୨୮ ବର୍ଷ ପରେ ସେମିରେ ଇଂଲଣ୍ଡ

ସମାରା: ଇଂଲଣ୍ଡ୍‌ ଫୁଟ୍‌ବଲ୍‌ର ଗୌରବମୟ ମୁହୂର୍ତ ଫେରିବା ସଙ୍କେତ ମିଳିଛି। ହ୍ୟାରି କେନ୍‌ଙ୍କ ଦଳ ଶନିବାର ଫିଫା ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚି ଜୁଲେସ୍‌ ରିମେଟ୍‌ ଟ୍ରଫିଠାରୁ ଦୁଇଟି ବିଜୟ ଦୂରରେ ରହିଛି। ଶନିବାର ତୃତୀୟ କ୍ୱାର୍ଟର ଫାଇନାଲ୍‌ରେ ଇଂଲଣ୍ଡ ୨-୦ ଗୋଲ୍‌ରେ ଅନ୍ୟତମ ୟୁରୋପୀୟ ଦେଶ ସ୍ୱିଡେନ୍‌କୁ ହରାଇ ଦେଇଥିଲା। ୧୯୬୬ରେ ବିଜେତା ହୋଇଥିବା ଇଂଲଣ୍ଡ ୧୯୯୦ ମସିହା ପରେ ପ୍ରଥମ ଥର ସେମିଫାଇନାଲ୍‌ାରେ ପହଞ୍ଚି ମଧ୍ୟ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇଛି। ଇଂଲଣ୍ଡ ବୁଧବାର ଲୁଝିନିକିରେ ସେମିଫାଇନାଲ୍‌ ଖେଳିବ।

ସମାରା ଆରେନାରେ ଶନିବାର ସ୍ୱିଡେନ୍‌ଠାରୁ ଯେଭଳି ପ୍ରଦର୍ଶନ ଆଶା କରାଯାଉଥିଲା ତାହା ଦଳ ଦେଇ ପାରିନଥିଲା। ପ୍ରଥମରୁ ଆକ୍ରମଣାତ୍ମକ ଫୁଟ୍‌ବଲ୍‌ ଖେଳି ଇଂଲଣ୍ଡ ଉଭୟାର୍ଧରେ ଗୋଟିଏ ଲେଖାଏଁ ଗୋଲ୍‌ ଲଦି ଦେଇଥିଲା। ମ୍ୟାଚ୍‌ର ୩୦ତମ ମିନିଟ୍‌ରେ ହ୍ୟାରି ମାଗ୍ୟୁରେଙ୍କ ହେଡର୍‌ ଲିସେଷ୍ଟର୍‌ ସିଟି ଡିଫେଣ୍ଡର ତଥା ଗୋଲ୍‌ରକ୍ଷକ ରବିନ୍‌ ଓସ୍‌ଲେନ୍‌ଙ୍କ ପାଇଁ ରୋକିବାର କୌଣସି ସୁଯୋଗ ରଖିନଥିଲା। ବାମପାର୍ଶ୍ୱରୁ ଆସଲେ ୟଙ୍ଗଙ୍କ କର୍ନରୁ ଆସିଥିବା ବଲ୍‌କୁ ମାଗ୍ୟୁରେ ନେଟ୍‌ ଭିତରକୁ ପଠାଇ ଦେଇଥିଲେ। ଏଥି ସହିତ ୨୦୦୨ ମସିହା ପରେ ଇଂଲଣ୍ଡ ହେଡର୍‌ରୁ ସର୍ବାଧିକ ଗୋଲ୍‌ ଦେଇଥିଲା। ଦ୍ୱିତୀୟାର୍ଧରେ ଏହି ସଂଖ୍ୟା ୫ରେ ପହଞ୍ଚିଥିଲା ଯେତେବେଳେ ଡେଲେ ଅଲୀଙ୍କ ହେଡର୍‌ ଇଂଲଣ୍ଡର ଅଗ୍ରଣୀକୁ ଦ୍ୱିଗୁଣିତ କରି ଦେଇଥିଲା। ଜେସେ ଲିନ୍‌ଗାର୍ଡଙ୍କ ପାସ୍‌କୁ ସ୍ୱିଡେନ୍‌ ପେନାଲଟି ଅଞ୍ଚଳରୁ ଡେଲେ ପ୍ରାଞ୍ଜଳ ସଂଯୋଗର ସହିତ ଗୋଲ୍‌ମୁହାଁ କରି ଦେଇଥିଲେ। ଏଥି ସହିତ ରବିନ୍‌ ଓସଲେନ୍‌ଙ୍କ ବିପକ୍ଷରେ ଗୋଲ୍‌ ଦେବା କଷ୍ଟକର କାମକୁ ଇଂଲଣ୍ଡ ଖେଳାଳି ସହଜ କରି ଦେଇଥିଲେ। ଗ୍ରୁପ୍‌ ପର୍ଯ୍ୟାୟରେ ଜର୍ମାନି ବିପକ୍ଷରେ ଗୋଲ୍‌ ବରଣ କରିବା ପୂର୍ବରୁ ଓସ୍‌ଲେନ୍‌ ୫୪୮ ମିନିଟ୍‌ ଧରି ଗୋଲ୍‌ ବରଣ କରିନଥିଲେ। ଶନିବାର କିନ୍ତୁ ଦୁଇ ଗୋଲ୍‌ ବରଣ କରିଥିଲେ। ଏହି ଦୁଇ ଗୋଲ୍‌ ସହିତ ଇଂଲଣ୍ଡ ମଧ୍ୟ ନିଜ ବିଶ୍ୱକପ୍‌ କୀର୍ତିମାନ ସର୍ବାଧିକ ଗୋଲ୍‌ର ସମକକ୍ଷ ହୋଇଥିଲା। ୧୯୬୬ ମସିିହାରେ ଇଂଲଣ୍ଡ ବିଜେତା ହୋଇଥିବା ବେଳେ ସର୍ବାଧିକ ୧୧ ଗୋଲ୍‌ ଦେଇଥିଲା। ଏଥର କ୍ୱାର୍ଟରଫାଇନାଲ୍‌ ପର୍ଯ୍ୟନ୍ତ ୧୧ ଗୋଲ୍‌ ଦେଇ ସାରିଛି। ଗ୍ୟାରେଥ୍‌ ସାଉଥ୍‌ଗେଟ୍‌ଙ୍କ ପ୍ରଶିକ୍ଷିତ ଇଂଲଣ୍ଡ ଦଳ ଏବେ ବୁଧବାରର ସେମିଫାଇନାଲ୍‌ ଉପରେ ଏକାଗ୍ର ରହିଛି ବୋଲି ସେ କହିଛନ୍ତି। ଇଂଲଣ୍ଡ ମଧ୍ୟ ଚଳିତ ସଂସ୍କରଣରେ ଏକମାତ୍ର ଦଳ ଭାବେ କ୍ଲିନ୍‌ ସିଟ୍‌ (ଗୋଲ୍‌ ବରଣ ନ କରିବା) ପାଇ ନଥିଲା। ଯାହାକୁ ଶନିବାର ହାସଲ କରି ନେଇଥିଲା। ଏ କ୍ଷେତ୍ରରେ ଦଳର ଗୋଲ୍‌ରକ୍ଷକ ପିକ୍‌ଫୋର୍ଡ ଜୋର୍ଡାନ୍‌ଙ୍କ ବଡ଼ ଭୂମିକା ରହିଥିଲା। ତିନିଟି ନିଶ୍ଚିତ ଗୋଲ୍‌ ବଞ୍ଚାଇଥିଲେ ପିକ୍‌ଫୋର୍ଡ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା। ସେହିଭଳି ଇଂଲଣ୍ଡ ଅଧିନାୟକ ହ୍ୟାରି କେନ୍‌ ଶନିବାର ଗୋଲ୍‌ ଦେଇନଥିଲେ ମଧ୍ୟ ଏବେ ସୁନା ଜୋତା ଦୌଡ଼ରେ ଆଗୁଆ ରହିଛନ୍ତି। ୬ ଗୋଲ୍‌ ଦେଇ ସେ ନିଜ ଦେଶର ଗ୍ୟାରି ଲିନେକର୍‌ (୧୯୮୬, ମେକ୍ସିକୋ)ଙ୍କ ସମକକ୍ଷ ରହିଛନ୍ତି। ଅନ୍ୟପକ୍ଷରେ ସ୍ୱିଡେନ୍‌ ବିଶ୍ୱକପ୍‌ ଇତିହାସରେ ୫୧ ମ୍ୟାଚ୍‌ ଖେଳି ଟ୍ରଫି ଜିତିବାର ସ୍ୱପ୍ନର ଅଧୁରା ଧାରାକୁ ଆଗକୁ ନେଇଛି। ଏହି ଦେଶଠାରୁ କେବଳ ଅଧିକ ମ୍ୟାଚ୍‌ ଖେଳି ଅଧୁରା ସ୍ୱପ୍ନ ରଖିଛି ମେକ୍ସିକୋ, ଯିଏ ଏ ପର୍ଯ୍ୟନ୍ତ ୫୭ ମ୍ୟାଚ୍‌ ବିଶ୍ୱକପ୍‌ ଜିତିପାରି ନାହିଁ। ଏଥର ମଧ୍ୟ ମେକ୍ସିକୋ ବିଦାୟ ନେଇ ସାରିଛି।

ସମ୍ବନ୍ଧିତ ଖବର