ମାଞ୍ଚେଷ୍ଟର ଛାଡ଼ିବା ପରେ ରୋନାଲ୍ଡୋ ହରାଇବେ ଦେଢ଼ କୋଟି ପାଉଣ୍ଡ

ନୂଆ କ୍ଲବ୍‌ ଦୌଡ଼ରେ ନିଉକାଷ୍ଟଲ୍‌, ଚେଲସି, ରିଅଲ ମାଦ୍ରିଦ୍‌

ମାଞ୍ଚେଷ୍ଟର: ପର୍ତ୍ତୁଗାଲ୍‌ ଫରୱାର୍ଡ କ୍ରିଷ୍ଟଆନୋ ରୋନାଲ୍ଡୋଙ୍କ ସହ ମାଞ୍ଚେଷ୍ଟର ୟୁନାଇଟେଡ୍‌ ସଂପର୍କ ଛିନ୍ନ କରିବା ପରେ ଏବେ ସେ କେଉଁ ଦଳକୁ ଯିବେ ତାହାକୁ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ତଥାପି ଏକ ସୂଚନା ଅନୁଯାୟୀ ନିଉକାଷ୍ଟଲ୍‌ ରୋନାଲ୍ଡୋଙ୍କୁ ନେବା ପାଇଁ ଯୋଜନା କରୁଛି। ସାଉଦି ଆରବ ପାଣ୍ଠି ସହାୟତାରେ ପରିଚାଳିତ ହେଉଥିବା ନିଉକାଷ୍ଟଲ୍‌ ଯଦିଓ କୌଣସି ପ୍ରତିକ୍ରିୟା ରଖିନାହିଁ, କିନ୍ତୁ ଏହି କ୍ଲବ୍‌ ହିଁ ରୋନାଲ୍ଡୋଙ୍କ ନୂଆ କ୍ଲବ୍‌ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଆଉ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରୋନାଲ୍ଡୋଙ୍କ ପ୍ରତିନିଧି ଚେଲସି ସହିତ ଆଲୋଚନା କରୁଛନ୍ତି। ଏଜେଣ୍ଟ ଜର୍ଜ ମେଣ୍ଡେସ୍‌ ଚେଲସି ମାଲିକା ଟୋଡ୍‌ ବୋଇଲିଙ୍କ ସହିତ ପୂର୍ବରୁ ସାକ୍ଷାତ କରିଛନ୍ତି। କିନ୍ତୁ ଏହି ଦଳର ମ୍ୟାନେଜର ଥୋମାସ ଟଚେଲ୍‌ ଏହି ଡିଲ୍‌କୁ ମନା କରିଦେଇଥିଲେ। ଏହାପରଠୁ ଥୋମାସ୍‌ଙ୍କୁ ହଟାଯାଇ ଗ୍ରାହମ୍‌ ପୋଟରଙ୍କୁ ନୂଆ ଦାୟିତ୍ବ ଦିଆଯାଇଥିଲା।

ସେହିପରି ସାଉଦି ଆରବର ଏକ କ୍ଲବ୍‌ ରୋନାଲ୍ଡୋଙ୍କ ପାଇଁ ଆଗ୍ରହ ଦେଖାଇ ସପ୍ତାହକୁ ୨ ମିଲିଅନ୍‌ ପାଉଣ୍ଡ ଦେବାକୁ ପ୍ରସ୍ତାବ ଦେଇଥିଲା। ଅନ୍ୟ ଏକ ସୂଚନାକ୍ରମେ, ଫ୍ରାନ୍ସ ଷ୍ଟ୍ରାଇକର କରିମ୍‌ ବେଞ୍ଜେମା ରିଅଲ୍‌ ମାଦ୍ରିଦ୍‌ ଛାଡ଼ି ଚେଲସି ସହିତ ସାମିଲ ହେବାକୁ ଯାଉଛନ୍ତି। ତେଣୁ ରିଅଲ୍‌ ମାଦ୍ରିଦ୍‌ରେ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ରୋନାଲ୍ଡୋଙ୍କୁ ଏହି କ୍ଲବ୍‌ ପ୍ରସ୍ତାବ ଦେବାକୁ ଚିନ୍ତା କରୁଛି। ଲା’ ଲିଗାରେ ବାର୍ସେଲୋନା ପଛକୁ ରିଅଲ୍‌ ମାଦ୍ରିଦ୍‌ ୨ ପଏଣ୍ଟ ପଛରେ ରହିଛି। ଯଦି ବେଞ୍ଜେମା ନଖେଳନ୍ତି, ତାହେଲେ ଦଳକୁ ଶୀର୍ଷରେ ପହଞ୍ଚିବା କଷ୍ଟକର ହୋଇପାରେ। ତେଣୁ ଏହି କ୍ଲବ୍‌ ରୋନାଲ୍ଡୋଙ୍କ ସହାୟତା‌ ନେଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ମାଞ୍ଚେଷ୍ଟର ୟୁନାଇଟେଡ୍‌ ଛାଡ଼ିବା ପରେ ରୋନାଲ୍ଡୋ ପାଖାପାଖି ଦେଢ କୋଟି ପାଉଣ୍ଡ ହରାଇଛନ୍ତି। କ୍ଲବ୍‌ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ, ତାଙ୍କୁ ସପ୍ତାହକୁ ୫ ଲକ୍ଷ ପାଉଣ୍ଡ ପାଉଣା ଦିଆଯିବାକୁ ଡିଲ୍‌ ହୋଇଥିଲା। କିନ୍ତୁ ଚୁକ୍ତି ଅବଧି ଶେଷ ହେବାକୁ ଆହୁରି ୭ ମାସ ପୂର୍ବରୁ ତାଙ୍କୁ କ୍ଲବ୍‌ଠୁ ଅଲଗା କରିଦିଆଯାଇଛି।

ସମ୍ବନ୍ଧିତ ଖବର