ଭୁବନେଶ୍ୱର: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮୮ ବର୍ଷ ଇତିହାସରେ ଓଡ଼ିଆଙ୍କୁ ମିଳିଛି ମାତ୍ର ଡଜନେ ପଦକ। କେବଳ ୧୦ ଜଣ ଓଡ଼ିଆଙ୍କ ଭାଗ୍ୟରେ ଜୁଟିଛି ଏହି ଗୌରବ। ହକିରୁ ୬ ଜଣ ଦଳଗତ ପଦକ ଜିତିଥିବାବେଳେ ଭାରୋତ୍ତୋଳନରେ ୩ ଜଣ ବ୍ୟକ୍ତିଗତ ପଦକ ଅର୍ଜନ କରିଛନ୍ତି। ତୃତୀୟ ଖେଳଟି ହେଉଛି ଦୌଡ଼କୁଦ ଯେଉଁଥିରୁ ଓଡ଼ିଶାକୁ ଆସିଛି ଏକମାତ୍ର ପଦକ। ଖେଳ ଦୁନିଆରୁ ସବୁଠାରୁ ଥାଟ୍‌ ଭରା ପ୍ରତିଦ୍ୱନ୍ଦ୍ୱୀତା ୧୦୦ ମିଟର୍‌ ରିଲେରେ ହିଁ ଦୌଡ଼ରାଣୀ ଶ୍ରାବଣୀ ନନ୍ଦ ଜିତିଥିଲେ ଏହି ପଦକ। ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶ୍ରାବଣୀ ପ୍ରଥମ ଓଡ଼ିଆ ମହିଳା ଭାବେ ଦୌଡ଼କୁଦରୁ ପଦକ ଜିତି ନୂଆ ଅଧ୍ୟାୟ ସଂଯୋଗ କରିଥିଲେ। ଶ୍ରୀବଣୀ ନନ୍ଦ, ଏସ୍‌ ଗୀତା, କେ ପ୍ରିୟା ଏବଂ ଏଚ୍‌ଏମ୍‌ ଜ୍ୟୋତିଙ୍କୁ ନେଇ ଗଠିତ ଭାରତୀୟ ଦଳ କାଂସ୍ୟ ଜିତିଥିଲା। ଏହାର ୨ ବର୍ଷ ପୂର୍ବରୁ ୨୦୦୮ ପୁନେ ଯୁବ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଶ୍ରାବଣୀ ନୂଆଦିଲ୍ଲୀରେ ବରିଷ୍ଠ ବର୍ଗରେ ପ୍ରଥମ ଅନ୍ତର୍ଜାତୀୟ ପ୍ରମୁଖ ପଦକ ଜିତିବାର ଗୌରବ ପାଇଥିଲେ। ପୁନେରେ ମଧ୍ୟ ସେ ୧୦୦ ଓ ୨୦୦ ମିଟର୍‌ ଦୌଡ଼ରେ କାଂସ୍ୟ ପଦକ ଜିତି ଅନ୍ତର୍ଜାତୀୟ ସଫଳତାର ମୂଳଦୁଆ ପକାଇଥିଲେ।
କନ୍ଧମାଳରୁ କଳିଙ୍ଗର ଦୌଡ଼ରାଣୀ ପାଲଟିଥିବା ଏହି ଧାବିକା ୨୦୧୫ ମସିହାରେ ଚୀନ୍‌ର ୟୁହାନରେ ଏବଂ ୨୦୧୭ ଭୁବନେଶ୍ୱର ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ୨୦୦ ମିଟର୍‌ ଦୌଡ଼ରେ ଲଗାତାର କାଂସ୍ୟ ପଦକ ଜିତି ନିଜ ଖେଳ ଜୀବନର ନୂଆ ସୋପାନ ଚଢ଼ିଥିଲେ। ରାଜ୍ୟର ପ୍ରଥମ ଓଡ଼ିଆ ଭାବେ ଏସୀୟ ଦୌଡ଼କୁଦ, ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଅଲିମ୍ପିକ୍‌ ଭଳି ସମସ୍ତ ବଡ଼ ପ୍ରତିଯୋଗିତାରେ ପାଦ ଥାପିବାର ବିରଳ କ୍ଲବ୍‌ରେ ଏବେ ଶ୍ରାବଣୀଙ୍କ ନାମ ରହିଛି। କେବଳ ବିଶ୍ୱ ପ୍ରତିଯୋଗିତାର ସମ୍ମାନକୁ ଅପେକ୍ଷା।
ପୁରୀ ଜିଲ୍ଲାର ମୂଳ ଅଧିବାସୀ ହୋଇଥିଲେ ମଧ୍ୟ ଶ୍ରାବଣୀଙ୍କ ପରିବାର କନ୍ଧମାଳ ବାସୀ ଭାବେ ଅଧିକ ପରିଚିତ। ଶ୍ରାବଣୀଙ୍କ ଜନ୍ମ, ପଢ଼ିବା ଓ ବଢ଼ିବା ସମ୍ପନ୍ନ ହୋଇଥିଲା କନ୍ଧମାଳରେ। କ୍ରୀଡ଼ା ଜୀବନ ଆରମ୍ଭ ହୋଇଥିଲା ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରୁ। ବନବିହାରୀ ନନ୍ଦ ଏବଂ ସୁବାସିନୀ ରାୟଗୁରୁଙ୍କ କନ୍ୟା ଶ୍ରାବଣୀଙ୍କ ଜନ୍ମ ୧୯୯୧ ଜୁଲାଇ ୫ ତାରିଖରେ। ରମାଦେବୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ୨୦୦୨ରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଭର୍ତ୍ତି ହୋଇଥିଲେ। କ୍ରୀଡ଼ା ଛାତ୍ରାବାସରେ ନୀଳମାଧବ ଦେଓଙ୍କଠାରୁ ପ୍ରଶିକ୍ଷଣ ନେବା ପରେ ଶାରୋନ ହାନନ ଏବଂ ତରୁଣ ସା’ଙ୍କଠାରୁ ଉଚ୍ଚତ୍ତର ତାଲିମ ନେଇଛନ୍ତି। ମିତ୍ତଲ ଅଲିମ୍ପିକ୍‌ ଅଭିଯାନରେ ସାମିଲ ହୋଇ ୨୦୦୯ରେ ଦକ୍ଷିଣ ଆଫ୍ରିକା ଏବଂ ୨୦୧୧ରେ ଅଷ୍ଟ୍ରେଲିଆରେ ମଧ୍ୟ ତାଲିମ ନେଇଛନ୍ତି। ଜାମାଇକାରେ ଉସେନ୍‌ ବୋଲ୍‌ଟଙ୍କ ଏକାଡେମିରେ ମଧ୍ୟ ବିଶେଷ ତାଲିମ ନେଇଛନ୍ତି।
ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଶ୍ରାବଣୀଙ୍କ ସଫଳତାର ଧାରା ବେଶ ଲମ୍ବା ରହିଛି। ୧୦୦ ଏବଂ ୨୦୦ ମିଟର୍‌ ସହିତ ୧୦୦ ମିଟର ରିଲେ ତାଙ୍କ ପ୍ରିୟ ଇଭେଣ୍ଟ୍‌। ଗତବର୍ଷ ଆଲ୍‌ମାଟିରେ ଅନୁଷ୍ଠିତ କୋସାନୋଭ ସ୍ମାରକୀ ପ୍ରତିଯୋଗିତାରେ ୨୦୦ ମିଟର୍‌ରେ ୨୩.୦୭ ସେକେଣ୍ଡ୍‌ ସମୟ ସହିତ ରିଓ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିଥିଲେ। ୨୦୧୬ ମଧ୍ୟ ତାଙ୍କ ପାଇଁ ସବୁଠାରୁ ସ୍ମରଣୀୟ ବର୍ଷ ରହିଛି। ଆସାମର ଗୌହାଟୀରେ ଦକ୍ଷିଣ ଏସୀୟ କ୍ରୀଡ଼ାରେ ୨୦୦ ମିଟର୍‌ ସ୍ୱର୍ଣ୍ଣ ଏବଂ ୧୦୦ ମିଟର୍‌ ରୌପ୍ୟ ପଦକ ଜିତିବାର ଗୌରବ ରଖିଛନ୍ତି। ୨୦୦୭ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଉଭୟ ବର୍ଗରେ କାଂସ୍ୟ ଜିତିଥିଲେ। ୨୦୧୬ରେ ପାତିଆଲାରେ ଦ୍ୱିତୀୟ ଇଣ୍ଡିଆନ୍‌ ଗ୍ରାଁ ପ୍ରିର ୧୦୦ ମିଟରରେ କାଂସ୍ୟ, ନୂଆଦିଲ୍ଳୀରେ ବିଂଶତମ ଫେଡେରେସନ୍‌ କପ୍‌ରେ ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ଓ ୧୦୦ ମିଟରରେ ରୌପ୍ୟ ପଦକ, ନୂଆଦିଲ୍ଲୀରେ ଇଣ୍ଡିଆନ୍‌ ଗ୍ରାଁ ପ୍ରି-୧ରେ ୧୦୦ ମିଟରରେ ନୂଆ ଜାତୀୟ କୀର୍ତିମାନ (୧୧.୨୩ ସେକେଣ୍ଡ) ସ୍ଥାପନ କରିଥିଲେ। ୨୦୧୫ ମସିହାରେ କୋଲ୍‌କାତାରେ ଅନୁଷ୍ଠିତ ୫୫ତମ ଜାତୀୟ ଦୌଡ଼କୁଦରେ ରେଳବାଇ ପାଇଁ ତିନିଟି ରୌପ୍ୟ ପଦକ, ଚେନ୍ନାଇରେ ଅନ୍ତଃରାଜ୍ୟ ଦୌଡ଼କୁଦରେ ୨୦୦ ମିଟର ଦୌଡ଼ ଏବଂ ୪x୧୦୦ ମିଟର ରିଲେରେ ୨ ସ୍ୱର୍ଣ୍ଣ ପଦକ, ମାଙ୍ଗାଲୋରରେ ୧୯ତମ ଫେଡେରେସନ୍‌ କପ୍‌ରେ ଉଭୟ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ସହିତ ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ ବିବେଚିତ ହୋଇଥିଲେ। ୨୦୧୬ରେ ଏକଲବ୍ୟ ପୁରସ୍କାର ପାଇବା ପୂର୍ବରୁ ଶ୍ରାବଣୀ ୨୦୦୮ରେ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ବିବେଚିତ ହୋଇଥିଲେ।