ଆଇପିଏଲ୍‌ ଅଧାରୁ ସ୍ଥଗିତ ପରେ; ବଳକା ମ୍ୟାଚ୍ ପାଇଁ ୟୁକେ, ୟୁଏଇ, ଅଷ୍ଟ୍ରେଲିଆ ବିକଳ୍ପ ହୋଇପାରନ୍ତି

ବିସିସିଆଇର ତିନି ଯୋଜନା

ନୂଆଦିଲ୍ଲୀ, ୬ା୫: କରୋନା ବିଭ୍ରାଟ ପାଇଁ ଅଧାରୁ ସ୍ଥଗିତ ରହିଥିବା ଆଇପିଏଲ୍‌ର ବଳକା ମ୍ୟାଚ୍‌ଗୁଡ଼ିକ ଚଳିତବର୍ଷ ଶେଷ ଭାଗରେ ଆୟୋଜିତ ହୋଇପାରେ। ତେବେ ବାକିଥିବା ଆଉ ୩୧ ମ୍ୟାଚ୍ କିନ୍ତୁ ଭାରତରେ ହେବନି। ବରଂ ଏହାକୁ ଗ୍ରେଟ୍ ବ୍ରିଟେନ୍ (ୟୁକେ), ଅଷ୍ଟ୍ରେଲିଆ କିମ୍ବା ଗତବର୍ଷ ଭଳି ୟୁଏଇରେ ଆୟୋଜିତ କରିବାକୁ ବିସିସିଆଇ ଯୋଜନା କରୁଛି। ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ଭାରତ ପରିବର୍ତ୍ତେ ବିଦେଶରେ କରିବାକୁ ବିସିସିଆଇ, ଆଇପିଏଲ୍ ପରିଚାଳନା ପରିଷଦ, ଫ୍ରାଞ୍ଚାଇଜ ଓ ପ୍ରସାରଣକାରୀ ସଂସ୍ଥା ମଧ୍ୟରେ ସହମତି ହୋଇସାରିଛି। କେବେଳ ଯାହା କେବେ ଓ କେଉଁଠାରେ ଏହାକୁ ଆୟୋଜନ କରାଯିବ ସେ ନିଷ୍ପତ୍ତି ଦେଶ ଓ ଦେଶ ବାହାରର କରୋନା ସ୍ଥିତିକୁ ଜର୍ତମା କରି ନିଆଯିବ। ଏହି ମ୍ୟାଚ୍‌ଗୁଡ଼ିକୁ ଆଇପିଏଲ୍‌-୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ଆଖ୍ୟା ଦିଆଯାଇଛି। ଆଇସିସି ଅନ୍ତର୍ଜାତୀୟ ଖେଳସୂଚୀରେ ଖାଲି ଝରକା ନମିଳିଲେ ମଧ୍ୟ ଏହି ତିନିଟି ଦେଶ ମଧ୍ୟରୁ ଗୋଟିକରେ ଆଇପିଏଲ୍‌-୨୦୨୧ କରିବାକୁ ବିସିସିଆଇ ଏକପ୍ରକାର ନୀତିଗତ ନିଷ୍ପତ୍ତି ନେଇସାରିଛି। ଏଥିଲାଗି କିନ୍ତୁ ଖେଳାଳି, ଅଧିକାରୀ, ଅମ୍ପାୟାର, ପ୍ରସାରଣକାରୀ ସଂସ୍ଥା ତଥା ପଡ଼ିଆ କର୍ମଚାରୀଙ୍କ ଜୈବ ବଳୟକୁ ଆହୁରି କଡ଼ାକଡ଼ି କରାଯିବ। ଭାରତର ସାଂପ୍ରତିକ ସ୍ଥିତିକୁ ବିଚାରକୁ ନେଲେ ବିଦେଶୀ ଖେଳାଳିମାନେ ଭାରତ ଆସିବାର ସମ୍ଭାବନା କମ୍ ଥିବାରୁ ଆଇପିଏଲ୍‌-୨୦୨୧କୁ ପୁଣି ଥ‌ରେ ଘରୋଇ ପରିବେଶରେ କରିବାର ‌ପ୍ରସ୍ତାବକୁ ଏକପ୍ରକାର ଅଗ୍ରାହ୍ୟ କରି ଦିଆଯାଇଛି। ବିସିସିଆଇ ଆଇପିଏଲ୍‌ର ଶେଷ ପର୍ଯ୍ୟାୟକୁ ବିନା ସମସ୍ୟାରେ ‌ଆୟୋଜନ କରିବା ଲାଗି ତିନିଟି ଯୋଜନା ଉପରେ କାମ କରୁଛି।

ବିସିସିଆଇର ତିନି ଯୋଜନା
 ବିସିସିଆଇ ପାଖରେ ଥିବା ତିନିଟି ସମୟଉପଯୋଗୀ ବିକଳ୍ପ ମଧ୍ୟରୁ ପ୍ରଥମଟି ହେଲା ଗତବର୍ଷ ଭଳି ଏବର୍ଷ ମଧ୍ୟ ଆଇପିଏଲ୍‌କୁ ୟୁଏଇ ନେବା। ଏହି ଯୋଜନା ପୂର୍ବରୁ ମଧ୍ୟ ଫଳପ୍ରଦ ହୋଇଛି। ୟୁଏଇରେ ଆଇପିଏଲ୍ ସଫଳତାର ସହ ୨୦୧୪ ଓ ୨୦୨୦ ମସିହାରେ ଆୟୋଜିତ ହୋଇସାରିଛି। ଏଠାକୁ ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସ୍ଥାନାନ୍ତର ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଭାରତର ଇଂଲଣ୍ଡ ଗସ୍ତ ସେପ୍ଟେମ୍ବର ୧୪ରେ ଶେଷ ହେବା ପରେ ଭାରତୀୟ ଖେଳାଳିମାନେ ୟୁଏଇ ଫେରି ସେଠାରେ ଆଇପିଏଲ୍ ଖେଳିପାରିବେ। ୟୁଏଇରେ ଗୋଟିଏ ସପ୍ତାହ ସଙ୍ଗରୋଧରେ ରହିବା ପରେ ଅକ୍ଟୋବର ୨୨ ପୂର୍ବରୁ ବଳକା ୩୧ ମ୍ୟାଚ୍ ଖେଳିପାରିବେ। ସେହିଠାରେ ମଧ୍ୟ ସେମାନେ ବିଶ୍ବକପ୍‌ରେ ଅବତ୍ତୀର୍ଣ୍ଣ ହୋଇପା‌ରିବେ। ଏଥିଲାଗି ଅନ୍ୟ କେଉଁ ଦେଶକୁ ଯାତ୍ରା କରିବାକୁ ପଡ଼ିବ ନାହିଁ।
 ଗ୍ରେଟ୍ ବ୍ରିଟେନ୍‌କୁ ଆଇପିଏଲ୍‌କୁ ନେବା ମଧ୍ୟ ବିସିସିଆଇ ପାଇଁ ଆଉ ଏକ ଭଲ ବିକଳ୍ପ ହୋଇପାରେ। ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ୟୁଏଇକୁ ସ୍ଥାନାନ୍ତର କରି ଆଇପିଏଲ୍‌-୨୦୨୧ ପାର୍ଟ ଟୁ ବ୍ରିଟେନ୍‌ରେ ଆୟୋଜନ କରିବା ଲାଗି ବିସିସିଆଇକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଇଂଲଣ୍ଡରେ ଗ୍ରୀଷ୍ମ ଋତୁର ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ପ୍ରଥମ ଦୁଇ ସପ୍ତାହକୁ ବିସିସିଆଇ ଏଥିଲାଗି ବିନିଯୋଗ କରିପାରିବ। କାରଣ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଫାଇନାଲ୍ ଖେଳିବା ଲାଗି ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ଇଂଲଣ୍ଡ ଯିବାର ଅଛି। ଏହା ପରେ ଭାରତ ସେହିଠାରେ ହିଁ ଇଂଲଣ୍ଡ ବିପକ୍ଷରେ ଏକ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ପ୍ରାରମ୍ଭରେ ଇଂଲଣ୍ଡ ପାଗ ମଧ୍ୟ କ୍ରିକେଟ୍ ପାଇଁ ବେଶ୍ ଅନୁକୂଳ ହୋଇଥାଏ। ବିଦେଶୀ ଖେଳାଳିମାନେ ଇଂଲଣ୍ଡ ଯାଇପାରିବା ସହ ଇଂଲଣ୍ଡ ଖେଳାଳିମାନେ ନିଜ ଦେଶରେ ହିଁ ଆଇପିଏଲ୍ ଖେଳିପାରିବେ। ଏହା ପରେ ନିଜ ନିଜ ଜାତୀୟ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ୟୁଏଇ ଯାଇ ଟ୍ବେଣ୍ଟି-୨୦ ବିଶ୍ବକପ୍ ବି ଖେଳିପାରିବେ।
 ଅନ୍ୟ ଏକ ବିକଳ୍ପ ହେଲା ଆଇପିଏଲ୍‌କୁ ଅଷ୍ଟ୍ରେଲିଆ ନେବା। ହେଲେ ଏହା ସଂପୂର୍ଣ୍ଣ ଭାବେ ଅଷ୍ଟ୍ରେଲିଆ ସରକାରଙ୍କ ଅନୁମତି ଉପରେ ନିର୍ଭରଶୀଳ ରହିବ। କାରଣ ଅଷ୍ଟ୍ରେଲିଆ ସରକାର ଏବେ ଭାରତକୁ ସିଧାସଳଖ ସମସ୍ତ ବିମାନ ଚଳାଚଳକୁ ବାତିଲ କରିଥିବା ବେଳେ ନିକଟରେ ଭାରତ ଆସିଥିବା ନିଜ ଦେଶର ନାଗରିକଙ୍କ ସ୍ବଦେଶ ଫେରିବା ଉପରେ କଟକଣା ଜାରି କରିଛି। ଅନ୍ୟ ଏକ ପ୍ରସ୍ତାବକ୍ରମେ ଭାରତରେ ହେବାକୁ ଥିବା ୨୦୨୧ ବିଶ୍ବକପ୍ ଅଷ୍ଟ୍ରେଲିଆରେ କରି ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାରତରେ କରାଯାଇପାରେ। ଅର୍ଥାତ୍ ଉଭୟ ଆୟୋଜକ ନିଜ ନିଜ ଆୟୋଜନ ଅଧିକାରକୁ ଅଦଳ ବଦଳ କରିପାରିବେ। ସେମିତି ବି ୨୦୨୦ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଷ୍ଟ୍ରେଲିଆରେ ହିଁ ହେବାର ଥିଲା। ଏହା‌ହେଲେ ସେଠାରେ ଭାରତ ଓ ଅନ୍ୟ ଦେଶର ଖେଳାଳିମାନେ ଆଇପିଏଲ୍ ସହ ବିଶ୍ବକପ୍‌ ଖେଳିପାରିବେ।

ସମ୍ବନ୍ଧିତ ଖବର