ସନ୍ଦୀପଙ୍କ ଶତକ ସତ୍ତ୍ବେ ଓଡ଼ିଶା ୨୨୯/୭

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ କଣ୍ଟାବାଡ଼ସ୍ଥିତ ବିକାଶ କ୍ରି‌କେଟ୍‌ ପଡ଼ିଆରେ ସୋମବାରଠୁ ଓଡ଼ିଶା ଓ ଗୋଆ ମଧ୍ୟରେ ଆରମ୍ଭ ହୋଇଛି ରଣଜୀ ମୁକାବିଲା। ସନ୍ଦୀପ ପଟ୍ଟନାୟକ (୧୦୦)ଙ୍କ ଶତକ ଏବଂ ଶାନ୍ତନୁ ମିଶ୍ର (୫୯)ଙ୍କ ଅର୍ଧଶତକ ବଳରେ ଓଡ଼ିଶା ୭ ୱିକେଟ୍‌ ହରାଇ ୨୨୯ ରନ୍‌ କରିଛି। ପ୍ରଥମ ଦିନର ଷ୍ଟମ୍ପସ ଅପସାରଣ ବେଳକୁ ଅଭିଷେକ ରାଉତ ୧୩ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨୧ ରନ୍‌ରେ ଅପରାଜିତ ଅଛନ୍ତି।
ଟସ୍‌ ଜିତି ଗୋଆ ପ୍ରଥମେ କ୍ଷତ୍ରରକ୍ଷଣ କରିବାକୁ ନିଷ୍ପତ୍ତି‌ ନେଇଥିଲା। ଗୋଆ ବୋଲର ମଧ୍ୟ ଅଧିନାୟକଙ୍କ ନିଷ୍ପତ୍ତିକୁ ଠିକ୍‌ ଦର୍ଶାଇ ମାପଚୁପ ବୋଲିଂ କରି ଘରୋଇ ଦଳକୁ ହାତ ଖୋଲା ସଟ୍‌ ଖେଳିବାକୁ ଦେଇନଥିଲେ। ନବମ ଓଭରର ପ୍ରଥମ ବଲ୍‌ରେ ଗୋଆକୁ ଅନୁରାଗ ଷଡ଼ଙ୍ଗୀ (୨)ଙ୍କ ୱିକେଟ୍‌ ମିଳିଥିଲା। ଦଳୀୟ ସ୍କୋର୍‌ ମାତ୍ର ୯ ଥିଲା। କ୍ରିଜ୍‌ରେ ଜମି ଆସୁଥିଲା ବେଳେ ଦେବାଶିଷ ସାମନ୍ତରାୟ (୧୧)ଙ୍କୁ ଲକ୍ଷ୍ୟ ଗର୍ଗ ଆଉଟ୍‌ କରି ଗୋଆକୁ ଦ୍ବିତୀୟ ସଫଳତା ଦେଇଥିଲେ। ଅଧିନାୟକତ୍ବର ପ୍ରଥମ ପାଳିରେ ଶୁଭ୍ରାଂଶୁ ସେନାପତି (୪) ବିଫଳ ହେବାରୁ ୫୩ ରନ୍‌ରେ ୩ ୱିକେଟ୍‌ ହରାଇ ଘରୋଇ ଦଳ ସଂଙ୍କଟରେ ପଡ଼ିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ସନ୍ଦୀପଙ୍କ କ୍ରିଜ୍‌ରେ ଜମି ରହିଥିଲେ। ତାଙ୍କ ସହ ସାନ୍ତନୁ ମିଶ୍ର ଯୋଗ ଦେଇ ଚତୁର୍ଥ ୱିକେଟ୍‌ରେ ୧୧୭ ରନ୍‌ର ସମ୍ମାନରକ୍ଷାକାରୀ ଭାଗିଦାରୀ କରିଥିଲେ। ସନ୍ଦୀପ ମଧ୍ୟାହ୍ନ ଭୋଜନ ପରେ ନିଜର ଅର୍ଧଶତକ ହାସଲ କରିଥିଲା ବେଳେ ଚା’ ପାନ ବିରତି ପରେ ଶତକ ହାସଲ କରିଥିଲେ। ସନ୍ଦୀପ ଶତକ ହାସଲର ପରବର୍ତୀ ବଲ୍‌ରେ ଲକ୍ଷ୍ୟଙ୍କ ବୋଲିଂରେ ଗଲି ଅଞ୍ଚଳରେ ସୁୟାଶଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। ଶାନ୍ତନୁ ନିଜର ଅର୍ଧଶତକ ପୂର୍ଣ୍ଣ କରିବା ପରେ ଦଳୀୟ ସ୍କୋର୍‌ ୧୮୯ରେ ଆଉଟ୍‌ ହୋଇଥିଲେ। ୨୦୦ ରନ୍‌ ମଧ୍ୟରେ ପୂର୍ବତନ ଅଧିନାୟକ ବିପ୍ଲବ ସାମନ୍ତରାୟ (୭) ଏବଂ ୱିକେଟରକ୍ଷକ ସୁଜିତ୍‌ ଲେଙ୍କା (୫)ଙ୍କୁ ହରାଇଥିଲା। ଏହାପରେ ସୂର୍ଯ୍ୟକାନ୍ତ ପ୍ରଧାନ ନିଜର ଚିରାଚରିତ ବ୍ୟାଟିଂ କରି ଗୋଟିଏ ଛକା ଓ ୨ ଚୌକା ସହ ୨୧ ବଲ୍‌ରୁ ୨୧ ରନ୍‌ କରିଛନ୍ତି। ଗୋଆ ପକ୍ଷରୁ କ୍ରିଷ୍ଣା ଦାସ, ଲକ୍ଷ୍ୟ ଗର୍ଗ ଏବଂ ଅମୋଘ ଦେଶାଇ ୨ ଲେଖାଏଁ ୱିକେଟ୍‌ ନେଇଥିଲେ।
ସନ୍ଦୀପଙ୍କ ହ୍ୟାଟ୍ରିକ ଶତକ
୨୩ ବର୍ଷରୁ କମ୍‌ ସିକେ ନାଇଡ଼ୁ‌ ଟ୍ରଫି‌ରେ ଗତ ଦୁଇ ମ୍ୟାଚ୍‌ରେ ଶତକ ହାସଲ କରିଥିବା ରଣଜୀ ଦଳକୁ ପ୍ରତ୍ୟାବର୍ତନ କରିଥିବା ସନ୍ଦୀପ ପଟ୍ଟନାୟକ ଶତକ ହାସଲରେ ହ୍ୟାଟ୍ରିକ କରିଛନ୍ତି। ସି‌େକ‌ ନାଇଡ଼ୁ ଟ୍ରଫିରେ ରେଳବାଇ ବିପକ୍ଷରେ ୧୨୩ ଏବଂ ଜମ୍ମୁ କଶ୍ମୀର ବିପକ୍ଷରେ ୧୦୦ ରନ୍‌ କରିଥିଲେ। ଏହି ପ୍ରଦର୍ଶନ ଅଧାରରେ ସେ ଗୋବିନ୍ଦ ପୋଦ୍ଦାରଙ୍କ ବଦଳରେ ଡାକରା ପାଇିଥି‌ଲେ। ଏଠାରେ ମଧ୍ୟ କମାଲ କରି ୧୦୦ ରନ୍‌ ଜମାଇ ହ୍ୟାଟ୍ରିକ୍‌ ଶତକ ହାସଲ କରିଥିଲେ। ଏହା ତାଙ୍କ ଦ୍ବିତୀୟ ରଣଜୀ ଶତକ। ଗତ ବର୍ଷ ନିଜ ପ୍ରଥମ ଋତୁରେ ସନ୍ଦୀପ ସୌରାଷ୍ଟ୍ର ବିପକ୍ଷରେ ପ୍ରଥମ ଶତକ ହାସଲ କରିଥିଲେ। ଚଳିତ ବର୍ଷ ସେ ହରିଆନା (୨୦, ୬) ଏବଂ ଉତ୍ତର ପ୍ରଦେଶ (୦, ୪୬) ମ୍ୟାଚ୍‌ ପରେ ଦଳରୁ ବାଦ୍‌ ପଡ଼ିଥିଲେ। କିନ୍ତୁ ପ୍ରତ୍ୟାବର୍ତନ ପାଳିକୁ ଚମତ୍କାର ଢ଼ଙ୍ଗରେ ଶେଷ କରିଛନ୍ତି।
ଆମର ଲକ୍ଷ୍ୟ ୩୦୦: ଶୁଭ୍ରାଂଶୁ
ପ୍ରଥମରୁ ଲଗାତାର ଭାବେ ୱିକେଟ୍‌ ଖସିବାରୁ ଆମେ ଧୀମା ଖେଳିଥିଲୁ। ସନ୍ଦୀପ ବଢ଼ିଆ ଖେଳିଲେ। ସେ ସିକେ ନାଇଡ଼ୁରେ ଦୁଇଟି ଲଗାତାର ଶତକ ମାରିଥିବାରୁ ତାଙ୍କ ଉପରେ ଭରସା ଥିଲା। ସେ ମଧ୍ୟ କରି ଦେଖାଇଥିଲେ। ତାଙ୍କ ସହ ଶାନ୍ତନୁ ମଧ୍ୟ ଭଲ ସହଯୋଗ ଦେଇଥିଲେ। ଆମ ଟେଲ୍‌ ଏଣ୍ଡର ଭଲ ଖେଳୁଥିବାରୁ ୩୦୦ ରନ୍‌ ଲକ୍ଷ୍ୟ ରଖିଛୁ। ‌ବୋଲର ମଧ୍ୟ ଗତ ମ୍ୟାଚ୍‌ଗୁଡ଼ିକରେ ଭଲ କରିଛନ୍ତି। ଫଳରେ ଆମେ ବିଜୟ ପାଇଁ ଆଶା ରଖିଛୁ ବୋଲି କହିଛନ୍ତି ଶୁଭ୍ରାଂଶୁ।
ନିଶ୍ଚିତ ବିଜୟ ପାଇଁ ଖେଳିବୁ: ସଗୁନ
ସଂପ୍ରତି ଆମ ଦଳ ୬ ପଏଣ୍ଟ୍‌ ସହ ତାଲିକାରେ ତ୍ରିପୁରା (୧୧) ତଳକୁ ରହିଛୁ। ଫଳରେ ‌ପ୍ଲେଟ୍‌ ଗ୍ରୁପ୍‌କୁ ଖସିଯିବା ଆଶଙ୍କା ରହିଛି। ଏଥିଲାଗି ଆମକୁ ବିଜୟ ନିଶ୍ଚିତ ଦରକାର। ଏଥି ପାଇଁ ଶ୍ରେଷ୍ଠ ଦେବାକୁ ଚେଷ୍ଠା କରିବୁ। ପ୍ରଥମ ଦିନରେ ବୋଲରମାନେ ଭଲ କରିଛନ୍ତି। ଓଡ଼ିଶା ଧୀମା ଖେଳିବାରୁ ୱିକେଟ୍‌ ନେବାରେ ଅସୁବିଧା ହୋଇଥିଲା। ମଙ୍ଗଳବାର ମଧ୍ୟାହ୍ନଭୋଜନ ପୂର୍ବରୁ ଓଡ଼ିଶା ପାଳି ଶେ‌ଷ କରିବାକୁ ଚେଷ୍ଠା କରିବୁ କହିଛନ୍ତି ଗୋଆ ଅଧିନାୟକ ସଗୁନ କାମତ।
ବିକାଶରେ ‌ୟର୍କସାୟର ନାଗରିକ
ଓଡ଼ିଶା-ଗୋଆ ରଣଜୀ ମ୍ୟାଚ୍‌ ଦେଖିବା ଲଗି ବିକାଶ ପଡ଼ିଆରେ ପହଞ୍ଚିଛନ୍ତି ଇଂଲଣ୍ଡର ୟର୍କସାୟର ଅଧିବାସୀ ଇଆନ୍‌ ଜୋନ୍ସ। ସେ ଗୋଆର ଜଣେ ବଡ଼ ସମର୍ଥକ। ୫୯ ବର୍ଷୀୟ ଜୋନ୍ସ ନିଜ ଦେଶରେ ୬ ମାସ ରହୁଥିଲା ବେଳେ ଆଉ ୬ ମାସ ନିଜ ପତ୍ନୀ ସୁଜାନଙ୍କ ସହ ଗୋଆରେ ରୁହନ୍ତି। ୫ ବର୍ଷ ଧରି ଦଳର ସମର୍ଥକ ଭାବ‌େର ଗୋଆର ପ୍ରାୟ ସମସ୍ତ ମ୍ୟାଚ୍‌ରେ ତାଙ୍କ ଉପସ୍ଥିତ ଦେଖିବାକୁ ମିଳିଥାଏ।

ସମ୍ବନ୍ଧିତ ଖବର