ନୂଆଦିଲ୍ଲୀ: ଆଇପିଏଲ (ଇଣ୍ଡିଆନ୍ ପ୍ରିମିଅର ଲିଗ୍)ର ୧୫ତମ ସିଜିନରେ ୧୦ଟି ଦଳ ଭାଗ ନେବାକୁ ଯାଉଛନ୍ତି। ଗତ କିଛି ବର୍ଷ ହେଲା ୮ଟି ଦଳ ଭାଗ ନେଉଥିଲେ। କିନ୍ତୁ ୨୦୨୨ ଆଇପିଏଲ ପାଇଁ ଆଉ ୨ଟି ଦଳକୁ ମିଶା ଯାଇଛି। ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହେଉଛି ଲକ୍ଷ୍ନୌ ଓ ଅନ୍ୟଟି ହେଉଛି ଅହମଦାବାଦ। ଲକ୍ଷ୍ନୌ ପୂର୍ବରୁ ଆଇପିଏଲ ଦଳର ନାଁ ଲକ୍ଷ୍ନୌ ସୁପର ଜିଆଣ୍ଟ୍ ଦେଇସାରିଥିବା ବେଳେ ଏବେ ଅହମଦାବାଦର ଆଇପିଏଲ ଦଳର ନାରଁ ସାମ୍ନାକୁ ଆସିଛି।

Advertisment

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଅହମ୍ମଦାବାଦ ଦଳର ନାଁ ଅହମଦାବାଦ ଟାଇଟାନ୍ସ ରଖାଯାଇଛି । ଅହମଦାବାଦ ଟାଇଟାନ୍ସକୁ ସିଭିସି କ୍ୟାପିଟାଲ୍ସ କିଣିଥିବା ବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟକୁ ସଞ୍ଜୀବ ଗୋଏଙ୍କା କିଣିଛନ୍ତି। ସୂଚନା ଅନୁସାରେ ଲକ୍ଷ୍ନୌ ଦଳ ନିଜ ନାଁ ରଖିବା ପାଇଁ ପ୍ରଶଂସକମାନଙ୍କୁ ପ୍ରସ୍ତାବ ଦେବା ପାଇଁ କହିଥିଲା। ଅନ୍ୟପକ୍ଷରେ ଅହମଦାବାଦ ନିଜ ନାଁ ରଖିବା ପାଇଁ ଏକ କମ୍ପାନିର ସାହାଯ୍ୟ ଲୋଡିଥିଲା।

୨୦୨୨ ଆଇପିଏଲରେ ଏହି ୨ଟି ଦଳକୁ ମିଶାଇ ମୋଟ ୧୦ଟି ଦଳ ଖେଳିବେ। ସେଗୁଡ଼ିକ ହେଲା ଚେନ୍ନାଇ ସୁପର କିଙ୍ଗ୍ସ୍, ମୁମ୍ବାଇ ଇଣ୍ଡିଆନ୍ସ, କୋଲକତା ନାଇଟ୍ ରାଇଡର୍ସ୍, ରାଜସ୍ଥାନ ରୟାଲ୍ସ୍, ସନରାଇଜର୍ସ୍ ହାଇଦ୍ରାବାଦ, ପଞ୍ଜାବ କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ୍, ରୟାଲ୍ ଚ୍ୟାଲେଞ୍ଜର୍ସ୍ ବାଙ୍ଗାଲୋର୍, ଲକ୍ଷ୍ନୌ ସୁପର ଜିଆଣ୍ଟ ଓ ଅହମଦାବାଦ ଟାଇଟାନ୍ସ। ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ଥର ଆଇପିଏଲ୍ ଜିତିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ୍ ଦ୍ଵିତୀୟ ସର୍ବାଧିକ ୪ଥର ଆଇପିଏଲ୍ ଜିତିଛି।