ହତ୍ୟା ଧମକ ପରେ ସାଞ୍ଚେଜ୍‌ଙ୍କୁ ବିଜୟ ଉତ୍ସର୍ଗ

କାଜାନ: ବିଶ୍ୱକପ୍‌ କଥା ଆସିଲେ କଲମ୍ବିଆର ପୂର୍ବତନ ଫୁଟ୍‌ବଲର୍‌ ଆନ୍ଦ୍ରେସ୍‌ ଏସ୍କୋବର୍‌ଙ୍କ ହତ୍ୟା କାହାଣୀ ପୁନଃ ପ୍ରକାଶିତ ହୁଏ। ଚଳିତ ଫିଫା ବିଶ୍ୱକପ୍‌ରେ ବି ସେଭଳି ଚର୍ଚା ଉଠିଛି କଲମ୍ବିଆକୁ ନେଇ। ଜାପାନ ବିପକ୍ଷ ମ୍ୟାଚ୍‌ରେ ମାତ୍ର ତୃତୀୟ ମିନିଟ୍‌ରେ ହ୍ୟାଣ୍ଡ୍‌ବଲ୍‌ ପାଇଁ କାର୍ଲୋସ୍‌ ସାଞ୍ଚେଜ୍‌ଙ୍କୁ ଲାଲ୍‌ କାର୍ଡ ମିଳିଥିଲା ଏବଂ ତାଙ୍କୁ ତୁରନ୍ତ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। କଲମ୍ବିଆ ଶେଷକୁ ଏହି ମ୍ୟାଚ୍‌ ହାରିଯାଇଥିଲା। ସେହି କାରଣରୁ ସାଞ୍ଚେଜ୍‌ଙ୍କୁ ବି ହତ୍ୟା ଧମକ ମିଳିଛି। ପୁଲିସ୍‌ ଏହାର ତଦନ୍ତ କରୁଛି ବୋଲି ସାମାଜିକ ଗଣମାଧ୍ୟମରେ କୁହାଯାଇଛି। କିନ୍ତୁ ରବିବାର ରାତିରେ କଲମ୍ବିଆ ଚମତ୍କାର ଖେଳି ୩-୦ ଗୋଲ୍‌ରେ ପୋଲାଣ୍ଡ୍‌କୁ ହରାଇଦେବା ପରେ ପ୍ରିକ୍ୱାର୍ଟର ଆଶା ଉଜ୍ଜୀବିତ କରିଛି। କଲମ୍ବିଆ ପ୍ରଶିକ୍ଷକ ଜୋସ୍‌ ପେକରମ୍ୟାନ ଏହି ବିଜୟକୁ ଯୁବ ଖେଳାଳି କାର୍ଲେର୍ାସ୍‌ ସାଞ୍ଚେଜ୍‌ଙ୍କୁ ଉତ୍ସର୍ଗ କରିଛନ୍ତି। ‘ସାଞ୍ଚେଜ୍‌ ଏବେ କଠୋର ସମୟ ଦେଇ ଗତି କରୁଛନ୍ତି। ଏହି ବିଜୟକୁ ଆମେ ତାଙ୍କୁ ଉତ୍ସର୍ଗ କରୁଛୁ। ସମ୍ପୂର୍ଣ୍ଣ ଦଳ ସମାନ ଅନୁଭବ କରୁଛି ବୋଲି ପେକରମ୍ୟାନ୍‌ କହିଛନ୍ତି। ଆମେ କିଛି ସୂଚନା ପାଇଛୁ, କିନ୍ତୁ ଏହା ନିଶ୍ଚିତ ବୋଲି କହିପାରିବୁ ନାହିଁ। ହତ୍ୟା ଧମକରେ ସତ୍ୟତା ଥାଉ ନଥାଉ। ଏହାକୁ ହାଲ୍‌କାରେ ନେଇ ହେବ ନାହିଁ। ଏହା କିନ୍ତୁ ବଡ଼ ଯନ୍ତ୍ରଣାଦୟକ। ଖେଳାଳିମାନେ ଗଭୀରଭାବେ ପ୍ରଭାବିତ ଏବଂ ଆମେ ସମେସ୍ତ ମଧ୍ୟ ଫୁଟ୍‌ବଲ୍‌କୁ ବୁଝିଛୁ ବୋଲି ସେ କହିଥିଲେ। ସାଞ୍ଚେଜ୍‌ ଆଷ୍ଟନ୍‌ ଭିଲା ପାଇଁ ଦୁଇ ବର୍ଷ ଖେଳିବା ପରେ ୨୦୧୬ ମସିହାରେ ଫିଓରେଣ୍ଟିନାରେ ଯୋଗ ଦେଇଥିଲେ। ଗତ ଋତୁରେ ସେ ଲୋନ୍‌ରେ ଏସ୍ପାନିଓଲ୍‌ ଯାଇଥିଲେ। ଏବେ କିନ୍ତୁ ସାଞ୍ଚେଜ୍‌ଙ୍କୁ ହତ୍ୟା ଧମକ ମିଳିଥିବାରୁ କେବଳ ସେ ନୁହନ୍ତି କଲମ୍ବିଆ ଦଳର ସବୁ ସଦସ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୂଚନାଯୋଗ୍ୟ, ୧୯୯୪ ଆମେରିକା ବିଶ୍ୱକପ୍‌ରେ ଆମେରିକା ବିପକ୍ଷରେ ଆତ୍ମଘାତୀ ଗୋଲ୍‌ ଦେବାର ୧୦ ଦିନ ପରେ କଲମ୍ବିଆ ଡିଫେଣ୍ଡର୍‌ ଆନ୍ଦ୍ରେସ ଏକ୍ସୋବରଙ୍କୁ ସ୍ୱଦେଶରେ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର