୩୦ ବର୍ଷ ପ୍ରତୀକ୍ଷାର ଅନ୍ତ, ଲିଭରପୁଲ ଜିତିଲା ପ୍ରିମିୟର ଲିଗ୍‌

ଲିଭରପୁଲ୍‌: ଶେଷ ଥର ପାଇଁ ୧୯୮୯-୯୦ ଋତୁରେ ପ୍ରିମିୟର ଲିଗ୍‌ ବିଜେତା ହୋଇଥିଲା ଲିଭରପୁଲ୍‌। ୧୯୪୬-୪୭ ଋତୁରୁ ଆରମ୍ଭ କରି ୧୯୮୯-୯୦ ମଧ୍ୟରେ ଏହି ଦଳ ମୋଟ ୧୮ ଥର ବିଜେତା ହୋଇଥିଲା। ହେଲେ ଗତ ୩୦ ବର୍ଷ ମଧ୍ୟରେ ଥରଟିଏ ହେଲେ ଆଉ ଟ୍ରଫି ଜିତିପାରିନଥିଲା। ବରଂ ଗତ ଋତୁରେ କୀର୍ତ୍ତିମାନ ଭରା ୯୭ ପଏଣ୍ଟ୍‌ ହାସଲ କରିବା ସତ୍ତ୍ବେ ମାଞ୍ଚେଷ୍ଟର ସିଟିଠାରୁ ପଛରେ ରହି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ହେଲେ ଟ୍ରଫି ପାଇଁ ଲିଭରପୁଲ୍‌ର ୩୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଶିକ୍ଷକ ଜୁର୍ଗେନ୍‌ କ୍ଲାପ୍‌ଙ୍କ ଏହି ଦଳ ୨୦୧୯-୨୦ ଋତୁର ବିଜେତା ହୋଇଛି। ବୁଧବାର ଏହି ଦଳ କ୍ରିଷ୍ଟାଲ ପ୍ୟାଲେସ୍‌ ଦଳକୁ ୪-୦ ଗୋଲ୍‌ରେ ହରାଇବା ପରେ ଗୁରୁବାର ମାଞ୍ଚଷ୍ଟର ସିଟି ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଚେଲ୍‌ସି ନିକଟରୁ ହାରିଯିବା ଲିଭରପୁଲ୍‌ର ବିଜେତା ହେବା ସ୍ପଷ୍ଟ ହୋଇଯାଇଥିଲା। ଟ୍ରଫି ଦୌଡ଼ରେ ରହିବା ପାଇଁ ଏହି ମ୍ୟାଚ୍‌ ମା‌ଞ୍ଚେଷ୍ଟର ସିଟି ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ରହିଥିଲା। ସିଟି ଦଳ ମଧ୍ୟ ଲିଭରପୁଲ୍‌ ପଛକୁ ପଏଣ୍ଟ୍‌ ତାଲିକାର ଦ୍ବିତୀୟ ସ୍ଥାନରେ ରହିଥିଲା। ହେଲେ ସିଟି ଦଳ ଚେଲ୍‌ସି ନିକଟରୁ ୧-୨ ଗୋଲ୍‌ରେ ହାରିଯିବା ପରେ ଲିଗ୍‌ର ଅବଶିଷ୍ଟ ୭ ମ୍ୟାଚ୍‌ ପୂର୍ବରୁ ଲିଭରପୁଲ୍‌ର ପଏର୍ଟ ସଂଖ୍ୟା ‌ସିଟି ଦଳଠାରୁ ୨୩ ଆଗରେ ରହିଥିଲା। ତେଣୁ ଅବଶିଷ୍ଟ ୭ ମ୍ୟାଚ୍‌ ଜିତିଲେ ବି ମାଞ୍ଚେଷ୍ଟର ସିଟିର ପଏଣ୍ଟ ସଂଖ୍ୟା ୨୧ ହୋଇପାରେ; ହେଲେ ଲିଭରପୁଲ୍‌ଠାରୁ ୨ କମ୍‌ ରହିଯିବ। ଅନ୍ୟପକ୍ଷରେ ଲିଭରପୁଲ୍‌ ଅବଶିଷ୍ଟ ସବୁ ମ୍ୟାଚ୍‌ ହାରିଲେ ବି ବିଜେତାରୁ ବଞ୍ଚିତ ହୋଇପାରିବନି। ଫଳରେ ଚଳିତ ଋତୁର ୭ ମ୍ୟାଚ୍‌ ପୂର୍ବରୁ ହିଁ ଲିଭରପୁଲ୍‌ ବିଜେତା ଆଖ୍ୟା ହାତେଇନେଲା। ବିଶେଷକରି ଚଳିତ ଋତୁର ଆଉ ୭ ମ୍ୟାଚ୍‌ ବାକି ଥିଲା ବେଳେ ଲିଭରପୁଲ୍‌ ବିଜେତା ହେବା ପ୍ରିମିୟର ଲିଗ୍‌ରେ ଏକ ନୂଆ କୀର୍ତ୍ତିମାନ। କାରଣ ଏହା ପୂର୍ବରୁ ସର୍ବାଧିକ ୫ ମ୍ୟାଚ୍‌ ବାକି ଥାଇ ମାଞ୍ଚେଷ୍ଟର ସିଟି (୨୦୧୭-୧୮) ଏବଂ ମାଞ୍ଚେଷ୍ଟର ୟୁନାଇଟେଡ୍‌ (୨୦୦୦-୦୧) ବିଜେତା ହେବାର କୀର୍ତ୍ତିମାନ ନିଜ ନିଜ ନାମରେ ରଖିଥିଲେ। ଏହାକୁ ଟପିଯାଇଛି ଲିଭରପୁଲ୍। ମୋଟ ଉପରେ ଏହା ମଧ୍ୟ ଲିଭରପୁଲ୍‌ ପାଇଁ ୧୯ତମ ଟ୍ରଫି ରହିଛି। ଆଉ ଗୋଟିଏ ଟ୍ରଫି ଜିତିପାରିଲେ ଲିଭରପୁଲ୍‌ ସର୍ବାଧିକ ୨୦ ଥର ଟ୍ରଫି ବିଜେତା ମାଞ୍ଚେଷ୍ଟର ୟୁନା‌ଇଟେଡ୍‌ର ସମକକ୍ଷ ହୋଇପାରିବ। ପୁଣି ୨୦୧୭-୧୮ ଋତୁରେ ମାଞ୍ଚେଷ୍ଟର ସିଟି ନାମରେ ରହିଥିବା ପଏଣ୍ଟ୍‌ କୀର୍ତ୍ତିମାନ ୧୦୦କୁ ଟପିବାର ସମ୍ଭାବନା ସୃଷ୍ଟି କରିଛି ଲିଭରପୁଲ୍‌। ଏବେ ସୁଦ୍ଧା ୩୧ ମ୍ୟାଚ୍‌ ଖେଳିସାରିଥିବା ଲିଭରପୁଲ୍‌ର ପଏଣ୍ଟ ସଂଖ୍ୟା ୮୬ରେ ପହଞ୍ଚିଛି। ଆଉ ୭ ମ୍ୟାଚ୍‌ ବାକିଥିଲା ବେଳେ ୧୦୦ ଟପିବା ପାଇଁ ୧୫ ପଏଣ୍ଟ୍‌ର ଆବଶ୍ୟକତା ରହିଛି। କେବଳ ସେତିକି ନୁହେଁ, ଯଦି ଲିଭରପୁଲ୍‌ ଅବଶିଷ୍ଟ ୭ଯାକ ମ୍ୟାଚ୍‌ ଜିତେ ତାହାଲେ ମୋଟ ୧୦୭ ପଏଣ୍ଟରେ ଅଭିଯାନ ଶେଷ କରିବ। ଯାହାକି ନୂଆ କୀର୍ତ୍ତିମାନ ହୋଇ ରହିଯିବ। ଏହା ପୂର୍ବରୁ ଇଂଲିସ୍‌ ଲିଗ୍‌ରେ ସର୍ବାଧିକ ପଏଣ୍ଟ୍‌ କୀର୍ତ୍ତିମାନ ୧୦୬ (୨୦୦୫-୦୬) ରହିଛି। ପୁଣି ଅବଶିଷ୍ଟ ୩ ମ୍ୟାଚ୍‌ ଜିତିଗଲେ ଗୋଟିଏ ଋତୁରେ ସମସ୍ତ ୧୯ ଘରୋଇ ମ୍ୟାଚ୍‌ ଜିତିବାରେ ପ୍ରଥମ ପ୍ରିମିୟର ଲିଗ୍‌ ଦଳ ଭାବେ ଉଭା ହୋଇପାରିବ ଲିଭରପୁଲ୍‌। କେବଳ ସେତିକି ନୁହେଁ ଚଳିତ ଋତୁରେ ଅବଶିଷ୍ଟ ୭ରୁ ୫ ମ୍ୟାଚ୍‌ ଜିତିପାରିଲେ ଲିଭରପୁଲ୍‌ ଗୋଟିଏ ପ୍ରିମିୟର ଲିଗ୍‌ ଋତୁରେ ସର୍ବାଧିକ ମ୍ୟାଚ୍‌ ଜିତିବାର କୀର୍ତ୍ତିମାନ ପ୍ରତିଷ୍ଠା କରିପାରିବ। ପୂର୍ବରୁ ସର୍ବାଧିକ ୩୨ ବିଜୟ ମାଞ୍ଚେଷ୍ଟର ସିଟି ନାମରେ ରହିଥିଲା ବେଳେ ଲିଭରପୁଲ୍‌ ଚଳିତ ଋତୁରେ ଏପର୍ଯ୍ୟନ୍ତ ୨୮ ବିଜୟ ପାଇସାରିଛି।

ଗତ ଋତୁରେ ଲିଭରପୁଲ୍‌ ବିଜେତା ହେବାନେଇ ଦଳର ଅଧିନାୟକ ଜୋର୍ଡାନ୍‌ ହେଣ୍ଡରସନ୍‌ କ୍ଲବ୍‌ ପକ୍ଷରୁ ପ୍ରଶିକ୍ଷକ କ୍ଲାପ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ପ୍ରଥମ ଜର୍ମାନୀ ମ୍ୟାନେଜର ଭାବେ କ୍ଲାପ୍‌ ପ୍ରିମିୟର ଲିଗ୍‌ ଟ୍ରଫି ଜିତିବାର ଗୌରବ ବହନ କରିଛନ୍ତି। ଗୁରୁବାରର ଚେଲ୍‌ସି-ମାଞ୍ଚେଷ୍ଟର ସିଟି ମ୍ୟାଚ୍‌କୁ ଉତ୍ସୁକତାର ସହ ଲିଭରପୁଲ୍‌ ଦଳର ସବୁ ଖେଳାଳି ଏକ ହୋଟେଲରେ ଦେଖୁଥିଲେ। ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଆମେ ଏକାଠି ଗୋଟିଏ ହୋଟେଲରେ ମ୍ୟାଚ୍‌ ଦେଖୁଥିଲୁ। ହେଲେ ନିର୍ଦିଷ୍ଟ ସ୍ଥାନ ସଂପର୍କରେ କହିବୁନାହିଁ ବୋଲି ଲିଭରପୁଲ୍‌ ତାରକା ଆଣ୍ଡରୁ ରବର୍ଟସନ୍‌ ‘ବିବିସି’କୁ କହିଛନ୍ତି। ଏହି ମ୍ୟାଚ୍‌ର ଅନ୍ତିମ ହୁଇସିଲ୍‌ ବାଜିବା ପୂର୍ବରୁ ଆମେ କୁରୁଳି ଉଠିଥିଲୁ ଏବଂ ଟ୍ରଫି ଜିତିବାର ଉତ୍ସବ ଏକରମକ ମନାଇଥିଲୁ ବୋଲି ସେ କହିଛନ୍ତି। ସେହିପରି ଲିଭରପୁଲ୍‌ ସହରରେ ମଧ୍ୟ ଉତ୍ସବର ବାତାବରଣ ଖେଳିଯାଇଥିଲା। ହଜାର ହଜାର ଲିଭରପୁଲ୍‌ ପ୍ରଶଂସକ କୋଭିଡ୍‌-୧୯ କଟକଣା‌ ଭିତ୍ତିରେ ମୁହଁରେ ମାସ୍କ ପିନ୍ଧି ଆଲୋକ ଜାଳି, ନାଚଗୀତର ତାଳେତାଳେ ପଡ଼ିଆ ବାହାରେ ଉତ୍ସବ ମନାଇଥିଲେ। ଏପରିକି ପଡ଼ିଆ ବାହାରେ ପ୍ରଶଂସକଙ୍କ ବହୁଳ ସଂଖ୍ୟକ କାର୍‌ ଧାଡ଼ି ଲମ୍ବାଇଥିବା‌ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର