ପୂଜାରା-ପନ୍ତ ପ୍ରତିଆକ୍ରମଣ ସତ୍ତ୍ବେ ଇଂଲଣ୍ଡ ଦୃଢ଼, ଫଲୋଅନ୍ ବିପଦ ଘନେଇଲା

ବିଫଳ ହେଲେ ରୋହିତ, କୋହଲି, ରାହାଣେ

ଚେନ୍ନାଇ: ଇଂଲଣ୍ଡର ୫୭୮ ରନ୍ ଜବାବରେ ୭୩ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଭାରତୀୟ କ୍ରିକେଟ୍ ଦଳକୁ ଚେତେଶ୍ବର ପୂଜାରା (୭୩) ଓ ଋଷବ ପନ୍ତ (୯୧)ଙ୍କ ପ୍ରତିଆକ୍ରମଣ ବି ରକ୍ଷା କରିପାରିନାହିଁ। ଉଭୟ ପଞ୍ଚମ ୱିକେଟ୍‌ରେ ବହୁମୂଲ୍ୟ ୧୧୯ ରନ୍ ଯୋଡ଼ିବା ସତ୍ତ୍ବେ ଚେନ୍ନାଇ ଟେଷ୍ଟ୍‌ରେ ଭାରତ ଉପରୁ ଫଲୋଅନ୍ ବିପଦ ଟଳିନି। ହାତରେ ଆଉ ମାତ୍ର ୪ ୱିକେଟ୍ ଥିଲା ବେଳେ ରବିବାର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୨୫୭/୬ କରି ଏବେ ବି ୩୨୧ ରନ୍‌ରେ ପଛୁଆ ରହିଛି ଭାରତ। ଏବେ ଫଲୋଅନ୍‌ରୁ ବଞ୍ଚିବା ପାଇଁ ଲଢ଼ୁଥିବା ଟିମ୍ ଇଣ୍ଡିଆର ‌ଶେଷ ସ୍ବୀକୃତିପ୍ରାପ୍ତ ଯୋଡ଼ି ୱାସିଂଟନ୍ ସୁନ୍ଦର (୩୩) ଏବଂ ରବିଚନ୍ଦ୍ରନ୍‌ ଅଶ୍ବିନ (୮) ଅପରାଜିତ ରହିଛନ୍ତି। ସୋମବାର ସକାଳେ ଯଦି ଏହି ଦୁଇ ଜଣ ନିଜ ନିଜ ପାଳିକୁ ଆଗେଇ ନପାରନ୍ତି, ତାହାଲେ ଶୀର୍ଷକ୍ରମକୁ ଘାଇଲା କରିଥିବା ଇଂଲଣ୍ଡ ବୋଲର ଭାରତର ଲାଞ୍ଜକୁ କାଟିବାକୁ ସମ୍ଭବତଃ ଅଧିକ ସମୟ ‌ନେବେନି। ଏଭଳି ସ୍ଥିତିରେ ଘରୋଇ ପରିବେଶରେ ଲାଗାତାର ୧୨ ଶୃଙ୍ଖଳା ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ଫଲୋଅନ୍ ହେବାର ଅପଯଶ ମୁଣ୍ଡାଇବ। ଅବଶ୍ୟ ଏହା ସଂପୂର୍ଣ୍ଣ ସୁଦୃଢ଼ ସ୍ଥିତିରେ ଥିବା ଇଂଲଣ୍ଡର ନିଷ୍ପତ୍ତି ଉପରେ ନିର୍ଭର କରିବ।

ସ୍ଥାନୀୟ ଚେପକ ପିଚ୍‌ରେ ଇଂଲଣ୍ଡର ପ୍ରତିଟି ୱିକେଟ୍ ନେବାକୁ ଭାରତୀୟ ବୋଲର ନୟାନ୍ତ ହୋଇଥିଲେ। ହେଲେ ଏହାର ଠିକ୍ ବିପରୀତ ଭାରତୀୟ ପାଳି ଆରମ୍ଭରୁ ଇଂଲଣ୍ଡ ବୋଲର ସଫଳତାର ମିଠା ମିଠା ସ୍ବାଦ ଚାଖିଥିଲେ। ନିଜ ଅଗ୍ନିବର୍ଷୀ ପ୍ରଥମ ସ୍ପେଲ୍‌ରେ ଜୋଫ୍ରା ଆର୍ଚର ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ସେହିଭଳି ଅପେକ୍ଷାକୃତ ଅନଭିଜ୍ଞ ସ୍ପିନର ଡମ୍ ବେସ୍ ଭାରତର ଚାରି ମହାରଥୀ ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା ଏବଂ ଋଷବ ପନ୍ତଙ୍କୁ ଆଉଟ୍ କରି ଇଂଲଣ୍ଡକୁ ଡ୍ରାଇଭର ସିଟ୍‌ରେ ପହଞ୍ଚାଇ ଦେଇଥିଲେ। ରୋହିତ (୬), ଶୁବମନ (୨୯), କୋହଲି (୧୧) ଓ ରାହାଣେ (୧) ଅଧିକ ସମୟ କ୍ରିଜ୍‌ରେ ରହି ନପାରିବା ପରେ ପନ୍ତ ଏବଂ ପୂଜାରା ଦଳର ସମ୍ମାନ ରଖିଥିଲେ। ଉଭୟ ଅତି ସହଜ୍‌ରେ ରନ୍ ସଂଗ୍ରହ କରିବା ସହ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ପୂଜାରାଙ୍କ ଅସ୍ବାଭାବିକ ଆଉଟ୍‌ ହିଁ ସବୁକିଛି ଓଲଟପାଲଟ କରି ଦେଇଥିଲା।

ଭାରତୀୟ ପାଳିର ୫୧ତମ ଓଭରରେ ବେସ୍‌ଙ୍କ ଏକ ସର୍ଟ ବଲ୍‌କୁ ପୂଜାରା ପୁଲ୍ କଲା ବେଳେ ଏହା ସଟ୍ ଲେଗ୍‌ରେ କ୍ଷେତ୍ରରକ୍ଷଣ କରୁଥିବା ଓଲି ପୋପ୍‌ଙ୍କ ଦେହରେ ବାଜି ସର୍ଟ ମିଡୱିକେଟ୍‌ରେ ଥିବା ରୋରି ବର୍ନସଙ୍କ ହାତକୁ ଚାଲି ଯାଇଥିଲା। ପ୍ରଶଂସକଙ୍କ ସହ ପୂଜାରା ବି ନିଜ ଭାଗ୍ୟକୁ ବିଶ୍ବାସ କରି ପାରିନଥିଲେ ଏବଂ ଭାରତର ପଞ୍ଚମ ୱିକେଟ୍‌ର ପତନ ଘଟିଥିଲା। ସେହିଭଳି ଧୀରେଧୀରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ପନ୍ତ ଆଗକୁ ଆସି ବଡ଼ ସଟ୍ ଖେଳୁ୍‌ଥିଲା ବେଳେ ମିସ୍‌ ଟାଇମ୍ କରି ଡିପ୍ କଭରରେ ଧରାପଡ଼ି ଯାଇଥିଲେ। ଫଳରେ ମାତ୍ର ୯ ରନ୍ ପାଇଁ ସାହସିକ ଶତକରୁ ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷ‌ରେ ରୋହିତ ଚତୁର୍ଥ ଓଭରରେ ଆର୍ଚରଙ୍କ ବଲ୍‌କୁ ବୁଝିନପାରି ଜୋସ୍ ବଟଲରଙ୍କ ହାତରେ ଧରାପଡ଼ିଥିଲେ। ସେହିଭଳି କେତେକ ଆତ୍ମବିଶ୍ବାସ ଭରା ସଟ୍ ଖେଳିବା ପରେ ଦଶମ ଓଭରରେ ଆର୍ଚରଙ୍କୁ ଆଗୁଆ ଅନ୍ ଡ୍ରାଇଭ୍ କରି ଆଣ୍ଡରସନ୍‌ଙ୍କ ହାତକୁ କ୍ୟାଚ୍ ଟେକି ଦେଇଥିଲେ ଗିଲ୍‌। ତେବେ ୨୫ ଏବଂ ୨୭ତମ ଓଭର‌ରେ କୋହଲି ଓ ରାହାଣେଙ୍କ ୱିକେଟ୍ ରୂପରେ ଲାଗିଥିବା ଯୁଗଳ ଝଟ୍‌କା ହିଁ ଭାରତକୁ ସଙ୍କଟ ଭିତରକୁ ଠେଲି ଦେଇଥିଲା। କୋହଲିଙ୍କୁ ନିଜ ନିଆରା ରଣନୀତିରେ ଶିକାର କରିଥିବା ବେସ୍‌ ନିଜ ପରବର୍ତ୍ତୀ ଓଭରରେ ରାହ‌ାଣେଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ଅଧିନାୟକ ରୁଟ୍ ନିଜ ଡାହାଣ ପଟକୁ ଉଡ଼ନ୍ତା ଡାଇଭ୍ ମାରି ଏକ ଅବିଶ୍ବସନୀୟ କ୍ୟାଚ୍ ଧରି ରାହାଣେଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣି ଦେଇଥିଲେ।

ଇଂଲଣ୍ଡ ୫୭୮, ଭାରତର ୨୦ ନୋ’ ବଲ୍
ଭ୍ରମଣକାରୀ ଇଂଲଣ୍ଡ ତାର ଶନିବାର ସ୍କୋର ୫୫୫/୮ରୁ ରବିବାରର ଖେଳ ଆରମ୍ଭ କରିଥିଲା। ଶେଷ ୨ ୱିକେଟ୍‌ରେ ଆଉ ୨୩ ରନ୍ ଯୋଡ଼ି ୫୭୮ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ୨୮ ରନ୍‌ରେ ଅପରାଜିତ ଥିବା ଡମ୍ ବେସ୍ ବ୍ୟକ୍ତିଗତ ସ୍କୋରରେ ଆଉ ୬ ରନ୍ ଯୋଡ଼ିଥିଲେ। ଜ୍ୟାକ୍ ଲିଚ୍ ୧୪ ରନ୍‌ରେ ଅପରାଜିତ ରହିଥିଲା ବେଳେ ଜେମ୍ସ ଆଣ୍ଡରସନ୍ ୧ ରନ୍ କରିଥିଲେ। ଇଂଲଣ୍ଡର ଶେଷ ୨ ୱିକେଟ୍‌କୁ ବୁମ୍‌ରା ଓ ଅଶ୍ବିନ ବାଣ୍ଟି ନେଇଥିଲେ। ତେବେ ଭାରତର ମାତ୍ରାଧିକ ଅତିରିକ୍ତ ରନ୍ ବ୍ୟୟ କ୍ରିକେଟ୍ ପଣ୍ଡିତଙ୍କୁ ବିସ୍ମିତ କରିଥିଲା। ଇଂଲଣ୍ଡ ପାଳିରେ ଭାରତ ଆଶ୍ଚର୍ଯ୍ୟଜନକ ଭାବେ ୨୦ ନୋ’ ବଲ୍‌ ସହ ମୋଟ ୪୫ ଅତିରିକ୍ତ ରନ୍ ବ୍ୟୟ କରିଥିଲା। ସେଥିମଧ୍ୟରେ ୧୭ ଲେଗ୍ ବାଇ, ୭ ବାଇ ଏବଂ ଗୋଟିଏ ୱାଇଡ୍ ରନ୍ ମଧ୍ୟ ଅନ୍ତର୍ଭୁକ୍ତ ଥିଲା।

ସମ୍ବନ୍ଧିତ ଖବର