ଦୁବାଇ: ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷ ଆସନ୍ତା ରବିବାର ଏସିଆ କପ୍ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଦଳକୁ ପୁଣି ଏକ ଝଟ୍କା ଲାଗିଛି। ଆରମ୍ଭରୁ ପ୍ରମୁଖ ଦ୍ରୁତ ବୋଲର ସାହିନ ଆଫ୍ରିଦି ଆହତ ଯୋଗୁଁ ଏସିଆ କପ୍ରୁ ବାଦ୍ ପଡ଼ିଥିଲା ବେଳେ ସେହି ତାଲିକାରେ ଆଉ ଜଣେ ଦ୍ରୁତ ବୋଲର ଯୋଡ଼ି ହୋଇଯାଇଛନ୍ତି। ପାକିସ୍ତାନର ୨୧ ବର୍ଷ ବୟସ୍କ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ୱାସିମ୍ ଗୁରୁବାର ଦଳର ଅଭ୍ୟାସ ସେସନ୍ ବେଳେ ପିଠିରେ ଆଘାତ ପାଇଛନ୍ତି। ଆଘାତ କେତେ ଗୁରୁତର ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ୱାସିମ୍ଙ୍କୁ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ତାଙ୍କର ଏମ୍ଆର୍ଆଇ ସ୍କାନ୍ ହୋଇଥିବା ପାକ୍ ଦଳ ସୂତ୍ରରୁ କୁହାଯାଇଛି। ଫଳରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୱାସିମ୍ ଏବେ ପାକିସ୍ତାନର ସୀମିତ ଓଭର (ଉଭୟ ଦିନିକିଆ ଏବଂ ଟ୍ବେଣ୍ଟି-୨୦) ଜଣେ ନିୟମିତ ସଦସ୍ୟ ରହିଛନ୍ତି। ସେ ଗତ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍ ଏବଂ ନେଦରଲାଣ୍ଡ୍ସ ବିପକ୍ଷ ଶୃଙ୍ଖଳା ଖେଳିଥିଲେ। ନେଦରଲାଣ୍ଡ୍ସ ବିପକ୍ଷ ଏକ ମ୍ୟାଚ୍ରେ ସେ ୪/୩୬ର ଆକର୍ଷଣୀୟ ବୋଲିଂ ଚିତ୍ର ପାଇଥିଲେ। ଭାରତ ବିପକ୍ଷ ତଥା ଏସିଆ କପ୍ର ପ୍ରଥମ ମ୍ୟାଚ୍ରୁ ୱାସିମ୍ ବଞ୍ଚିତ ହେଲେ ଏହା ପାକିସ୍ତାନ ପାଇଁ ଶକ୍ତ ଝଟ୍କା ହେବ। ତଥାପି ତାଙ୍କର ଦ୍ରୁତ ସୁସ୍ଥ ଆଶା ବାନ୍ଧିଛି ଦଳ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp