ଲଣ୍ଡନ,: ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ନୂଆ କରି ସହରବେସିତ ‘୧୦୦ ବଲ୍’ ପ୍ରତିଯୋଗିତା ଆୟୋଜନ କରିବାକୁ ପ୍ରସ୍ତୁତ ହୋଇଛି। ସାଧାରଣତ ଏହି ପ୍ରତିଯୋଗିତା ଆକାରରେ ପ୍ରଚଳିତ ଟେ୍ଵଣ୍ଟି-୨୦ କ୍ରିକେଟ୍ଠୁ ୨୦ ବଲ୍ କମ୍ ରହିବ। ଟେ୍ଵଣ୍ଟି-୨୦ରେ ମୋଟ ୧୨୦ ଲେଖାଏଁ ବଲ୍ ଖେଳାଯାଉଥିଲା ବେଳେ ଇସିବିର ପ୍ରସ୍ତାବିତ ନୂଆ ପ୍ରତିଯୋଗିତା ୧୦୦ ବଲ୍ ବିଶିଷ୍ଟ ହେବ। ଏଥିରେ ପାରମ୍ପରିକ ଭାବେ ୬ ବଲ୍ ବିଶିଷ୍ଟ ୧୫ ଓଭର ଖେଳାଯିବା ପରେ ଅନ୍ତିମ ଓଭର ୧୦ ବଲ୍ ବିଶିଷ୍ଟ ହେବ। ଯାହାକି ଫଟାଫଟ୍ କ୍ରିକେଟ୍ରେ ଏହା ଏକ ନୂଆ ଧାରା ଆଣିବ। ପୁଣି ଟେ୍ଵଣ୍ଟି-୨୦ ତୁଳନାରେ ପ୍ରତି ପାଳିରେ ୨୦ ବଲ୍ କମ୍ ଯୋଗୁଁ ନୂଆ ପ୍ରତିଯୋଗିତା ମଧ୍ୟ ୩ ଘଣ୍ଟାରେ ଶେଷ ହେବ। ଏଥିରେ ଉଭୟ ପୁରୁଷ ଓ ମହିଳା ଦଳକୁ ନେଇ ମଧ୍ୟ ପ୍ରତିଯୋଗିତା ଆୟୋଜିତ ହେବ।
ଏଭଳି ପ୍ରତିଯୋଗିତା ପ୍ରସ୍ତାବ ଇସିବି ଦ୍ୱାରା ବୋର୍ଡର ଅଧ୍ୟକ୍ଷ ଏବଂ ପ୍ରଥମ ଶ୍ରେଣୀ କାଉଣ୍ଟିଗୁଡ଼ିକର ମୁଖ୍ୟ କାର୍ଯ୍ୟନିବାହୀଙ୍କ ସାଙ୍ଗକୁ ଏମ୍ସିସିକୁ ଉପସ୍ଥାପିତ କରାଯାଇଥିଲା। ଆଉ ଏହି ପ୍ରସ୍ତାବ ବୋର୍ଡ ଦ୍ୱାରା ସର୍ବସମ୍ମତିକ୍ରମେ ସମର୍ଥନ ଲାଭ କରିଛି। ଏଭଳି ନୂଆ ଧାରାର ପ୍ରତିଯୋଗିତା ସାଉଥ୍ମ୍ପ୍ଟନ୍, ବିର୍ମିଙ୍ଗ୍ହାମ୍, ଲିଡ୍ସ, ଲଣ୍ଡନ, ମାଞ୍ଚେଷ୍ଟର, କାର୍ଡିଫ୍ ଓ ନଟିଂହାମ୍ ସହରରେ ଆୟୋଜିତ ହେବ ବୋଲି ଇସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ପ୍ରତିଯୋଗିତା ୫ ସପ୍ତାହ ଧରି ଚାଲିବ। ଏହି ପ୍ରତିଯୋଗିତା ବିଶେଷକରି ଯୁବ ଦର୍ଶକଙ୍କ ସାଙ୍ଗକୁ ନୂଆ ପ୍ରଶଂସକଙ୍କୁ ଆକର୍ଷିତ କରିବ ବୋଲି ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍ ହାରିସନ୍ କହିଛନ୍ତି। ଆମର ଏହି ନୂଆ ଧାରାର ପ୍ରତିଯୋଗିତା ଐତିହାସିକ ରୂପ ନେବ। ଆମେ ମଧ୍ୟ ଏହି ଖେଳର ଭବିଷ୍ୟତ ନେଇ ଯତ୍ନବାନ ହେବୁ ବୋଲି ହାରିସନ୍ କହିଛନ୍ତି। ଏହି ୧୦୦ ବଲ୍ ପ୍ରତିଯୋଗିତାରେ ଉଭୟ ନାଲି ଓ ଧଳା ବଲ୍ରେ ଖେଳୁଥିବା ୧୮ ପ୍ରଥମ ଶ୍ରେଣୀ କାଉଣ୍ଟି ଦଳ ଭାଗ ନେବେ। ଏହି ପ୍ରତିଯୋଗିତା ଇସିବିର ଟେ୍ଵଣ୍ଟି-୨୦, ବିସିସିଆଇର ଆଇପିଏଲ୍, ଅଷ୍ଟ୍ରେଲିଆର ବିଗ୍ ବାସ୍ ଏବଂ କାରିବିଆନ୍ ପ୍ରିମିୟର ଲିଗ୍ରୁ ଭିନ୍ନ ଭାବେ ସାରା ବିଶ୍ୱରେ ଚର୍ଚ୍ଚିତ ହେବ ବୋଲି ହାରିସନ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।