ପରାଜୟ ସହ ଭାରତର ଅଷ୍ଟ୍ରେଲିଆ ଗସ୍ତ ଶେଷ

ପର୍ଥ: ବିଶ୍ବ ମାନ୍ୟତାର ପଞ୍ଚମ ଭାରତୀୟ ପୁରୁଷ ହକି ଦଳ ପରାଜୟ ସହ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଛି। ଶୁକ୍ରବାର ଶେଷ ମ୍ୟାଚ୍‌ରେ ଏହି ଦଳ ୨-୫ରେ ଅଷ୍ଟ୍ରେଲିଆଠୁ ହାରିଯାଇଛି। ଗସ୍ତର ପ୍ରଥମ ତିନି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସକୁ ୨-୦, ଅଷ୍ଟ୍ରେଲିଆ-ଏ’କୁ ୩-୦ରେ ହରାଇଥିଲା ବେଳେ ଅଷ୍ଟ୍ରେଲିଆ-ଏ’ ବିପକ୍ଷ ଅନ୍ୟ ଏକ ମ୍ୟାଚ୍‌କୁ ୧-୧ ଅମୀମାଂସିତ ରଖି ଅପରାଜେୟ ଥିଲା। ଏହାପରେ ଅଷ୍ଟ୍ରେଲିଆର ମୁଖ୍ୟ ଦଳକୁ ଭେଟିଥିଲା ଭାରତ। ବୁଧବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ହିଁ ଭାରତ ୦-୪ରେ ପରାଜୟ ବରଣ କରିଥିଲା ବେଳେ ଶୁକ୍ରବାର ‌ଶେଷ ମ୍ୟାଚ୍‌କୁ ୨-୫ରେ ହାରି ଦୁଃଖଦ ବିଦାୟ ନେଇଥିଲା।
ବିଶ୍ବର ଦୁଇ ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଶୁକ୍ରବାର ଭାରତକୁ କୌଣସି ସୁଯୋଗ ଦେଇନଥିଲା। ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ପ୍ଲିନ୍‌ ଓଗିଲଭିଏ ଗୋଲ୍‌ ଦେଇ ଅଷ୍ଟ୍ରେଲିଆକୁ ଆଗୁଆ କରିଥିଲେ। ଏହାପରେ ପରେ ଟ୍ରେଣ୍ଟ୍‌ ମିଟନ୍‌ (୧୧ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଅଷ୍ଟ୍ରେଲିଆ ୨-୦ ଆଗ୍ରଣୀ ନେଇଥିଲା। ‌ହେଲେ ‌ଦ୍ବାଦଶ ମିନିଟ୍‌ରେ ନୀଳକଣ୍ଠ ‌ଶର୍ମା ଗୋଟିଏ ଗୋଲ୍‌ ଶୁଝି ସ୍ଥିତି ୧-୨କୁ ଆଣିଥିଲେ। ମିଟନ୍‌ (୨୪ ମିନିଟ୍‌) ବ୍ୟକ୍ତିଗତ ଭାବେ ଦ୍ବିତୀୟ ଏବଂ ଦଳ ପାଇଁ ତୃତୀୟ ଗୋଲ୍‌ ଦେଇଥିଲେ। ଏହାର ୪ ମିନିଟ୍ ପରେ ବ୍ଲାକ୍‌ ଗୋଭର୍ସ (୨୮ ମିନିଟ୍‌) ଗୋଲ୍‌ ଦେଇ ପ୍ରଥମାର୍ଧରେ ଅଷ୍ଟ୍ରେଲିଆକୁ ୪-୧ ଅଗ୍ରଣୀ ଦେଇଥିଲେ। ତୃତୀୟ କ୍ବାର୍ଟର୍‌ରେ ଟିମ୍‌ ବ୍ରାଣ୍ଡ୍‌ (୪୩ ମିନିଟ୍‌) ଗ‌ୋଲ୍‌ ଦେଇ ସ୍ଥିତି ୫-୧ କରିଥିଲେ। ‌୫୩ ମିନିଟ୍‌ରେ ଭାରତ ପକ୍ଷରୁ ରୂପୀନ୍ଦର ପାଲ ସିଂହ ଆଉ ଏକ ଗୋଲ୍‌ ଶୁଝି ପରାଜୟ ବ୍ୟାଧାନକୁ ଟିକେ କମାଇଥିଲେ।

ସମ୍ବନ୍ଧିତ ଖବର