୬ ବର୍ଷ ପରେ ମିଳିଲା ନୂଆ ବିଜେତା, ପ୍ରଥମ ଗ୍ରାଣ୍ଡସ୍ଲାମ୍ ଜିତି ଇତିହାସ ରଚିଲେ ଥିମ୍

ନ୍ୟୁୟର୍କ: ଦୀର୍ଘ ୬ ବର୍ଷ ପରେ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାକୁ ପୁରୁଷ ଏକକ ବର୍ଗରେ ନୂଆ ବିଜେତା ମିଳିଛି। ବିଶ୍ବ ଟେନିସ୍‌ର ତିନି ମହାରଥୀ ରୋଜର ଫେଡେରର, ରାଫେଲ ନାଦାଲ ଓ ନୋଭାକ ଜୋକୋଭିକଙ୍କ ଅନୁପସ୍ଥିତିରେ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ନାଟକୀୟ ଫାଇନାଲରେ ଜର୍ମାନୀର ଯୁବ ତାରକା ଆଲେକ୍‌ଜାଣ୍ଡର ଭେରେଭଙ୍କୁ ଟାଇବ୍ରେକରରେ ପରାସ୍ତ କରି ଅଷ୍ଟ୍ରିୟାର ଦ୍ବିତୀୟ ସିଡ୍ ଖେଳାଳି ଡୋମିନକ ଥିମ୍ ଗ୍ରାଣ୍ଡସ୍ଲାମ୍ ବିଜେତା ଏଲିଟ୍ କ୍ଲବ୍‌ରେ ନିଜ ନାମକୁ ପ୍ରଥମ ଥର ପାଇଁ ଲିପିବଦ୍ଧ କରି ନେଇଥିଲେ।

ଉଭୟ ଭେରେଭ ଓ ଥିମ୍ ନିଜ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟ ଲକ୍ଷ୍ୟ ନେଇ ଫାଇନାଲ୍ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ। ପ୍ରଥମ ଦୁଇ ସେଟ୍ ଜିତି ଭେରେଭ୍ ନିଜ ଦେଶ ଜର୍ମାନିକୁ ଆଉ ଏକ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଉପହାର ଦେବା ଦ୍ବାର ଦେଶରେ ରହିଥିଲେ। ହେଲେ ଅସୀମ ଏକାଗ୍ରତା ଏବଂ ଅସାଧାରଣ ନିୟନ୍ତ୍ରଣର ନିଦର୍ଶନ ଦେଇ ଥିମ୍ ପରବର୍ତ୍ତୀ ତିନିଟି ସେଟ୍ ଜିତିବା ସହ ୨-୬, ୪-୬, ୬-୪, ୬-୩, ୭-୬ ସେଟ୍‌ରେ ମ୍ୟାଚ୍ ସହ ୟୁଏସ୍ ଓପନ୍ ଟ୍ରଫି ଜିତି ନେଇଥିଲେ। ସେ ମଧ୍ୟ କୌଣସି ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିବାରେ ଅଷ୍ଟ୍ରିୟାର ପ୍ରଥମ ଖେଳାଳି ହୋଇଥିଲେ। ପ୍ରଥମ ଥର ପାଇଁ ୟୁଏସ୍ ଓପନ୍ ଫାଇନାଲର ଫଳାଫଳ ପାଞ୍ଚ ସେଟ୍ ବିଶିଷ୍ଟ ଟାଇବ୍ରେକରରେ ନିର୍ଣ୍ଣୟ ହୋଇଥିଲା। ୨୭ ବର୍ଷୀୟ ଥିମ୍ ମଧ୍ୟ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିବାରେ ୧୯୯୦ ମସିହା ପରେ ଜନ୍ମଗ୍ରହଣ କରିଥିବା ପ୍ରଥମ ଟେନିସ୍ ଖେଳାଳି ହୋଇଥିଲେ। ନିଜ ନାଟକୀୟ ବିଜୟ ଭିତରେ ସେ ମଧ୍ୟ ଆଉ ଏକ ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଦୁଇଟି ସେଟ୍‌ରେ ପଛୁଆ ରହି ସଫଳ ପ୍ରତ୍ୟାବର୍ତ୍ତନ ସହ ୟୁଏସ୍ ଓପନ୍ ଟ୍ରଫି ଜିତିବାରେ ସେ ଓପନ୍‌ ଏରା’ର ପ୍ରଥମ ଖେଳାଳି ହୋଇଥିଲେ। ଶେଷ ଥର ପାଇଁ ୧୯୪୯ ମସିହାରେ ଆମେରିକୀୟ ଖେଳାଳି ପାଞ୍ଚୋ ‌ଗୋଞ୍ଜାଲେଜ୍ ଦୁଇଟି ସେଟ୍‌ରେ ପଛୁଆ ରହି ୟୁଏସ୍ ଓପନ୍ ଜିତିବାର ଅନନ୍ୟ କୀର୍ତ୍ତିମାନ ରଚିଥିଲେ। ନିଜ ଦେଶର ଟମ୍ ସ୍କୋଡରଙ୍କୁ ୧୬-୧୮, ୨-୬, ୬-୧, ୬-୨, ୬-୪ରେ ପରାସ୍ତ କରି ସେ ୟୁଏସ୍ ଓପନ୍ ଟ୍ରଫି କରାୟତ୍ତ କରିଥିଲେ। ସେତେବେଳେ ୟୁଏସ୍ ଓପନ୍ ୟୁଏସ୍ ନ୍ୟାସ୍‌ନାଲ ଚାମ୍ପିଅନସିପ୍ ଭାବେ ପରିଚିତ ଥି‌ଲା। ରବିବାର ପଞ୍ଚମ ସେଟ୍‌କୁ ୬-୭ରେ ହାରିବା ପରେ ଉପବିଜେତା ଭେରେଭ କିନ୍ତୁ ଦୁଃଖ ଓ ହତାଶାରେ କାନ୍ଦି ପକାଇଥିଲେ। ତାଙ୍କ ହାତମୁଠାରୁ ଯେମିତି ଅଙ୍ଗୁଳି ଫାଙ୍କ ଦେଇ ୟୁଏସ୍ ଓପନ୍ ଟ୍ରଫି ଖସି ଚାଲି ଯାଇଥିଲା। ସେପଟେ ୬ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ଭେରେଭଙ୍କଠାରୁ ୧୪୦ କିଲୋମିଟର ବେଗରେ ଆସୁଥିବା ସର୍ଭିସ୍‌କୁ ସଫଳତାର ସହ ମୁକାବିଲା କରି ଥିମ୍ ଟ୍ରଫି ତୋଳି ଧରିଥିଲେ।

ୟୁଏସ୍ ଓପନ୍‌ରେ ଶେଷ ଥର ପାଇଁ ୨୦୧୪ ମସିହାରେ ନୂଆ ବିଜେତା ଦେଖିବାକୁ ମିଳିଥିଲା। ସେତେବେଳେ ଜାପାନର କେଇ ନିଶିକୋରିଙ୍କୁ ପରାସ୍ତ କରି କ୍ରୋଏସିଆର ମାରିନ୍ ସିଲିକ୍ ପୁରୁଷ ଏକକ ଟ୍ରଫି ଜିତିଥିଲେ। ଥିମ୍ ଚଳିତବର୍ଷ ଏହି ସଫଳତା ‌ଦୋହରାଇଛନ୍ତି। ସୂଚନାଯୋଗ୍ୟ ଯେ କୋଭିଡ୍-୧୯ ସଙ୍କଟ ପାଇଁ ଫେଡେରର ଓ ନାଦାଲ ଚଳିତ ବର୍ଷର ୟୁଏସ୍ ଓପନ୍‌ରୁ ଓହରି ଯାଇଥିଲେ। ଅନ୍ୟ ପକ୍ଷରେ ନିଜ ଚତୁର୍ଥ ରାଉଣ୍ଡ ମ୍ୟାଚ୍ ବେଳେ ଅମ୍ପାୟାରଙ୍କୁ ଆଘାତ କରି ଜୋକୋଭିକ ଅଯୋଗ୍ୟ ସାବ୍ୟସ୍ତ ହୋଇଥିଲେ। ପୁରୁଷ ଭଳି ମହିଳା ଏକକରେ ମଧ୍ୟ ଜାପାନର ନାଓମି ଓସାକା ସ୍ଥାନୀୟ ଖେଳାଳି ସେରେନା ୱିଲିୟମ୍ସଙ୍କ ଆଧିପତ୍ୟକୁ ଶେଷ କରି ବିଜୟିନୀ ଆଖ୍ୟା ଅର୍ଜନ କରିଥିଲେ। ଅନ୍ୟପକ୍ଷରେ କ୍ରୋଏସିଆର ମେଟ୍ ପାଭିକ ଓ ବ୍ରାଜିଲର ବ୍ରୁନୋ ସୋରେସ୍ ପୁରୁଷ ଯୁଗଳ ଏବଂ ଜର୍ମାନୀର ଲୌରା ସେଗମଣ୍ଡ ଓ ରୁଷିଆର ଭିରା ଜନରେଭା ମହିଳା ଯୁଗଳ ଟ୍ରଫି ହାସଲ କରିଥିଲେ। ପୁରୁଷ ଯୁଗଳରେ ଭାରତୀୟ ତାରକା ରୋହନ ବୋପାନ୍ନା କ୍ବାର୍ଟର ଫାଇନାଲରେ ପରାଜିତ ହୋଇଥିଲେ। ଦିଭିଜ ସରଣ ପ୍ରଥମ ରାଉଣ୍ଡ ଆଗକୁ ଯାଇ ପାରିନଥ‌ିଲେ। ସେହିଭଳି ପୁରୁଷ ଏକକରେ ସୁମିତ ନାଗଲ ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର