ସଚିନଙ୍କ ପରେ ଏମ୍‌ଏସ୍‌ଡି ଗ୍ୟାଲେରି

ଭୁବନେଶ୍ବର: କେରଳର ପ୍ରତିଷ୍ଠିତ କ୍ରୀଡ଼ା ଲେଖକ ତଥା ଐତିହାସିକ ଏମ୍‌ସି ବଶିଷ୍ଟ ଏବେ ଆଉ ଏକ ଅଭିଯାନରେ ବାହାରିଛନ୍ତି। ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ପରେ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ନୂଆ ଗ୍ୟାଲେରି ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି। କାଲିକଟ୍‌ର ମାଲାବାର ଖ୍ରୀଷ୍ଟିଆନ୍ କଲେଜରେ ଇତିହାସ ଅଧ୍ୟାପକ ଭାବେ କାମ କରୁଥିବା ଶ୍ରୀ ବଶିଷ୍ଟଙ୍କ ସଚିନ ଗ୍ୟାଲେରିରେ ଇଂରାଜୀ ସମେତ ୧୨ଟି ଭାରତୀୟ ଭାଷାରେ ପ୍ରକାଶିତ ତେନ୍ଦୁଲକରଙ୍କ ‌ମୋଟ ୬୦ଟି ପୁସ୍ତକ ସ୍ଥାନ ପାଇଛି।

ଏହା ମଧ୍ୟରେ ରାଜେନ୍ଦ୍ର କୁମାର ରାଉଳଙ୍କ ଓଡ଼ିଆ ଭାଷା ପୁସ୍ତକ ମଧ୍ୟ ରହିଛି। ଏବେ ମାହିଙ୍କ ଉପରେ ରଚିତ ପୁସ୍ତକ ଏବଂ ଅନ୍ୟ ସାମଗ୍ରୀ ତାଙ୍କ ଗ୍ୟାଲେରିରେ ସ୍ଥାନ ପାଇବ। ମହେନ୍ଦ୍ର ସିଂହ‌ ଧୋନିଙ୍କ ଲାଗି ପ୍ରସ୍ତୁତ ହେବାକୁ ଥିବା ସଂଗ୍ରହାଳୟର ନାମ ‘ଏମ୍‌ଏସ୍‌ଡି ଗ୍ୟାଲେରି’ ରଖାଯାଇଛି ବୋଲି ଶ୍ରୀ ବଶିଷ୍ଟ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅଲିମ୍ପିକ୍ସ, ବିଶ୍ବକପ୍‌, ବିଶ୍ବ ପ୍ରତିଯୋଗିତା, ଏସୀୟ କ୍ରୀଡ଼ା ଭଳି ସମସ୍ତ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଅବସରରେ ଶ୍ରୀ ବଶିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରଦର୍ଶନୀ ଆୟାଜନ କରି ଭାରତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସମ୍ପ୍ରତି ସେ ଓଡ଼ିଶାର ପାଇକ ବ‌ିଦ୍ରୋହ ଉପରେ ଅଧାରିତ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହାକି ଓଡ଼ିଶା ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି।

ସମ୍ବନ୍ଧିତ ଖବର