ ଓଡ଼ିଶା ପ୍ଲେ ଅଫ୍‌ରେ

ଭୁବନେଶ୍ବର: କିଟ୍‍ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ପ୍ରତିଯୋଗିତାରେ ସୋମବାର ଓଡ଼ିଶା ପୁରୁଷ ଦଳ ବହୁ ପ୍ରତୀକ୍ଷିତ ଲକ୍ଷ୍ୟରେ ପହଞ୍ଚିଛି। ଗ୍ରୁପ୍‌-ଏଫ୍‌ରେ ବିଜେତା ହୋଇ ଓଡ଼ିଶା ଦଳ ଦୀର୍ଘ ୨୬ ବର୍ଷ ପରେ ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଶେଷ ଥର ପାଇଁ ୧୯୯୫ରେ ଓଡ଼ିଶା ଦଳ ନକ୍‌ ଆଉଟ୍‌ ପର୍ଯ୍ୟାୟରେ‌ ଖେଳିଥିଲା। ସୋମବାର ଓଡ଼ିଶା ଦଳ ୩-୦ରେ ଉତ୍ତରପ୍ରଦେଶକୁ ପରାସ୍ତ କରିଥିଲା। ୨୫-୧୮, ୨୫-୨୨, ୨୫-୧୭ରେ ଜିତିଥିଲା ଘରୋଇ ଦଳ। ଓଡ଼ିଶା ଦଳକୁ କିଟ୍‌ ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ୍‌ ସଂଘ ସଭାପତି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ସହ ଶୁଭକାମନା ଜଣାଇଛନ୍ତି। ମାସାଧିକ କାଳର ପ୍ରଶିକ୍ଷଣ ଶିବିର କାରଣରୁ ଏହି ସଫଳତା ମିଳିଲା ବୋଲି ପ୍ରକାଶ କରିଛନ୍ତି ଓଡ଼ିଶା ଦଳର ପ୍ରଶିକ୍ଷକ ଲୋତକବିନ୍ଦୁ ଦାଶ। ସାମନ୍ତ ସାର୍‌ ଭାରତୀୟ ସଂଘ ସଭାପତି ହେବା ପରେ ଓଡ଼ିଶା ଖେଳାଳିଙ୍କ ମନୋବଳ ବଢ଼ିଥିବା ମଧ୍ୟ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଶ୍ରୀ ଦାଶ ସ୍ବୀକାର କରିଥିଲେ। ଓଡ଼ିଶା ଦଳର ଏହି ଐତିହାସିକ ସଫଳତା ପାଇଁ ଡକ୍ଟର ସାମନ୍ତ ୨୫ ହଜାର ଟଙ୍କାର ପୁରସ୍କାର ରାଶି‌ ଘୋଷଣା କରିବା ସହ ସେମିଫାଇନାଲ୍ ଗଲେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ ହାରିବା ପରଠାରୁ ଓଡ଼ିଶା ମହିଳା ଦଳ ମଧ୍ୟ ବିଜୟ ଧାରା ଜାରି ରଖିଛି। ସୋମବାର ଓଡ଼ିଶା ମହିଳା ଦଳ ୩-୦ (୨୫-୧୫, ୨୫-୧୪, ୨୫-୦୭)ରେ ଆସାମକୁ ପରାସ୍ତ କରିଛି। ‌ଅନ୍ୟ ମହିଳା ମ୍ୟାଚ୍‌ରେ ଚଣ୍ଡିଗଡ଼ ୩-୦ରେ ମଧ୍ୟପ୍ରଦେଶକୁ, ଜମ୍ମୁ କାଶ୍ମୀର ୩-୦ରେ ଲଦାଖକୁ, ଗୁଜରାଟ ୩-୦ରେ ବିହାରକୁ, ଉତ୍ତରାଞ୍ଚଳ ୩-୦ରେ ମିଜୋରାମକୁ, କର୍ଣ୍ଣାଟକ ୩-୦ରେ ଆନ୍ଧ୍ରପ୍ରଦେଶକୁ ଏବଂ ଦିଲ୍ଲୀ ୩-୧ରେ ତାମିଲନାଡ଼ୁକୁ ହରାଇ ଦେଇଛି। ସେହିଭଳି ପୁରୁଷରେ ତେଲେଙ୍ଗାନା ୩-୦ରେ ମିଜୋରାମକୁ, ମହାରାଷ୍ଟ୍ର ୩-୦ରେ ‌ପଶ୍ଚିମବଙ୍ଗକୁ, ପଞ୍ଜାବ ୩-୦ରେ ଦିଲ୍ଲୀକୁ, ଚଣ୍ଡିଗଡ଼ ୩-୦ରେ ଛତିଶଗଡ଼କୁ, ଗୁଜରାଟ ୩-୦ରେ ବିହାରକୁ, ଆନ୍ଧ୍ରପ୍ରଦେଶ ୩-୦ରେ ତ୍ରିପୁରାକୁ ଏବଂ ଉତ୍ତରପ୍ରଦେଶ ୩-୦ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର