ପୁରୁଷଙ୍କ ପରେ ନ୍ୟୁଜିଲାଣ୍ଡ୍‌ରେ ମହିଳା ଜିତିଲେ ଶୃଙ୍ଖଳା

ମାଉଣ୍ଟ୍ ମୌଙ୍ଗାନୁଇ: ଭାରତୀୟ ପୁରୁଷ ଦଳ ସହ ତାଳ ଦେଇ ମହିଳା ଦଳ ମଧ୍ୟ ନ୍ୟୁଜିଲାଣ୍ଡ୍ ମାଟିରେ ଦିନିକିଆ ଶୃଙ୍ଖଳାକୁ ଆଗୁଆ ଜିତି ନେଇଛି। ସ୍ମୃତି ମନ୍ଧାନାଙ୍କ ଆଉ ଏକ ବଡ଼ ପାଳି ବଳରେ ଭାରତ ମଙ୍ଗଳବାର ୮ ୱିକେଟ୍‌ରେ ନ୍ୟୁଜିଲାଣ୍ଡ୍‌କୁ ହରାଇ ୩ ମ୍ୟାଚ୍ ଶୃଙ୍ଖଳାରେ ୨-୦ରେ ଅପରାଜେୟ ଅଗ୍ରଣୀ ନେଇଛି। ପୂର୍ବରୁ ଜାନୁଆରି ୨୪ ତାରିଖରେ ଭାରତ ପ୍ରଥମ ଦିନିକିଆରେ ୯ ୱିକେଟ୍‌ରେ ବିଜୟୀ ହୋଇଥିଲା। ମଙ୍ଗଳବାରର ବିଜୟ ସହିତ ଭାରତ ମଧ୍ୟ ଆଇସିସି ବିଶ୍ବ ମହିଳା ପ୍ରତିଯୋଗିତା ପଏଣ୍ଟ ଟେବୁଲ୍‌ରେ ଦୁଇଟି ସ୍ଥାନ ଲମ୍ଫ ମାରି ଦ୍ବିତୀୟକୁ ଉନ୍ନୀତ ହୋଇଛି। ଅଷ୍ଟ୍ରେଲିଆ ୯ ମ୍ୟାଚ୍‌ରୁ ୮ ବିଜୟ ସହିତ ୧୬ ପଏଣ୍ଟ୍‌ ପାଇ ଶୀର୍ଷରେ ରହିଛି। ଭାରତ ୧୧ ମ୍ୟାଚ୍‌ରୁ ୬ ବିଜୟ ହାସଲ କରି ସମାନ ସଫଳତା ପାଇଥିବା ନ୍ୟୁଜିଲାଣ୍ଡ୍‌କୁ ନେଟ୍ ରନ୍‌ ରେଟ୍‌ (ଏନ୍‌ଆର୍‌ଆର୍‌)ରେ ପଛରେ ପକାଇଛି। ଇଂଲଣ୍ଡ ୯ ମ୍ୟାଚ୍‌ରୁ ୫ ବିଜୟ ସହ ଚତୁର୍ଥରେ ରହିଛି।
ମଙ୍ଗଳବାର ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଭାରତର ପେସ୍‌ ଓ ସ୍ପିନ୍ ଆକ୍ରମଣରେ ଘରୋଇ ଖେଳାଳିମାନେ ନୟାନ୍ତ ହୋଇଯାଇଥିଲେ। ଅଧିନାୟିକା ଆମି ସାଥରୱେଟ୍‌ (୭୧, ୮୭ ବଲ୍‌, ୯ ଚୌକା) ଏକା ଲଢ଼ିଥିବା ବେଳେ ଅନ୍ୟ କେହି ୨୧ ଟପି ପାରିନଥିଲେ। ପ୍ରଥମ ୫ ଜଣଙ୍କ ମଧ୍ୟରୁ ୩ ଜଣ ଏକ ଅଙ୍କରେ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଝୁଲଣ ଗୋସ୍ବାମୀ (୮.୨-୨-୨୩-୩) ମାରାତ୍ମକ ବୋଲିଂ କରିଥିବା ବେଳେ ୩ ସ୍ପିନର୍‌ ଏକତା ବିସ୍ତ୍‌, ଦୀପ୍ତି ଶର୍ମା ଏବଂ ପୁନମ ଯାଦବ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ନ୍ୟୁଜିଲାଣ୍ଡ୍‌ ୪୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା। ଜବାବରେ ଜେମିମା ରଡ୍ରିଗ୍ବେଜ ଖାତା ଖୋଲିବା ପୂର୍ବରୁ ଏବଂ ଦୀପ୍ତି ଶର୍ମା ୮ ରନ୍‌ରେ ଆଉଟ୍ ହୋଇଯିବାରୁ ଭାରତ ପ୍ରାରମ୍ଭିକ ସଙ୍କଟରେ ପଡ଼ିଥିଲା। କିନ୍ତୁ ଏହି ସମୟରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର୍‌ ସ୍ମୃତି ମନ୍ଧାନା (୯୦*, ୮୩ ବଲ, ୧୩ ଚୌକା, ୧ ଛକା) ଏବଂ ଅଧିନାୟିକା ମିତାଲି ରାଜ (୬୩*, ୧୧୧ ବଲ, ୪‌ ଚୌକା, ୨ ଛକା)ର ଅତୁଟ ତୃତୀୟ ୱିକେଟ୍‌ ପାଇଁ ୧୫୧ ରନ୍ ଯୋଡ଼ି ବିଜୟକୁ ଏକତରଫା କରି ଦେଇଥିଲେ। ୧୪.୪ ଓଭର ବଳକା ଥାଇ ଭାରତ ୮ ୱିକେଟ୍‌ରେ ସହଜ ବିଜୟ ହାସଲ କରିଥିଲା। ପ୍ରଥମ ଦିନିକିଆରେ ଶତକ ହାସଲ କରିଥିବା ସ୍ମୃତି ମନ୍ଧାନା ନିଜର ଶେଷ ୧୦ ପାଳିରେ ଅଷ୍ଟମ ଥର ପାଇଁ ୫୦ ଅତିକ୍ରମ କରିଥିଲେ। ଚଳିତ ଦ୍ବିପାକ୍ଷିକ ଶୃଙ୍ଖଳାର ଶେଷ ଦିନିକିଆ ହାମିଲଟନ୍‌ରେ ଶୁକ୍ରବାର ଖେଳାଯିବ।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍‌ ୪୪.୨ ଓଭରରେ ୧୬୧ (ଆମି ସାଥରୱେଟ୍‌-୭୧, ଏଲଏମ୍‌ କାସପେରକ୍‌-୨୧, ଝୁଲଣ ଗୋସ୍ବାମୀ-୩/୨୩, ଏକତା ବିସ୍ତ୍‌-୨/୧୪, ପୁନମ ଯାଦବ-୨/୩୮, ଦୀପ୍ତି ଶର୍ମା-୨/୫୧)। ଭାରତ ୩୫.୨ ଓଭରରେ ୧୬୬/୨ (ସ୍ମୃତି ମନ୍ଧାନା-୯୦*, ମିତାଲି ରାଜ-୬୩*, ଏଲ୍‌ ତାହୁହୁ-୧/୧୬, ଏ ପାଟରସନ୍‌-୧/୨୬)।

ସମ୍ବନ୍ଧିତ ଖବର