ଗୋଲାପି ଗଲା; ଲାଲ୍‌ ଉପରେ ଧ୍ୟାନ

ବକ୍ସିଂ ଡେ’ ଟେଷ୍ଟ୍ ପାଇଁ ପ୍ରସ୍ତୁତି, ନେଟ୍ସକୁ ଫେରିଲେ ଜାଦେଜା

ମେଲବର୍ନ: ଚଳିତ ଅଷ୍ଟ୍ରେଲିଆ ଗସ୍ତର ସୀମିତ ଓଭର ପର୍ଯ୍ୟାୟରେ ଘରୋଇ ଦଳ ସହ ଭାରତ ଆପାତତଃ ସମ୍ମାନ ବାଣ୍ଟିଥିଲା। ଦିନିକିଆ ଶୃଙ୍ଖଳାକୁ ୧-୨ରେ ହାରିବା ପରେ ‌ଟ୍ବେଣ୍ଟି-୨୦କୁ ୨-୧ରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ। ଚଳିତ ଗସ୍ତର ଧଳା ବଲ୍‌ ପର୍ଯ୍ୟାୟରେ ଖେଳାଯାଇଥିବା ମୋଟ (ପ୍ରତ୍ୟେକ ଶୃଙ୍ଖଳାରେ ତିନିଟି ଲେଖାଏଁ ମ୍ୟାଚ୍) ୬ ମ୍ୟାଚ୍‌ରୁ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ୩ଟି ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତି‌ରେ ରହିଥିଲେ। ଗୋଲାପି ବଲ୍‌ ଟେଷ୍ଟ୍‌ରେ କିନ୍ତୁ କଙ୍ଗାରୁ ଦଳ କୋହଲି ସେନାକୁ ପୂରା ଘାଇଲା କରି ଦେଇଥିଲା। ଦୁଇ ଦିନ ପର୍ଯ୍ୟନ୍ତ ଦୃଢ଼ ସ୍ଥିତିରେ ରହିବା ପରେ ତୃତୀୟ ଦିନର ନାଟକୀୟ ବିପର୍ଯ୍ୟୟ ପାଇଁ ଭାରତ କେବଳ ଅଢ଼େଇ ଦିନରେ ଏହି ବହୁ ପ୍ରତୀକ୍ଷିତ ଲଢ଼େଇକୁ ହାରିନଥିଲା ବରଂ ଲଜ୍ଜାଜନକ ଭାବେ ନିଜ ୮୮ ବର୍ଷ ଟେଷ୍ଟ୍ ଇତିହାସର ସର୍ବନିମ୍ନ ଦଳଗତ ସ୍କୋର (୩୬) କରିଥିଲା। ଏହି ଚର୍ଚିତ ଗସ୍ତର ଧଳା ଓ ଗୋଲାପି ବଲ୍‌ ଲଢ଼େଇ ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଲାଲ୍ ବଲ୍ ଆହ୍ବାନ ପାଇଁ ପ୍ରସ୍ତୁତ ହେଉଛି। ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳାର ବଳକା ତିନିଟି ଯାକ ମ୍ୟାଚ୍ ଲାଲ୍‌ ବଲ୍‌ରେ ଏବଂ ଦିନ ବେଳେ ଖେଳାଯିବାକୁ ଥିବାରୁ ନିଜ ରଣନୀତି ତଥା କୌଶଳ ତଦନୁଯାୟୀ ବଦଳାଇବା ଭାରତ ପାଇଁ ଏକପ୍ରକାର ଆବଶ୍ୟକତାରେ ପରିଣତ ହୋଇଛି। ନିୟମିତ ଅଧିନାୟକ ତଥା ବ୍ୟାଟିଂ ବାହିନୀର ମେରୁଦଣ୍ଡ ବିରାଟ କୋହଲି ଶେଷ ତିନିଟି ଯାକ ଟେଷ୍ଟ୍‌ରେ ଅନୁପସ୍ଥିତି ରହିବା ଭାରତର ସମସ୍ୟାକୁ ବି ଦ୍ବିଗୁଣିତ କରିଛି। ତେବେ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ତତ୍ତ୍ବାବଧାନରେ ଆସନ୍ତା ୨୬ ତାରିଖରୁ ମେଲ୍‌ବର୍ନରେ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ୍ ଉପରେ ଭାରତୀୟ ଖେଳାଳି ନିଜର ସବୁ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି।

ବକ୍ସିଂ ଡେ’ ଟେଷ୍ଟ୍ ପାଇଁ ପ୍ରସ୍ତୁତି
ଗୋଲାପି ଲଜ୍ଜାକୁ ପଛରେ ପକାଇବାର ଏକାଗ୍ରତା ଏବଂ ପ୍ରତିଶ୍ରୁତି ନେଇ ଭାରତୀୟ କ୍ରିକେଟ୍ ଦଳ ବୁଧବାରଠାରୁ ଚର୍ଚିତ ବକ୍ସିଂ ଡେ’ ଟେଷ୍ଟ୍ ପାଇଁ ଆନୁଷ୍ଠାନିକ ଭାବେ ପ୍ରସ୍ତୁତି ଆରମ୍ଭ କରିଛି। ଶନିବାରଠାରୁ ମେଲବର୍ନ କ୍ରିକେଟ୍ ପଡ଼ିଆରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ୍ ମ୍ୟାଚ୍ ଲାଗି ଆଜି ସକାଳେ ହିଁ ଭାରତୀୟ କ୍ରିକେଟ୍ ଦଳ ତା’ର ପ୍ରଥମ ନେଟ୍ ଅଧିବେଶନ ପାଇଁ ଓହ୍ଲାଇଥିଲା। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ଅନ୍ୟ ସହକାରୀ ପ୍ରଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ନେଟ୍ ଅଧିବେଶନ ଶେଷ ହୋଇଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ପ୍ରଥମେ ଅଭ୍ୟାସ କରିଥିଲେ। ଆଡିଲେଡ୍‌ରେ ପ୍ରତିଟି ରନ୍ ପାଇଁ ସଂଘର୍ଷ କରିଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ କିଛି ସମୟ ପରେ ସେମାନଙ୍କ ସହ ଯୋଗ ଦେଇଥିଲେ। ଆଡିଲେଡ୍‌ର ଲଜ୍ଜାଜନକ ପରାଜୟ ପରେ ମେଲ୍‌ବର୍ନରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ବ୍ୟାପକ ଅଦଳ ବଦଳ ହେବାର ସମ୍ଭାବନା ରହିଛି। ତେବେ ଦଳ ପକ୍ଷରୁ ଏଥିନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସଙ୍କେତ କିମ୍ବା ସୂଚନା ଦିଆଯାଇ ନାହିଁ। ପୃଥ୍ବୀ ସ’, ଋଦ୍ଧିମାନ ସାହଙ୍କ ଭଳି ଖେଳାଳି ଦଳରୁ ବାଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥିଲା ବେଳେ କେଏଲ୍ ରାହୁଲ ଅଧିନାୟକ କୋହଲିଙ୍କ ସ୍ଥାନ ନେଇପାରନ୍ତି। ତେବେ ବୁଧବାରର ଅଭ୍ୟାସରେ ସ’ ମଧ୍ୟ ଅଂଶଗ୍ରହଣ କରିଥିଲେ। ତାଙ୍କ ସ୍ଥାନର ଦାବିଦାର ୨୧ ବର୍ଷୀୟ ତାରକା ଶୁବମନ ଗିଲ୍ ମଧ୍ୟ ନିଜ ବ୍ୟାଟିଂ କୌଶଳକୁ ଆହୁରି ଶାଣିତ କରୁଥିବା ଦେଖିବାକୁ ମିଳିଥିଲା। ଅଭ୍ୟାସ ମ୍ୟାଚ୍‌ରେ ବିସ୍ଫୋରକ ଶତକ ଅର୍ଜନ କରିବା ସତ୍ତ୍ବେ ଆଡିଲେଡ୍‌ରେ ସୁଯୋଗ ପାଇ ନଥିବା ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତ ବି ଅନ୍ୟ ବରିଷ୍ଠ ଖେଳାଳିଙ୍କ ସହ ଢେର ସମୟ ଝାଳ ବୁହାଇଥିଲେ।

କ୍ୟାଚିଂ ଅଭ୍ୟାସ ଉପରେ ଜୋର
ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳର କ୍ଷେତ୍ରରକ୍ଷଣ ଅତି ନିମ୍ନମାନର ରହିଛି। ଦିନିକିଆ ଏବଂ ଟ୍ବେଣ୍ଟି-୨୦ ସହ ପ୍ରଥମ ଟେଷ୍ଟ୍‌କୁ ମିଶାଇ ଟିମ୍ ଇଣ୍ଡିଆ ପାଖାପାଖି ଦୁଇ ଡଜନ କ୍ୟାଚ୍ ହାତଛଡ଼ା କରିଛି। ଆଡିଲେଡ୍‌ର ଗୋଲାପି ବଲ୍ ଟେଷ୍ଟ୍‌ର କେବଳ ପ୍ରଥମ ପାଳିରେ ହିଁ ଭାରତୀୟ କ୍ରିକେଟର୍‌ଙ୍କ ହାତରୁ ପାଞ୍ଚଟି କ୍ୟାଚ୍ ଖସିଥିଲା। ଏହି ଦୁର୍ବଳତା ଯେମିତି ମେଲ୍‌ବର୍ନର ବକ୍ସିଂ ଡେ’ ଟେଷ୍ଟ୍‌ରେ ଦେଖିବାକୁ ନମିଳେ, ସେଥିପ୍ରତି ଯତ୍ନବାନ ହୋଇଛି ଭାରତ। ବୁଧବାରର ନେଟ୍ ଅଧିବେଶନରେ ସେଥିଲାଗି ଭାରତୀୟ ଖେଳାଳିମାନେ ରାହାଣେଙ୍କ ନେତୃତ୍ବରେ ବହୁ ସମୟ ପର୍ଯ୍ୟନ୍ତ କ୍ୟାଚିଂ ଅଭ୍ୟାସ କରିଥିଲେ। ସେପଟେ ପ୍ରଥମ ଟେଷ୍ଟ୍ ଭଳି ଦ୍ବିତୀୟରୁ ମଧ୍ୟ ପ୍ରାରମ୍ଭିକ ବ୍ୟା‌ଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ବାଦ ପଡ଼ିବା ଘରୋଇ ଅଷ୍ଟ୍ରେଲିଆ ପାଇଁ ଶକ୍ତ ଧକ୍କା ହୋଇଛି।

ନେଟ୍ସକୁ ଫେରିଲେ ଜାଦେଜା
ଦୁଇ ଯୁବ ପେସର୍‌ ନଭଦୀପ ସୈନି ଏବଂ ମହମ୍ମଦ ସିରାଜ ବୁଧବାର ଅନ୍ୟୁନ ଦେଢରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ନେଟ୍ସରେ ବଲ୍ ପକାଇଥିଲେ। ମହମ୍ମଦ ସାମି ଆହତ ହୋଇ ସଂପୂର୍ଣ୍ଣ ଶୃଙ୍ଖଳାରୁ ବାଦ୍ ପଡ଼ିବା ପରେ ମେଲବର୍ନରେ ସିରାଜ ଟେଷ୍ଟ୍‌ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଆଜି ସମସ୍ତଙ୍କ ନଜର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଉପରେ ରହିଥିଲା। ମସ୍ତିସ୍କାଘାତ ଏବଂ ମାଂସପେଶୀ ଯନ୍ତ୍ରଣା ପାଇଁ ଶେଷ ଦୁଇ ଟ୍ବେଣ୍ଟି-୨୦ ସହ ଆଡିଲେଡ୍ ଟେଷ୍ଟ୍ ଖେଳି ପାରିନଥିବା ଜାଦେଜା ଆଜି ପୁଣି ଥରେ ନେଟ୍ସକୁ ଫେରିଥିଲେ। ବଡ଼ କଥା ହେଲା ତାଙ୍କୁ ନେଟ୍ସରେ ବୋଲିଂ କରୁଥିବାର ଦେଖିବାକୁ ମିଳିଥିଲା।

ଦୁଇଟି ଟେଷ୍ଟ୍ ଆୟୋଜନ ପ୍ରସ୍ତାବ ଦେଲା ଏସ୍‌ସିଜି
କରୋନା ସଙ୍କଟ ପାଇଁ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ୍ ସିଡ୍‌ନିରୁ ଅନ୍ୟତ୍ର ସ୍ଥାନାନ୍ତର ହେବାର ଆଶଙ୍କା ସୃଷ୍ଟି ହୋଇଥିଲା ବେଳେ ଏହାକୁ ପ୍ରତିହତ କରିବା ଲାଗି ଏହି ଐତିହାସିକ ଷ୍ଟାଡିୟମ୍ ଅଧିକାରୀମାନେ ଆଗୁଆ ପଦକ୍ଷେପ ନେବା ଆରମ୍ଭ କରି ଦେଇଛନ୍ତି। ତୃତୀୟ ସହ ବ୍ରିସବନ୍‌ରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍ ମଧ୍ୟ ଆୟୋଜନ କରିବାକୁ ସିଡ୍‌ନି କ୍ରିକେଟ୍ ପଡ଼ିଆ ଟ୍ରଷ୍ଟ୍ ବୁଧବାର କ୍ରିକେଟ୍ ଅଷ୍ଟ୍ରେଲିଆକୁ ପ୍ରସ୍ତାବ ଦେଇଛି। ଆଗାମୀ ସମୟରେ ଯଦି ସିଡ୍‌ନି ସହରରେ କରୋନା ସଂକ୍ରମଣର ମାତ୍ରା ବୃଦ୍ଧିପାଏ, ତାହାଲେ ତୃତୀୟ ଟେଷ୍ଟ୍ ପାଇଁ ଏଠାରେ ଥିବା ଖେଳାଳି ଏବଂ ପ୍ରସାରଣକାରୀ ଅଧିକାରୀମାନେ ବ୍ରିସବନ୍ ଯାତ୍ରା କରିବା ସମ୍ଭବ ହେବ ନାହିଁ। କାରଣ ନ୍ୟୁ ସାଉଥ୍ ୱେଲ୍ସ (ସିଡ୍‌ନି ଏହାର ରାଜଧାନୀ) ସରକାର ନିଜ ସୀମା ସିଲ୍ କରିବା ସହ କୁଇନ୍ସଲାଣ୍ଡର ବ୍ରିସବନ୍‌କୁ ଯାତ୍ରାକୁ ମଧ୍ୟ ବାତିଲ କରିପାରେ। ଏଭଳି ସ୍ଥିତିରେ ଖେଳାଳିମାନେ ସିଡ୍‌ନି ବାହାରକୁ ନଯାଇ ଏହିଠାରେ ହିଁ ତୃତୀୟ ଏବଂ ଚତୁର୍ଥ ଟେଷ୍ଟ୍ ଖେଳିବା ଠିକ୍ ହେବ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆକୁ ଟ୍ରଷ୍ଟ ବୁଧବାର ପଠାଇଥିବା ପତ୍ରରେ କହିଛି। ତେବେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ପ୍ରସଙ୍ଗରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ କରିନାହିଁ।

ସମ୍ବନ୍ଧିତ ଖବର