ମୁମ୍ବାଇ: ଭାରତୀୟ କ୍ରିକେଟ୍ ତାରକା ଋଷଭ ପନ୍ଥଙ୍କ ଦୁର୍ଘଟଣା ପରେ ସାରା ଦେଶରେ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା ଆରମ୍ଭ ହୋଇ ଯାଇଥିଲା। ଦୁର୍ଘଟଣା ପରେ ଋଷଭଙ୍କ ତଥାକଥିତ ପ୍ରେମିକା ଉର୍ବଶୀ ରୌତେଲାଙ୍କ ମାଆ ମୀରା ରୌତେଲା ବି ତାଙ୍କ ସୁସ୍ଥତା କାମନା କରି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ କରିଥିଲେ, ଯାହାକୁ ନେଇ ତାଙ୍କୁ ଟ୍ରୋଲ୍ରଙ୍କ ସାମ୍ନା କରିବାକୁ ପଡ଼ିଥିଲା। ସୋସିଆଲ୍ ମିଡିଆରେ ଋଷଭଙ୍କ ସୁସ୍ଥତା କାମନା କରି ପୋଷ୍ଟ କରିଥିବାରୁ ଉର୍ବଶୀଙ୍କ ମାଆଙ୍କୁ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଟ୍ରୋଲ୍ କରିଥିଲେ।
ଏବେ ଏହାର ପରୋକ୍ଷ ଜବାବ ଦେଇଛନ୍ତି ମୀରା ରୌତେଲା। ସେ କାହାର ନାମ ନନେଇ ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ କରି ଲେଖିଛନ୍ତି, ‘ଯଦି ତୁମକୁ ତୁମ ନିଜର ମୂଲ୍ୟ ଜଣା ପଡ଼ିଯାଏ ତ ଅନ୍ୟର ନିନ୍ଦା କିଛି ପ୍ରଭାବ ପକାଇ ପାରିବନି।’
ଋଷଭଙ୍କ ଦୁର୍ଘଟଣାକୁ ନେଇ ସାରା ଦେଶ ଚିନ୍ତା ପ୍ରକଟ କରିଥିବା ବେଳେ ଉର୍ବଶୀ ରୌତେଲା ବି ସୋସିଆଲ୍ ମିଡିଆ ଜରିଆରେ ସେ ଜଲ୍ଦି ଭଲ ହୁଅନ୍ତୁ ବୋଲି ଲେଖିଥିଲେ।
ଉଲ୍ଲେଖଯୋଗ୍ୟ, ଗତ ୩୦ ତାରିଖରେ ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ଆସୁଥିବା ବେଳେ ସଡ଼କ ଡିଭାଇଡର୍ରେ ଧକ୍କା ଖାଇ କାର୍ରେ ନିଆଁ ଲାଗିଯିବାରୁ ଭାରତୀୟ କ୍ରିକେଟ୍ ଖେଳାଳି ଋଷଭ ପନ୍ତ ଆହତ ହୋଇଥିଲେ। ପନ୍ତ୍ ତାଙ୍କ ମର୍ସିଡିଜ୍ କାର୍ ଚଳାଇ ଆସୁଥିବା ବେଳେ ଉତ୍ତରାଖଣ୍ଡର ରୂଡ଼କୀ ଅନ୍ତର୍ଗତ ନର୍ସାନ୍ ସୀମାନ୍ତ ନିକଟ ହମ୍ମାଦ୍ପୁର ଝାଲ୍ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାପରେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ‘ସକ୍ଷମ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଥିଲା।