୬ ବର୍ଷ ପରେ ଧୋନି ବଞ୍ଚିତ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନି ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସୋମବାରର ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ଖେଳି ପାରି ନଥିଲେ। ଆଘାତ ପ୍ରାପ୍ତ ହୋଇ କୌଣସି ମ୍ୟାଚ୍‌ରୁ ବଞ୍ଚିତ ହେବାରେ ଧୋନିଙ୍କ ଜାଜ୍ଜୁଲ୍ୟମାନ ଖେଳ ଜୀବନର ଏହା ମାତ୍ର ତୃତୀୟ ଘଟଣା ଥିଲା। ସେହିଭଳି ଦୀର୍ଘ ୬ ବର୍ଷ ପରେ ସେ ଏହି କାରଣରୁ କୌଣସି ଅନ୍ତର୍ଜାତୀୟ ଦିନିକିଆ ଖେଳି ପାରି ନଥିଲେ। ମାହି ଶେଷ ଥର ପାଇଁ ୨୦୧୩ରେ ମାଂସପେଶୀ ଯନ୍ତ୍ରଣା ପାଇଁ ତିନିଟି ମ୍ୟାଚ୍ ଖେଳି ପାରି ନଥିଲେ। ତା’ ସହ ଭୂତାଣୁ ଜ୍ବର ପାଇଁ ଆୟର୍ଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗ‌ୋଟିଏ ଲେଖାଏଁ ମ୍ୟାଚ୍ ଖେଳି ପାରି ନଥିଲେ। ହେଲେ ଏହି ଦୁଇଟି ମ୍ୟାଚ୍ ଅନ୍ତର୍ଜାତୀୟ ଦିନିକିଆ ନଥିଲା। ୩୭ ବର୍ଷୀୟ ଧୋନି ନିକଟରେ ଶେଷ ହୋଇଥିବା‌ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୫୧, ୫୫ ଓ ୮୭ ରନ୍‌ର ପାଳି ଖେଳି ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ସେ ଶୃଙ୍ଖଳା ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ମଧ୍ୟ ସେ ୩୩ ବଲ୍‌ରୁ ୪୮ ରନ୍ କରିଥିଲେ।

ସମ୍ବନ୍ଧିତ ଖବର