୪୩ ବର୍ଷ ପରେ ଭାରତ ଥମାସ କପ୍‌ ସେମିରେ, ଉବେର କପ୍‌ରୁ ବିଦାୟ

ବ୍ୟାଙ୍କକ୍‌: ଭାରତ ୪୩ ବର୍ଷ ପରେ ଥମାସ କପ୍‌ ପୁରୁଷ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରି ପଦକ ନିଶ୍ଚିତ କରିଛି। ଗୁରୁବାର କଡ଼ା ସଂଘର୍ଷପୂର୍ଣ୍ଣ କ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ଭାରତ ୩-୨ରେ ମାଲେସିଆକୁ ମାତ୍‌ ଦେଇ ଅତି କମ୍‌ରେ କାଂସ୍ୟ ପଦକକୁ ପକ୍କା କରିଛି। ପ୍ରଥମ ଏକକ ମ୍ୟାଚ୍‌ରେ ବିଶ୍ବର ୯ ନମ୍ବର ଲକ୍ଷ୍ୟ ସେନ୍‌ ୨୧-୨୩, ୯-୨୧ରେ ଲି ଜି ଜିଆଙ୍କଠୁ ହାରିଯିବାରୁ ଭାରତ ୦-୧ରେ ପଛୁଆ ରହିଥିଲା। ହେଲେ ଭାରତୀୟ ଯୁଗଳ ଯୋଡ଼ି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ୨୧-୧୯, ୨୧-୧୫ରେ ଗୋ ଜି ଫେଇ ଓ ନୁର ଇଜୁଦ୍ଦିନ୍‌ଙ୍କୁ ମାତ୍‌ ଦେଇ ସ୍ଥିତି ୧-୧ କରିଥିଲେ। ଦ୍ବିତୀୟ ଏକକ ମୁକାବିଲାରେ କିଦାମ୍ବି ଶ୍ରୀକାନ୍ତ ୨୧-୧୧, ୨୧-୧୭ରେ ଏନ୍‌ଜି ଟିଜି ୟଙ୍ଗଙ୍କୁ ପରାସ୍ତ କରି ଭାରତକୁ ୨-୧ରେ ଆଗୁଆ କରିଥିଲେ। ଦ୍ବିତୀୟ ଯୁଗଳ ମ୍ୟାଚ୍‌ରେ କିନ୍ତୁ କୃଷ୍ଣ ପ୍ରସାଦ ଗରାଗା ଓ ବିଷ୍ଣୁପ୍ରସାଦ ଗୌଡ଼ ପ୍ରାଞ୍ଜଳ ୧୯-୨୧, ୧୭-୨୧ରେ ଆରୋନ ଚିଆ ଓ ଟିଓ ଇ ୟିଙ୍କଠୁ ହାରି ଯାଇଥିଲେ। ଶେଷ ତଥା ନିର୍ଣ୍ଣାୟକ ଏକକ ମୁକାବିଲାରେ ଏଚ୍‌ଏସ୍‌ ପ୍ରଣୟ ୨୧-୧୩, ୨୧-୮ରେ ଲିଓଙ୍ଗ ଜୁ ହାଓଙ୍କୁ ପରାସ୍ତ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଭାରତ ଶେ‌ଷ ଥର ଲାଗି ୧୯୭୯ରେ ଥମାସ କପ୍‌ ସେମିଫାଇନାଲ୍‌ରେ ପହଞ୍ଚିଥିଲା।

ଉବେର କପ୍‌ରୁ ବିଦାୟ

ବିଶ୍ବର ୭ ନମ୍ବର ଖେଳାଳି ତଥା ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସୁଯୋଗ ହାତଛଡ଼ା କାରଣରୁ ଚଳିତ ଉବେର କପ୍‌ରୁ ଭାରତର ଅଭିଯାନ ଶେଷ ହୋଇଯାଇଛି। ଗୁରୁବାର ଖେଳାଯାଇଥିବା କ୍ବାର୍ଟରଫାଇନାଲ୍‌ରେ ଭାରତ ୦-୩ରେ ଥାଇଲାଣ୍ଡ୍‌ଠାରୁ ହାରି ବିଦାୟ ନେଇଛି। ପ୍ରଥମ ଏକକରେ ସିନ୍ଧୁଙ୍କୁ ବିଶ୍ବର ୮ ନମ୍ବର ରାଞ୍ଚାନୋକ୍‌ ଇଣ୍ଟାନନ୍‌ ୧୮-୨୧, ୨୧-୧୭, ୨୧-୧୨ରେ ପରାସ୍ତ କରିଥିଲେ। ବ୍ୟକ୍ତିଗତ ମୁକାବିଲାରେ ସିନ୍ଧୁ ଏବେ ୪-୭ରେ ପଛୁଆ ପଡ଼ିଯାଇଛନ୍ତି। ମହିଳା ଯୁଗଳରେ ଶୃତି ମିଶ୍ର-ସିମ୍ରନ ସିଂଘି ୧୬-୨୧, ୧୩-୨୧ରେ ପରାସ୍ତ ହେବା ପରେ ଦ୍ବିତୀୟ ଏକକରେ ଆକର୍ଶୀ କାଶ୍ୟପ ୧୬-୨୧, ୧୧-୨୧ରେ ମଧ୍ୟ ହାରିଯାଇଥିଲେ। ଭାରତ ୦-୩ରେ ପଛୁଆ ରହିଯିବାରୁ ଆଉ ପରବର୍ତୀ ୨ ମୁକାବିଲା ଖେଳାଯିବାର ଆବଶ୍ୟକତା ପଡ଼ିନଥିଲା। ଭାରତୀୟ ପୁରୁଷ ଦଳ ଥମାସ୍ କପ୍‌ କ୍ବାର୍ଟରଫାଇନାଲ୍‌ରେ ମାଲେସିଆ ସହ ଖେଳିବ।

ସମ୍ବନ୍ଧିତ ଖବର