ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ସୁରେଶ ରାଇନା ଶନିବାର ୭୪ତମ ସ୍ବାଧୀନତା ଦିବସରେ ଅଚାନକ ଅବସର ଘୋଷଣା କରିଥିଲେ। ୨୦୧୯ ବିଶ୍ବକପ୍ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡଠୁ ଭାରତ ହାରିବା ପରଠୁ ଧୋନି ଆଉ ଦଳକୁ ଫେରିନଥିଲା ବେଳେ ରାଇନା ଶେଷ ଥର ପାଇଁ ୨୦୧୮ରେ ଦେଶ ପକ୍ଷରୁ ଖେଳିଥିଲେ। ଚେନ୍ନାଇରେ ପହଞ୍ଚିବା ପରେ ଧୋନିଙ୍କ ଅବସର ନିଷ୍ପତ୍ତି ବିଷୟରେ ଜାଣିବାକୁ ପାଇଲି। ଅବସର ଘୋଷଣା ପରେ ଆମେ ଦୁହେଁ କୋଳାକୋଳି ହୋଇ ବହୁତ କାନ୍ଦିଥିଲୁ ଏବଂ ଏହା ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ସାଥୀମାନଙ୍କ ସହ ପାର୍ଟି କରିଥିଲୁ ବୋଲି ରାଇନା କହିଛନ୍ତି।
‘‘ମୁଁ ଜାଣିଥିଲି ଧୋନି ଚେନ୍ନାଇରେ ପହଞ୍ଚିବା ପରେ ଅବସର ଘୋଷଣା କରିବେ। ତେଣୁ ମୁଁ ପ୍ରସ୍ତୁତ ଥିଲି। ୧୪ ତାରିଖରେ ମୁଁ, ପୀୟୁଷ ଚାୱଲା, ଦୀପକ ଚହର ଏବଂ କର୍ଣ୍ଣ ଶର୍ମା ଏକ ସ୍ବତନ୍ତ୍ର ​​ବିମାନରେ ରାଞ୍ଚିରେ ପହଞ୍ଚିଥିଲୁ। ମାହି ଭାଇ ଏବଂ ମୋନୁ ସିଂହଙ୍କୁ ଧରି ଚେନ୍ନାଇ ଫେରିଥିଲୁ। ଅବସର ଘୋଷଣା କରିବା ପରେ ଆମେ କୋଳାକୋଳି ହୋଇ ବହୁତ କାନ୍ଦିଥିଲୁ। ଏହାପରେ ମୁଁ, ପୀୟୁଷ, ଅମ୍ବାତି ରାୟୁଡୁ, କେଦାର ଯାଦବ ଓ କର୍ଣ୍ଣ ଏକାଠି ବସି ଆମର କ୍ୟାରିୟର ଓ ସମ୍ପର୍କ ବିଷୟରେ ଆଲୋଚନା କଲୁ ଏବଂ ଆମେ ରାତିରେ ପାର୍ଟି କରିଥିଲୁ’’ ବୋଲି ରାଇନା ପ୍ରକାଶ କରିଛନ୍ତି। ୧୩ ବର୍ଷର ଅନ୍ତର୍ଜାତୀୟ ଜୀବନରେ ରାଇନା ୧୮ ଟେଷ୍ଟ୍, ୨୨୬ ଦିନିକିଆ ଓ ୭୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। କିଛି ମ୍ୟାଚ୍ରେ ଦଳର ନେତୃତ୍ବ ମଧ୍ୟ ନେଇଥିଲେ। ଟେଷ୍ଟ୍ ପଦାର୍ପଣରେ ସେ ଶତକ ହାସଲ କରିଥିଲେ। ପ୍ରଥମ ଭାରତୀୟ ଭାବେ ତିନିଟି ଫର୍ମାଟରେ ବିଦେଶରେ ରାଇନା ଶତକ ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବା ପରେ ଉଭୟ ରାଇନା ଓ ଧୋନି ଆସନ୍ତା ମାସ ୧୯ ତାରିଖରୁ ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍ରେ ସିଏସ୍କେ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/dhoni-and-raina.jpg)