ଭୁବନେଶ୍ବର: ପିଲା ବେଳୁ କ୍ରିକେଟର୍‌ ହେବାକୁ ବହୁ ଆଗ୍ରହ ଥିଲା। ଏକାଧିକ ଥର ଆହତ ହେବାରୁ କ୍ରିକେଟ୍‌ ନିଶା ଛାଡ଼ିଦେ‌ଇଥିବ‌ା ସୌଭାଗ୍ୟ ଏବେ କ୍ୟୁ ସ୍ପୋର୍ଟସରେ ନିଜ ଭାଗ୍ୟକୁ ପରଖୁଛନ୍ତି। ପ୍ରାରମ୍ଭିକ ଅବସ୍ଥାରେ ଚମକ ବି ଦେଖାଇଲେଣି। ହଁ ୨୭ ବର୍ଷୀୟ ସୌଭାଗ୍ୟ ବେ‌ହେରା ହେଉଛନ୍ତି ରାଜ୍ୟ ସ୍ନୁକର ଦୁନିଆର ନୂଆ ଚେହେରା ଯିଏ ଏବେ ରହିଛନ୍ତି ଚର୍ଚ୍ଚାରେ। ଭୁବନେଶ୍ବରର ୟୁନିଟ୍‌-୬ ବାସିନ୍ଦା ଓ ରଶ୍ମିରେଖା ଓ ସୁଶାନ୍ତ କୁମାର ବେହେରାଙ୍କ ପୁଅ ସୌଭାଗ୍ୟ। ପ୍ରଥମ ଥର ୨୦୧୬ରେ କନିଷ୍ଠ ବର୍ଗ ରାଜ୍ୟ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନରେ ରହିବା ପରେ ବରିଷ୍ଠ ବର୍ଗରେ ଶୀର୍ଷ ୮ରେ ରହିଥିଲେ। ୨୦୧୯ରେ ସର୍ବଭାରତୀୟ ପ୍ରତିଯୋଗିତାରେ ଶୀର୍ଷ ୩୨ରେ ପହଞ୍ଚି ଯାଇଥିଲେ। ୨୦୨୦ ଜାନୁଆରିରେ ସର୍ବଭାରତୀୟସ୍ତରରେ ହୋଇଥିବା ୬ରେଡ୍‌ ପ୍ରତିଯୋଗିତାରେ ବିଶ୍ବର ଦୁଇ ନମ୍ବର କମଲ ଚାୱଲା ଓ ରେଳବାଇର ଏକ ନମ୍ବର ଖେଳାଳି ସିଦ୍ଧାର୍ଥ ପାରେଖଙ୍କୁ ହରାଇ ନିଜ ଦମ୍‌ ଦେଖାଇବା ସହ ଶୀର୍ଷ ୬୪ରେ ରହିଥିଲେ। ତଥାପି କ୍ରିକେଟ୍‌ ମୋହ ତାଙ୍କୁ ଛାଡ଼ି ନଥିଲା। ଏହି ଲୋକପ୍ରିୟ ପ୍ରଥମ ପସନ୍ଦ ଖେଳକୁ ପୁଣି ଖେଳିବା ଆରମ୍ଭ କରି ଦେଇଥିଲେ। ସଫଳତା ତ ଦୂରର କଥା ଆହତ ସମସ୍ୟାକୁ ଆଉ ଥରେ ନିମନ୍ତ୍ରଣ କରିଥିଲେ। ଏହାପରଠାରୁ ସେ ସ୍ନୁକରରେ ମନୋନିବେଶ କରିଛନ୍ତି। ଅନ୍ତର୍ଜାତୀୟ ଓଡ଼ିଆ ଖେଳାଳି ସୁବ୍ରତ ଦାସଙ୍କ ପ୍ରଶିକ୍ଷଣରେ ୨୦୨୧ରେ ରାଜ୍ୟ ବିଜେତା ହେବାର ଗୌରବ ପାଇଛନ୍ତି। ୨୦୨୨ ନିଖିଳ ଓଡ଼ିଶା ଓପନ୍‌ ସ୍ନୁକର ପ୍ରତିଯୋଗିତାରେ ଗୁରୁ ସୁବ୍ରତଙ୍କୁ ବି ହରାଇ ବିଜେତା ପାଇଛନ୍ତି ସୌଭାଗ୍ୟ।

Advertisment

ସୌଭାଗ୍ୟଙ୍କ ଖେଳ‌ ପ୍ରତି ଆଗ୍ରହ ଦେଖି ସାଙ୍ଗମାନେ ତାଙ୍କୁ ସ୍ନୁକର ଖେଳିବାକୁ ପରାମର୍ଶ ଦେଇଥିଲେ। ଏହି ଖେଳ ଦେଖି ଭଲ ଲାଗିବାରୁ ଏହାକୁ ଆପଣାର କରିବାକୁ ମନ ବଳେଇଥିଲେ। ସେହି ସମୟରେ ଓଡ଼ିଶାର ସ୍ନୁକର କିଙ୍ଗ୍‌ ଭାବେ ରାଜୁତି କରୁଥିଲେ ସୁବ୍ରତ ଦାସ। ତାଙ୍କ ପ୍ରଶିକ୍ଷଣରେ ଆଶୁତୋଷ ପାଢ଼ୀ ଆଗକୁ ବଢ଼ିଥିବା କଥା ଶୁଣିଲି। ମୁଁ ‌ସୁବ୍ରତ ଭାଇଙ୍କ ସହ ଯୋଗାଯୋଗ କରି ସ୍ନୁକର ଖେଳିବା ଆରମ୍ଭ କଲି। କିନ୍ତୁ ଭୁବନେଶ୍ବରରେ ସ୍ନୁକର ଖେଳିବାକୁ ଭିତ୍ତିଭୂମି ନଥିବାରୁ ପ୍ରତିଦିନ କଟକ ଯାଇ କଟକ କ୍ଲବ୍‌ରେ ଅଭ୍ୟାସ କଲି। ପୂର୍ବ ଆହତ ଯୋଗୁଁ ବାମ ହାତ ଠିକ୍‌ରେ ସିଧା ହେଉ ନଥିଲା। ଆରମ୍ଭ ବେଳେ ଟିକେ ଅସୁବିଧାରେ ପଡ଼ିଲି। କିନ୍ତୁ ପରବର୍ତ୍ତୀ ସମୟରେ ସୁବ୍ରତ ଭାଇଙ୍କ ପ୍ରଶିକ୍ଷଣରେ କନିଷ୍ଠ ବର୍ଗ (୨୦୧୬) ରାଜ୍ୟ ପ୍ରତିଯୋଗିତାରେ ଉପବିଜେତା ହୋଇଥିଲି। ଏହା ମୋତେ ବେଶୀ ଉତ୍ସାହିତ କଲା। ଏହାପରଠୁ ସ୍ନୁକର ହୋଇଗଲା ମୋ ପାଇଁ ସବୁକିଛି। ସଫଳତାର ସିଡ଼ି ମଧ୍ୟ ଚଢ଼ିଲି। ଏହି ଖେଳରେ ‌ଅନ୍ୟ ଖେଳ ପରି ସୁବିଧା ସୁଯୋଗ ନଥିବାରୁ ଜୀବିକା ପାଇଁ ମୋତେ ଅନ୍ୟ ବାଟ ଖୋଜିବାକୁ ବାଧ୍ୟ କରୁଛି। ତେଣୁ ମୁଁ ‌ଏବେ ଖେଳରେ କମ୍‌ ସମୟ ଦେଇ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ପ୍ରଶାସନିକ‌ ନିଯୁକ୍ତି ପାଇଲେ ଏହି ଖେଳର ଉନ୍ନତି ପାଇଁ କାମ କରିପାରିବି। ସଂପ୍ରତି ଏବେ ଓଡ଼ିଶା ସ୍ନୁକର ଓ ବିଲିୟାର୍ଡ୍ସ ସଂଘ ଏହି ଖେଳର ଉନ୍ନତି ପାଇଁ କାମ ଆରମ୍ଭ କଲାଣି। ଯାହା ଆଗାମୀ ଦିନରେ ନୂଆ ପ୍ରତିଭାଙ୍କୁ ନିଶ୍ଚିତ ଏହି ଖେଳ ପ୍ରତି ଆକୃଷ୍ଟ କରିବ ବୋଲି ସୌଭାଗ୍ୟ କହିଛନ୍ତି।