ନୂଆଦିଲ୍ଲୀ: ଗତ ମଙ୍ଗଳବାର ଜମ୍ମୁ କାଶ୍ମୀରର ପହଲଗାମଠାରେ ହୋଇଥିବା ବର୍ବରୋଚିତ ଆତଙ୍କବାଦୀ ଆକ୍ରମଣ ଦିନ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଇମେଲ୍‌ରେ ହତ୍ୟା ଧମକ ମିଳିଛି। ଏକ ସନ୍ଦେହାତ୍ମକ ଗୁଗୁଲ ଆକାଉଣ୍ଟ୍‌ରୁ ଏହି ଇମେଲ୍ ମିଳିଥିବା ଜଣାପଡ଼ିଛି। ଦିଲ୍ଲୀ ପୁଲିସ ଆନୁଷ୍ଠାନିକ ଭାବେ ଏହାର ତଦନ୍ତ ଆରମ୍ଭ କରିଛି। ସେହିଭଳି ଗମ୍ଭୀରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଦିଲ୍ଲୀ ସରକାର ଚିନ୍ତ‌ା କରୁଛନ୍ତି। ଭାରତୀୟ କ୍ରିକେଟର୍‌ଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କେନ୍ଦ୍ର ସରକାରଙ୍କ ସ୍ତରରେ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ବିଜେପିର ପୂର୍ବତନ ସାଂସଦ ତଥା ପୂର୍ବତନ ଅନ୍ତର୍ଜାତୀୟ ଓପନର୍ ଗମ୍ଭୀରଙ୍କୁ ଦୁଇଟି ଧମକଭରା ଇମେଲ୍‌ ମଳିଛି। ନିଜକୁ ଆ‌ଇଏସ୍‌ଆଇଏସ୍‌ କାଶ୍ମୀର ପରିଚୟ ଦେଇ ସଂପୃକ୍ତ ଇମେଲ୍ ପ୍ରେରଣକାରୀ ଜଣକ ‘ମୁଁ ତୁମକୁ ଜୀବନରେ ମାରିଦେବି’ ବୋଲି ଲେଖିଛି। ଏଥିନେଇ କେନ୍ଦ୍ରୀୟ ଦିଲ୍ଲୀର ଉପଆରକ୍ଷୀ ଅଧୀକ୍ଷକ ଏମ୍ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିବା କଥା ଆମେ ଜାଣିଛୁ। ମାମଲା ତଦନ୍ତ ପରିସରଭୁକ୍ତ ରହିଛି।  ଯେଉଁ ଆଇଡିରୁ ଇମେଲ୍‌ ଆସିଛି, ତାକୁ ମଧ୍ୟ ଯାଞ୍ଚ କରାଯାଉଛି। ଦିଲ୍ଲୀ ପୁଲିସ ଏହାର ସମସ୍ତ ବାସିନ୍ଦାଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତିବଦ୍ଧ।

Advertisment

ପିଏସ୍‌ଏଲ୍‌ରୁ ଭାରତୀୟ ପ୍ରସାରଣକାରୀ ବିଦା

କରାଚୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ମଧ୍ୟ ଖେଳ ଦୁନିଆକୁ ପ୍ରଭାବିତ କରିବାକୁ ଯାଉଛି। ବର୍ତ୍ତମାନ ପାକିସ୍ତାନରେ ଚାଲିଥିବା ପାକିସ୍ତାନ ସୁପର୍ ଲିଗ୍ (ପିଏସ୍‌ଏଲ୍)ର ପ୍ରସାରଣ ଦାୟିତ୍ବରେ ଥିବା କିଛି ଭାରତୀୟ ଅଧିକାରୀଙ୍କୁ ସେଥିରୁ ବାଦ୍‌ ଦେବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନିଷ୍ପତ୍ତି ନେଇଛି। ଫଳରେ ପିଏସ୍‌ଏଲ୍‌ ପ୍ରସାରଣରେ ଏକ ବଡ଼ ଧରଣର ଅଚଳାବସ୍ଥା ‌ଦେଖାଦେବାକୁ ଯାଉଛି। ପ୍ରସାରଣରେ ବହୁ ଭାରତୀୟ ଇଂଜିନିୟର୍‌, ପ୍ରଡକ୍ସନ୍ ମ୍ୟାନେଜର‌୍, କ୍ୟାମେରାମ୍ୟାନ୍‌, ପ୍ଲେୟର ଟ୍ରାକିଂ ଏକ୍ସପର୍ଟ ରହିଛନ୍ତି। ଏହି ସବୁ ଦାୟିତ୍ବରେ ଥିବା ଭାରତୀୟମାନେ ମଧ୍ୟ ପାକିସ୍ତାନ ନଛାଡ଼ିବା ପର୍ଯ୍ୟନ୍ତ ସେମାନଙ୍କ ଗତିବିଧିକୁ ସୀମିତ ରଖିବାକୁ ଅନୁରୋଧ କରିଛନ୍ତି। ପିସିବି କିନ୍ତୁ ପିଏସ୍‌ଏଲ୍‌ରେ ଏମାନଙ୍କ ‌ବିକଳ୍ପ ଖୋଜିବା ପର୍ଯ୍ୟନ୍ତ ପ୍ରସାରଣକୁ ନେଇ ସଂଶୟ ଭିତରେ ରହିଛି।

ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କଲେ କାନେରିଆ

ଲଣ୍ଡନ୍‌: ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ ପୂର୍ବତନ ପାକିସ୍ତାନୀ କ୍ରିକେଟର୍‌ ଡାନିଶ କାନେରିଆ ନିଜ ଦେଶର ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କୁ କଡ଼ା ସମାଲୋଚନା କରିଛନ୍ତି। ୨୬ ଜଣ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଥିବା ଏହି ବର୍ବର ଆକ୍ରମଣ ପଛରେ ପାକିସ୍ତାନର ପ୍ରଛନ୍ନ ହାତ ରହିଛି ବୋଲି କାନେରିଆ କହିଛନ୍ତି। ‘‘ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ଯଦି ପାକିସ୍ତାନର ଭୂମିକା ନାହିଁ ତେବେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ କାହିଁକି ଘଟଣାର ନିନ୍ଦା କରିନାହାନ୍ତି?’’ ବୋଲି ସେ ତାଙ୍କ ‘ଏକ୍ସ’ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ହଠାତ୍‌ ତୁମର ସେନା କାହିଁକି ହାଇ ଆଲର୍ଟରେ ରହିଛନ୍ତି ବୋଲି ମଧ୍ୟ କାନେରିଆ ପ୍ରଶ୍ନ କରିଛନ୍ତି। କାରଣ ସତ କଥାକୁ ସମସ୍ତେ ଜାଣନ୍ତି। ତ‌ୁମେ ହିଁ ଉଗ୍ରପନ୍ଥୀଙ୍କୁ ଗଢ଼ି ତୋଳୁଛ ଏବଂ ଆଶ୍ରୟ ଦେଉଛ, ଏଥି ପାଇଁ ଆପଣଙ୍କୁ ନେଇ ଘୋର ଲଜ୍ଜା ବୋଲି ମଧ୍ୟ କନେରିଆ ଲେଖିଛନ୍ତି। 

ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣକୁ ନେଇ ବିଶ୍ବବ୍ୟାପୀ ରାଷ୍ଟ୍ରମୁଖ୍ୟମାନେ ନିନ୍ଦା କରିଥିବା ବେଳେ ପାକିସ୍ତାନ ଆନୁଷ୍ଠାନିକ ଭାବେ କିଛି କହିନାହିଁ। ଅନ୍ୟପକ୍ଷରେ ମୋଦୀ ସରକାର ତ୍ବରିତ ନିଷ୍ପତ୍ତି ନେଇ ଭାରତରେ ଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ସ୍ବଦେଶ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଡସ ଜଳ ଚୁକ୍ତିକୁ ବାତିଲ କରିବା ସହ ଅଟ୍ଟାରୀ-ୱାଘା ସୀମାକୁ ବନ୍ଦ କରି ଦିଆଯାଇଛି। ସାର୍କ ଭିସା ଯୋଜନାରେ ଭାରତରେ ଥିବା ପାକିସ୍ତାନୀଙ୍କୁ ତୁରନ୍ତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ପ୍ରଦାନ କରାଯାଇଥିବା ସମସ୍ତ ଭିସାକୁ ବାତିଲ କରିଦିଆଯାଇଛି।