ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସ୍ଥଗିତ ହେବା ପରେ, ପ୍ରବୀଣଙ୍କ ଖେଳ ଜୀବନ ଉପରେ ପ୍ରଶ୍ନବାଚୀ

ମହେନ୍ଦ୍ର ସିଂହ ଧୋନି, ଏବି ଡି'ଭିଲିୟର୍ସ

ନୂଆଦିଲ୍ଲୀ,: ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସ୍ଥଗିତ ହୋଇଯାଇଛି। ଗତ ସୋମବାର ଆଇସିସି ଏହି ଘୋଷଣା କରିବା ପରେ ଏହାକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଓ ରହସ୍ୟ ମଧ୍ୟ ଦୂର ହୋଇଛି। ତେବେ ଟ୍ବେଣ୍ଟି-୨୦ ବିଶ୍ବକପ୍ ସ୍ଥଗିତ ହେବା, ନିଜ ଖେଳ ଜୀବନର ସାୟାହ୍ନରେ ଥିବା କିଛି ପୁରୁଖା ଖେଳାଳିଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ମହେନ୍ଦ୍ର ସିଂହ ଧୋନି, କ୍ରିସ୍ ଗେଲ୍, ଏବି ଡି’ଭିଲିୟର୍ସ, ଡ୍ବେନ୍ ବ୍ରାଭୋ, ଲସିଥ ମାଲିଙ୍ଗା ଓ ଡେଲ୍ ଷ୍ଟେନ୍‌ଙ୍କ ଭଳି ଖେଳାଳି ନିଜ ନିଜ ଯୋଜନାକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ବିଶ୍ବକପ୍ ସ୍ଥଗିତ ହେବା ପରେ ଏହି କିବଂଦନ୍ତି ଖେଳାଳିଙ୍କ ଭବିଷ୍ୟତ ନେଇ ଏବେ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି। ସେମାନଙ୍କ ଖେଳ ଜୀବନ ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମହେନ୍ଦ୍ର ସିଂହ ଧୋନି
ଗତ ଏକ ବର୍ଷ ଧରି ଧୋନି କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ତାଙ୍କ ଭିବଷ୍ୟତକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ପଦାକୁ ଆସିନି। ଭାରତର ୨୦୧୯ ବିଶ୍ବକପ୍ ସେମିଫାଇନାଲ୍ ବିଦାୟ ପରେ ଧୋନି ଆପାତତଃ ସ୍ବଘୋଷିତ ବନବାସକୁ ଚାଲି ଯାଇଛନ୍ତି। ଆଇପିଏଲ୍ ଖେଳି ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଦାବିଦାରି ଉପସ୍ଥାପନା କରିବାକୁ ଲକ୍ଷ୍ୟ ରଖିଥିବା ଧୋନି ଏଥିଲାଗି ଚେନ୍ନାଇରେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ। ହେଲେ କରୋନା ମହାମାରୀ ସଙ୍କଟ ପାଇଁ ସବୁ କିଛି ଠପ୍ ହୋଇଯିବା ପରେ ତାଙ୍କର ଏହି ଯୋଜନା ଫସର ଫାଟି ଯାଇଥିଲା। ମାର୍ଚ-ମେ’ରୁ ସ୍ଥଗିତ ହୋଇଥିବା ଆଇପିଏଲ୍ ଅକ୍ଟୋବର-ନଭେମ୍ବରରେ ୟୁଏଇରେ ହେବ ବୋଲି ବିସିସିଆଇ ସଙ୍କେତ ଦେଇଛି। ଯାହା ଧୋନିଙ୍କ ପାଇଁ ଆଶାର ଆଲୋକ ହୋଇଛି। ଆଇପିଏଲ୍ ଆୟୋଜନ ହେଲେ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପରବର୍ତ୍ତୀ ସଂସ୍କରଣ ଲାଗି ତାଙ୍କୁ ଆହୁରି ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେବେ ଧୋନି କିଛି ବି କରିପାରନ୍ତି। କିଏ ଜାଣିଛି, ସେ ହୁଏତ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଦେଖିବାକୁ ମିଳିପାରନ୍ତି। ହେଲେ ବଢ଼ି ଚାଲିଥିବା ବୟସ ଓ ଯୁବ ଖେଳାଳିଙ୍କ ଚାପ ପାଇଁ ଏହା ସମ୍ଭବତଃ ତାଙ୍କ ପାଇଁ ସେତେଟା ସହଜ ହୋଇନପାରେ।

ଲସିଥ ମାଲିଙ୍ଗା
ବିଶ୍ବର ଏକମାତ୍ର ବୋଲର ଭାବେ ଲସିଥ ମାଲିଙ୍ଗା ଦିନିକିଆରେ ତିନିଟି ଏବଂ ଟ୍ବେଣ୍ଟି-୨୦ରେ ଦୁଇଟି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଗତ ସେପ୍ଟେମ୍ବରରେ ହିଁ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାରିଟି ବଲ୍‌ରେ ଚାରିଟି ୱିକେଟ୍ କରାୟତ୍ତ କରିଥିଲେ। ୨୦୧୯ ବିଶ୍ବକପ୍‌ର କିଛି ଦିନ ପରେ ଦିନିକିଆରୁ ଅବସର ନେବେ ବୋଲି ନିଷ୍ପତ୍ତି ନେବା ପରେ ଚଳିତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ କ୍ରିକେଟ୍ ଛାଡ଼ିବେ ବୋଲି ମାଲିଙ୍ଗା କହିଥିଲେ। ହେଲେ ପରେ ନିଜ ନିଷ୍ପତ୍ତି ବଦଳାଇ ଆଉ ଦୁଇ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ପାରିବେ ବୋଲି ମତ ଦେଇଥିଲେ। ହେଲେ ଚଳିତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ଆସନ୍ତାବର୍ଷକୁ ଯିବା ଏବଂ ତା’ ପରବର୍ଷ ଆଉ ଏକ ବିଶ୍ବକପ୍ ଖେଳାଯିବା ମାଲିଙ୍ଗାଙ୍କୁ ଅଡ଼ୁଆରେ ପକାଇପାରେ। ଏହା ଛଡ଼ା ୨୦୨୩ରେ ମଧ୍ୟ ଦିନିକିଆ ବିଶ୍ବକପ୍‌ର ପରବର୍ତ୍ତୀ ସଂସ୍କରଣ ଖେଳାଯିବ। ଏଣୁ ୨୦୨୧, ୨୨ ଓ ୨୩ରେ ତିନିଟି ବିଶ୍ବକପ୍ ଖେଳିବା ଲାଗି ମାଲିଙ୍ଗାଙ୍କୁ ପୂରା ଫିଟ୍ ରହିବାକୁ ହେବ। ଯାହା ତାଙ୍କ ପାଇଁ ଆଦୌ ସହଜ ହେବନି। ତେବେ ଆଇପିଏଲ୍‌ରେ ମାର୍ଗଦର୍ଶକ ଦାୟିତ୍ବ ତୁଲାଇବାର ଠିକ୍ ପରବର୍ଷ ସେ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ବି‌ଜେତା କରିଥି‌ଲେ। ଏଣୁ ସେ କିଛି ବି କରିପାରନ୍ତି।

Deccan Herald

କ୍ରିସ୍ ଗେଲ୍
‘ୟୁନିଭର୍ସାଲ ବସ୍’ ଭାବେ ପରିଚିତ ୪୦ ବର୍ଷୀୟ ଗେଲ୍ ୨୦୧୯ ବିଶ୍ବକପ୍ ପରେ ଅବସର ଘୋଷଣା କରିବେ ବୋଲି ଗତ ଫେବ୍ରୁଆରିରେ କହିଥିଲେ। ତେବେ ବିଶ୍ବକପ୍ ଭିତରେ ନିଜ ନିଷ୍ପତ୍ତି ବଦଳାଇ ଦେଇଥିଲେ। ଏପରିକି ଏହା ପରେ ଭାରତ ବିପକ୍ଷ ଘରୋଇ ଶୃଙ୍ଖଳା ଖେଳିଥିଲେ। ସେ ୪୫ ବର୍ଷ ପର୍ଯ୍ୟନ୍ତ ଖେଳିବାକୁ ଚାହାଁନ୍ତି ବୋଲି କହି ଗେଲ୍ ଏକଦା ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏହା ହୁଏତ ଟିକିଏ ବେଶି ଜଣାପଡ଼ୁଥାଏ, ହେଲେ ଗେଲ୍ ଆଉ ଗୋଟିଏ ବର୍ଷ ପାଇଁ ଖେଳି ପାରିବେ ନାହିଁ, ତାହା ମଧ୍ୟ କହିହେବନି। ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ବର୍ଷ ସାରା ଆଇପିଏଲ୍, ସିପିଏଲ୍, ପିଏସଏଲ୍, ଆବୁଧାବି ଟି-୧୦ ଭଳି ଲିଗ୍ ଖେଳୁଛନ୍ତି। ଏଣୁ ‌ୱେଷ୍ଟଇଣ୍ଡିଜ୍‌ର ୨୦୨୧ ଟ୍ବେଣ୍ଟି-୨୦ ଦଳରେ ସେ ସ୍ଥାନ ପାଇଲେ ବିସ୍ମିତ ହେବାର କିଛି ନାହିଁ।

ଏବି ଡି’ଭିଲିୟର୍ସ
‘ମିଷ୍ଟର ଥ୍ରି ସିକ୍ସଷ୍ଟି’ ଭାବେ ପରିଚିତ ଦକ୍ଷିଣ ଆଫ୍ରିକୀୟ ତାରକା ଏବି ଡି’ଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରି ସାରିଛନ୍ତି। ତେବେ ସେ ତାଙ୍କ ନିଷ୍ପତ୍ତି ବଦଳାଇ ଚଳିତ ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବେ ବୋଲି ଦକ୍ଷିଣ ଆଫ୍ରିକାର ସୀମିତ ଓଭର ଅଧିନାୟକ କ୍ବିଣ୍ଟନ୍ ଡି’କକ୍ କିଛି ମାସ ତଳେ କହିଥିଲେ। ଡି’ଭିଲିୟର୍ସ ୨୦୧୯ ଦିନିକିଆ ବିଶ୍ବକପ୍ ଖେଳିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ। ତେବେ କେତେକ କାରଣ ପାଇଁ ଏହା ସମ୍ଭବ ହୋଇ ପାରିନଥିଲା। ଦକ୍ଷିଣ ଆଫ୍ରିକାରେ ସଂପ୍ରତି ଚାଲିଥିବା ସୋଲିଡାରିଟି କପ୍‌ରେ କିନ୍ତୁ ଡି’ଭିଲିୟର୍ସ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଯଦି ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳା ଯାଇଥା’ନ୍ତା, ତାହାଲେ ସେ ନିଶ୍ଚିତ ଭାବେ ଦକ୍ଷିଣ ଆଫ୍ରିକା ଦଳରେ ସ୍ଥାନ ପାଇଥା‌’ନ୍ତେ। ହେଲେ ବିଶ୍ବକପ୍ ଆସନ୍ତାବର୍ଷକୁ ସ୍ଥଗିତ ହେବା ପରେ ଡି’ଭିଲିୟର୍ସଙ୍କ ଅନ୍ତର୍ଜାତୀୟ ପ୍ରତ୍ୟାବର୍ତ୍ତନ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଡେଲ୍ ଷ୍ଟେନ୍
ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ଆସନ୍ତାବର୍ଷର ବିଶ୍ବକପ୍ ଖେଳିଲେ ଏହା କୌଣସି ଚମତ୍କାରଠାରୁ କମ୍ ହେବନି। ଆଘାତ ପ୍ରବଣ ଶରୀର ତଥା ଅଭ୍ୟାସର ଅଭାବ, ଷ୍ଟେନ୍‌ଙ୍କ ପାଇଁ ଦୁଇଟି ବଡ଼ ପ୍ରତିବନ୍ଧକ ହୋଇପାରେ। ଦିନିକିଆ ଏବଂ ଟ୍ବେଣ୍ଟି-୨୦ରେ ମନୋନିବେଶ କରିବା ଲାଗି ଷ୍ଟେନ୍ ଗତ ଅଗଷ୍ଟରେ ଟେଷ୍ଟ୍ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ତେବେ ମା‌ର୍ଚ ୨୦୧୯ରୁ ଆଜି ପର୍ଯ୍ୟନ୍ତ, ସେ ମାତ୍ର ତିନିଟି ମ୍ୟାଚ୍ ଖେଳିପାରିଛନ୍ତି। ସେଥିମଧ୍ୟରୁ ଦୁଇଟି ଇଂଲଣ୍ଡ ବିପକ୍ଷରେ ହୋଇଥିଲା ବେଳେ ଅନ୍ୟଟି ହେଉଛି ଅଷ୍ଟ୍ରେଲିଆ ବିପକ୍ଷରେ। ଏହି ତିନି ମ୍ୟାଚ୍‌ରୁ ସେ ମାତ୍ର ତିନିଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଘାତ ଜନିତ ସମସ୍ୟା ପାଇଁ ଷ୍ଟେନ୍ ମଧ୍ୟ ଘରୋଇ ଟ୍ବେଣ୍ଟି-୨୦ ଲିଗ୍‌ରୁ ଦୂରେଇ ରୁହନ୍ତି। ଏଣୁ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସେ ଖେଳିବା ନେଇ ଯଥେଷ୍ଟ ଆଶଙ୍କା ରହିଛି।

ଡ୍ବେନ୍ ବ୍ରାଭୋ
ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡ୍ବେନ୍ ବ୍ରାଭୋ ୨୦୧୮ ମସିହାରେ ଅବସର ଘୋଷଣା କରିଥିଲେ। ତେବେ ଟ୍ବେଣ୍ଟି-୨୦ ବିଶ୍ବକପ୍ (୨୦୨୦) ଖେଳିବା ଲାଗି ମାତ୍ର ବର୍ଷକ ପରେ ନିଜ ନିଷ୍ପତ୍ତି ବଦଳାଇ ଦେଇଥିଲେ। ପ୍ରସ୍ତୁତି କରିବା ଲାଗି ଚଳିତ ବର୍ଷ ପ୍ରାରମ୍ଭରେ ଇଣ୍ଡିଜ୍ ପକ୍ଷରୁ ବ୍ରାଭୋ ପାଞ୍ଚଟି ଟ୍ବେଣ୍ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଥିଲେ। ଜାନୁଆରିରେ ଆୟର୍ଲାଣ୍ଡ ବିପକ୍ଷରେ ତିନିଟି ଟ୍ବେଣ୍ଟି-୨୦ ଖେଳିବା ପରେ ମାର୍ଚରେ ଶ୍ରୀଲଙ୍କା‌ ବିପକ୍ଷରେ ଦୁଇଟି ଟ୍ବେଣ୍ଟି-୨୦ ଖେଳିଥିଲେ। ତେବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପରବର୍ତ୍ତୀ ସଂସ୍କରଣ ଖେଳା ଯିବା ବେଳକୁ ତାଙ୍କୁ ୩୭ ବର୍ଷ ହୋଇଥିବ। ଅବଶ୍ୟ ବ୍ରାଭୋଙ୍କ ଟ୍ବେଣ୍ଟି-୨୦ ସଫଳତା ଦୃଷ୍ଟିରୁ ଗେଲ୍‌ଙ୍କ ଭଳି ବ୍ରାଭୋ ମଧ୍ୟ ଇଣ୍ଡିଜ୍ ଦଳରେ ସ୍ଥାନ ପାଇବାର ଦାବିଦାର ହେବେ। ଗେଲ୍‌ଙ୍କ ଭଳି ବ୍ରାଭୋ ମଧ୍ୟ ବିଶ୍ବର ଅନେକ ଲୋକପ୍ରିୟ ‌ଟି-୨୦ ଲିଗ୍ ଖେଳନ୍ତି। କେବଳ ଯାହା ତାଙ୍କୁ ୨୦୨୧ ଅକ୍ଟୋବର-ନଭେମ୍ବର ପର୍ଯ୍ୟନ୍ତ ନିଜକୁ ଫିଟ୍ ରଖିବାକୁ ହେବ।

ସମ୍ବନ୍ଧିତ ଖବର