କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)-ପଞ୍ଜାବ କିଙ୍ଗ୍ସ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଫଳରେ ଚଳିତ ଆଇପିଏଲ୍ର ଏହି ୪୪ତମ ମ୍ୟାଚ୍ରୁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍ ପାଇଛନ୍ତି। ଏବେ ପଞ୍ଜାବ ନବମ ମ୍ୟାଚ୍ରୁ ୧୧ ପଏଣ୍ଟ୍ ସହ ଚତୁର୍ଥ ସ୍ଥାନରେ ଥିଲା ବେଳେ କୋଲକାତା ନବମ ମ୍ୟାଚ୍ରୁ ୭ ପଏଣ୍ଟ୍ ହାସଲ କରି ସପ୍ତମ ସ୍ଥାନରେ ରହିଛି। ଶନିବାର ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ବିନିମୟରେ ୨୦୧ ରନ୍ କରିଥିଲା। କେକେଆର୍ ପଶ୍ଚାତଧାବନର ମାତ୍ର ଗୋଟିଏ ଓଭର ପରେ କାଳବୈଶାଖୀ ଜନିତ ବର୍ଷା ପାଇଁ ଖେଳକୁ ବାତିଲ କରି ଦିଆଯାଇଥିଲା। ସେତେବେଳେ କେକେଆର୍ର ଦୁଇ ଓପନର୍ ରହମାନୁଲ୍ଲା ଗୁର୍ବାଜ୍ ୧ ଓ ସୁନୀଲ ନାରାୟଣ ୪ ରନ୍ କରି ଅପରାଜିତ ରହିଥିଲେ।
ପଞ୍ଜାବ ଅଧିନାୟକ ଶ୍ରେୟସ୍ ଆୟର ନିଜ ପୂର୍ବ ଦଳ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦୁଇ ଯୁବ ଓପନର ପ୍ରିୟାଂଶ ଆର୍ଯ୍ୟ (୩୫ ବଲ୍ରୁ ୬୯ ରନ୍) ଓ ପ୍ରଭସିମ୍ରନ୍ ସିଂହ (୪୯ ବଲ୍ରୁ ୮୩ ରନ୍) ତାଙ୍କ ନିଷ୍ପତ୍ତିର କେବଳ ସମ୍ମାନ ରଖି ନଥିଲେ ବରଂ ଚୌକା, ଛକା ବର୍ଷା କରି ୧୨ ଓଭର ପର୍ଯ୍ୟନ୍ତ କେକେଆର୍ ବୋଲରଙ୍କୁ ନୟାନ୍ତ କରିଥିଲେ। ଉଭୟ ଦ୍ରୁତ ଓ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ କରି ମାତ୍ର ୭୧ ବଲ୍ରୁ ୧୨୦ ରନ୍ ଅମଳ କରି ନେଇଥିଲେ। ବିଶେଷ କରି ପ୍ରିୟାଂଶ ଆରମ୍ଭରୁ ନିଜ ଉଗ୍ର ରୂପ ଦେଖାଇ ୨୭ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଦ୍ବାଦଶ ଓଭରର ଶେଷ ବଲ୍ରେ କେକେଆର୍ ଅଲରାଉଣ୍ଡର୍ ଆନ୍ଦ୍ରେ ରସେଲ ତାଙ୍କୁ ବୈଭବ ଅରୋରାଙ୍କ ହାତରେ କ୍ୟାଚ୍ କରାଇ ଏହି ଯୋଡ଼ିକୁ ଭାଙ୍ଗିଥିଲେ। ପ୍ରିୟାଂଶଙ୍କଠାରୁ ଅଲଗା ହେବା ପରେ ଧିମା ଆରମ୍ଭ କରିଥିବା
ପ୍ରଭସିମ୍ରନ୍ ଗିୟର୍ ବଦଳାଇ ୩୮ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ନିଜ ବିସ୍ଫୋରକ ପାଳି ବଳରେ ସେ ମଧ୍ୟ ଆଇପିଏଲ୍ରେ ୧,୦୦୦ ରନ୍ ପୂରଣ କରିଥିଲେ। ତେବେ ପ୍ରଥମ ଶତକର ୧୭ ରନ୍ ପୂର୍ବରୁ ଅରୋରାଙ୍କ ଶିକାର ହୋଇଯାଇଥିଲେ। ଫଳରେ ୧୩.୪ ଓଭରରେ ଦେଶ ଶହ ରନ୍ ଛୁଇଁଥିବା ପଞ୍ଜାବ ହାତରେ ୱିକେଟ୍ ଥାଇ ମଧ୍ୟ ଶେଷ କିଛି ଓଭରରେ ଆଶାଜନକ ଭାବେ ରନ୍ ହାର ବଢ଼ାଇ ପାରି ନଥିଲା। ଅଧିନାୟକ ଶ୍ରେୟସ୍ ଆୟର ୨୫ ରନ୍ର ଉପଯୋଗୀ ପାଳି ଖେଳିଥିଲେ ମଧ୍ୟ ଦୁଇ ଅଲ୍ରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମାର୍କୋ ୟାନସେନଙ୍କ ବିଫଳତା ପାଇଁ ନିଜ ପାଳି ଶେଷ ହେବାର ଗୋଟିଏ ବଲ୍ ପୂର୍ବରୁ ହିଁ ୨୦୦ ରନ୍ ଟପିଥିଲା। କେକେଆର୍ ବୋଲର୍ମାନେ ଶେଷ ୫ ଓଭରରେ ମାତ୍ର ୪୦ ରନ୍ ଖର୍ଚ୍ଚ କରି ପଞ୍ଜାବକୁ ୨୦୧/୪ରେ ଅଟକାଇବା ଉଲ୍ଲେଖନୀୟ ଥିଲା।
ସଂକ୍ଷିପ୍ତ ସ୍କୋର୍: ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୨୦୧/୪ (ପ୍ରିୟାଂଶ ଆର୍ଯ୍ୟ ୬୯, ପ୍ରଭସିମ୍ରନ୍ ସିଂହ ୮୩, ଶ୍ରେୟସ୍ ଆୟର ୨୫*, ବୈଭବ ଅରୋରା ୨/୩୪, ଆନ୍ଦ୍ରେ ରସେଲ ୧/୨୭, ବରୁଣ ଚକ୍ରବର୍ତ୍ତୀ ୧/୩୯)।