ଆତଙ୍କ ସତ୍ତ୍ବେ ଅଲିମ୍ପିକ ମଶାଲ ଦେଖିଲେ ୫୦ ହଜାର

ଟୋକିଓ: କରୋନା ଭୂତାଣୁ ମହାମାରୀର ରୁପ ନେବା ସତ୍ତ୍ବେ ଜାପାନର ଉତ୍ତରପୂର୍ବ ଅଞ୍ଚଳରେ ଅଲିମ୍ପିକ୍ସ ମଶାଲକୁ ଦେଖିବା ପାଇଁ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଯଦିଓ କରୋନା ଯୋଗୁଁ ଟୋକିଓ ଅଲିମ୍ପିକ୍ସ ଧାର୍ଯ୍ୟ ସମୟରେ ଆୟୋଜନ ହେବାକୁ ନେଇ ଆଶଙ୍କା ରହିଛି, ତଥାପି ଜାପାନରେ ମଶାଲ ପହଞ୍ଚିବା ପରେ ଏହାର ପରିକ୍ରମାକୁ ଏଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ଶନିବାର ମିୟାଗିସ୍ଥିତ ସେନଦାଇ ଷ୍ଟେସନ୍‌ଠାରେ ଏହି ମଶାଲ ଦେଖିବା ପାଇଁ ୫୦ ହଜାରରୁ ଅଧିକ ଲୋକେ ଧାଡ଼ି ଲମ୍ବାଇଥିବା ଦେଖାଯାଇଥିଲା। ଏପରିକି ‌ଅଧିକାଂଶ ଲୋକ କିଛି ଘଣ୍ଟା ଧରି ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଧାଡ଼ିରେ ଠିଆ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକା˚ଶ ମାସ୍କ ଲଗାଇ ମଶାଲ ସହ ଫଟୋ ଉଠାଇଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଜଣେ ୭୦ ବର୍ଷ ବୟସ୍କ କହିଛନ୍ତି, ମୁଁ ୩ ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇଥିଲେ ମଧ୍ୟ ଅଲିମ୍ପିକ୍‌ ମଶାଲ ଦେଖିବା ମୋ‌ତେ ଖୁବ୍‌ ଉତ୍ସାହିତ କରିଛି। ତେବେ ଭିଡ଼ ଅଧିକ ହେଲେ ମଶାଲ ପରିକ୍ରମା କାର୍ଯ୍ୟକ୍ରମକୁ ବାତିଲ କରାଯିବାକୁ ପୂର୍ବରୁ ଚେତାବନୀ ଦିଆଯାଇଥିବା ଆୟୋଜକଙ୍କ ସୂତ୍ରରୁ କୁହାଯାଇଛି। ମାର୍ଚ୍ଚ ୨୬ ତାରିଖରୁ ଫୁକୁସିମାସ୍ଥିତ ଜେ ଭିଲେଜ ସ୍ପୋର୍ଟ୍ସ କମ୍ପ୍ଲେକ୍ସରୁ ଦେଶବ୍ୟାପୀ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା। କିନ୍ତୁ ଜନଗହଳି ଅଧିକ ହେବା ଆଶଙ୍କା କରି ମଶାଲ ଯାତ୍ରା କରିବାକୁ ଥିବା ରାସ୍ତାରେ ଦୈନିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର