ଅଧ୍ୟକ୍ଷଙ୍କ ନିଲମ୍ବନ ପରେ ଅନ୍ୟ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ନାମଲେଖାରେ ଅନିୟମିତତା ପ୍ରସଂଗ

ଭୁବନେଶ୍ୱର: ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ବିପିଏଡ୍‌ ଓ ଏମ୍‌ପିଏଡ୍‌ ନାମ ଲେଖାରେ ବ୍ୟାପକ ଅନିୟମିତା ହୋଇଥିବା ଅଭିଯୋଗ ପରେ ସରକାର ଯୁଗ୍ମ ପ୍ରବେଶିକା ପରୀକ୍ଷା ଓ ନାମ ଲେଖା କମିଟିର ଅଧ୍ୟକ୍ଷ ଥିବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଭୁବନେଶ୍ୱରର ଅଧ୍ୟକ୍ଷ ଡ. ମନମୋହନ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ତେବେ ଏହି ଅନିୟମିତତାରେ ସାମିଲ ଅନ୍ୟମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶାରୀରିକ ଶିକ୍ଷା ଛାତ୍ର କ୍ରିୟାନୁଷ୍ଠାନ କମିଟି ଦାବି କରିଛି। ବିଭାଗ ପକ୍ଷରୁ ପ୍ରକାଶିତ ଯୋଗ୍ୟତା ତାଲିକାରେ ସମିତି ଅଧ୍ୟକ୍ଷ ଡ. ରାଉତଙ୍କ ସହ ସଦସ୍ୟ ଥିବା ମହାବିଦ୍ୟାଳୟର ତିନି ଜଣ ଅଧ୍ୟାପକ ଡ. ଦେବେନ୍ଦ୍ର ବେହେରା, ଡ. ସୁରେଶ ମହାପାତ୍ର, ଡ. ମଞ୍ଜୁଲତା ନାୟକ, ବରିଷ୍ଠ ପ୍ରଶିକ୍ଷକ ରାଜେନ୍ଦ୍ର ପାଣି ଏବଂ ଉପସଚିବ ମନୋଜ ପାଢ଼ୀଙ୍କ ସ୍ୱାକ୍ଷର ରହିଛି।

ତାଲିକା ପ୍ରସ୍ତୁତ ହୋଇ ବିଭାଗର ଅନୁମୋଦନ ଲାଭ ପରେ ତାକୁ ବିଭାଗୀୟ େଓ୍ଵବ୍‌ସାଇଟ୍‌ରେ ଛଡ଼ା ଯାଇଥିଲା। କିନ୍ତୁ ବିବାଦ ପରେ ଉପସଚିବ ଶ୍ରୀ ପାଢ଼ୀ ଏହା ଯୋଗ୍ୟତା ତାଲିକା ନଥିଲା, ଭୁଲକ୍ରମେ ଯୋଗ୍ୟତା ତାଲିକା ଦର୍ଶା ଯାଇଥିବା କହିଥିଲେ। ପରେ ସଚିବ ପୁଣି ସେହି ତାଲିକା ପ୍ରସ୍ତୁତିରେ ତ୍ରୁଟି ଥିବା ଦର୍ଶାଇ ଅଧ୍ୟକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତେଣୁ କାହାରି ସହିତ କାହା କଥାର ତାଳମେଳ ରହୁ ନାହିଁ। ଯେହେତୁ ସମିତି ଅଧ୍ୟକ୍ଷ ଏକା ଯୋଗ୍ୟତା ତାଲିକା ପ୍ରସ୍ତୁତ କରି ନାହାନ୍ତି ଓ ଏଥିରେ ଅନ୍ୟ ଏକାଧିକ ଅଧିକାରୀ ସଂପୃକ୍ତ ଅଛନ୍ତି ତେଣୁ ତଦନ୍ତ କରି ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କ୍ରିୟାନୁଷ୍ଠାନ କମିଟି ଦାବି କରିଛି। ସଂପୂର୍ଣ୍ଣ ପରୀକ୍ଷା ଓ ନାମ ଲେଖା ପ୍ରକ୍ରିୟାକୁ ବାତିଲ କରି ନୂଆ ଭାବେ କରିବା ବା ପ୍ରକାଶିତ ଯୋଗ୍ୟତା ତାଲିକା ଅନୁଯାୟୀ ନାମ ଲେଖାଇବାର ସୁଯୋଗ ଦେବାକୁ ସେମାନେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଶାରୀରିକ ଶିକ୍ଷା ମହାବିଦ୍ୟାଳୟଗୁଡ଼ିକର ନାମ ଲେଖାରେ ଅନିୟମିତତା ହୋଇଥିବା ନେଇ ଗତ ୩୧ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଘଟଣାରେ ହସ୍ତକ୍ଷେପ କରିଥିଲେ। ସେ ବିଭାଗୀୟ ସଚିବଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କୁ ଦେଇଥିବା ରିପୋର୍ଟରେ ସଚିବ ଯୋଗ୍ୟତା ତାଲିକା ତିଆରିରେ ଅନିୟମିତତା ହୋଇଥିବା ଓ ଯୋଗ୍ୟ ଛାତ୍ରଛାତ୍ରୀ ନାମ ଲେଖାରୁ ବଞ୍ଚିତ ହୋଇଥିବା ଉଲ୍ଲେଖ କରିଥିଲେ। ଏହାପରେ କ୍ରୀଡ଼ାମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଦେଶ ସଂଖ୍ୟା ୧୦୯୮୦ ତା. ୩.୧୧.୧୭ରେ ଅଧ୍ୟକ୍ଷ ଡ. ରାଉତଙ୍କୁ ନିଲମ୍ବିତ କରାଯାଇଛି। ହୋଇଥିବା ନାମଲେଖାକୁ ବାତିଲ କରିବାରେ କ’ଣ ଆଇନ୍‌ଗତ ସମସ୍ୟା ରହିଛି ସେ ସଂପର୍କରେ ପରାମର୍ଶ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର