ଚାପରେ ଚପିଲା ଇଂଲଣ୍ଡ, ଟେଷ୍ଟ୍ ପରେ ଟ୍ବେଣ୍ଟି-୨୦ ଟ୍ରଫି କବ୍‌ଜା

ଅହମଦାବାଦ: ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଓ ଶୃଙ୍ଖଳା ନିର୍ଣ୍ଣାୟକ ପଞ୍ଚମ ମ୍ୟାଚ୍‌କୁ ୩୬ ରନ୍‌ରେ ଜିତି ନେଇ ଇଂଲଣ୍ଡକୁ ପୁଣି ଥରେ ଘାଇଲା କରିଛି ଭାରତ। ଟେଷ୍ଟ୍ ପରେ ‌ଟ୍ବେଣ୍ଟି-୨୦କୁ ରୋମାଞ୍ଚକ ଭାବେ ୩-୨ ବ୍ୟବଧାନରେ ଜିତି ନେଇ ଆଉ ଏକ ଶୃଙ୍ଖଳା ନିଜ ନାଁରେ କରିନେଇଛି ଟିମ୍ ଇଣ୍ଡିଆ। ଚାରିଟି ମ୍ୟାଚ୍ ପରେ ଶୃଙ୍ଖଳା ୨-୨ରେ ବରାବର ଥିବାରୁ ଶନିବାର ରାତିର ଲଢ଼େଇ ଯିଏ ଜିତିଥା’ନ୍ତା, ସିଏ ଶୃଙ୍ଖଳା ଜିତିବାର ଗୌରବ ହାସଲ କରିଥା’ନ୍ତା। ଆଉ ଏହି ହାଇସ୍କୋରିଂ ଟ୍ରଫି ଟକ୍କରରେ ଟାଣୁଆ ପ୍ରଦର୍ଶନ ଦେଇ ଲଗାତାର ଦ୍ବିତୀୟ ଶୃଙ୍ଖଳା ଜିତିଛି କୋହଲି ବାହିନୀ। ଏହା ପୂର୍ବରୁ ଖେଳାଯାଇଥିବା ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳାରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ୩-୧ରେ ବିଜୟୀ ହୋଇଥିଲା କୋହଲି ବାହିନୀ। ଏବେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତି ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପୂର୍ବରୁ ନିଜ ଆତ୍ମବିଶ୍ବାସକୁ ଆହୁରି ବଢ଼ାଇବା ସହ ଇଂଲଣ୍ଡକୁ ସ୍ପଷ୍ଟ ଚେତାବନୀ ଦେଇଛି। ଆଜି ଭାରତ ୨୨୫ ରନ୍‌ର ବଡ଼ ଓ କଷ୍ଟକର ବିଜୟ ଲକ୍ଷ୍ୟ ଦେବା ପରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୮୮/୮ କରି ମ୍ୟାଚ୍ ସହ ଶୃଙ୍ଖଳା ହାତଛଡ଼ା କରିଛି। ଭାରତ ଗସ୍ତରେ ଲଗାତାର ଦ୍ବିତୀୟ ଅନ୍ତର୍ଜାତୀୟ ଶୃଙ୍ଖଳା ମଧ୍ୟ ହାରିଛି।

ଚାପରେ ଚପିଲା ଇଂଲଣ୍ଡ
ଇଂଲଣ୍ଡର ପଶ୍ଚାତଧାବନ ଆରମ୍ଭରୁ ବାଟ ହୁଡ଼ିଥିଲା। ଦ୍ବିତୀୟ ବଲ୍‌ରେ ହିଁ ମ୍ୟାଚ୍‌ର‌ ଶ୍ରେଷ୍ଠ ଖେଳାଳି ଭୁବନେଶ୍ବର କୁମାର ବିପଜ୍ଜନକ ଜାସନ ରୟଙ୍କୁ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ତଥାପି ଜୋସ୍ ବଟଲର (୫୨) ଓ ଦାୱିଦ ମଲାନ (୬୮) ସାହସିକ ଏବଂ ଷ୍ଟ୍ରୋକଭରା ଦ୍ବିତୀୟ ୱିକେଟ୍‌ ଯୋଡ଼ିରେ ୧୩୦ ରନ୍ ଯୋଡ଼ି ଇଂଲଣ୍ଡ ପାଇଁ ଆଶା ସୃଷ୍ଟି କରିଥିଲେ। ତେବେ ବିଶାଳ ବିଜୟ ଲକ୍ଷ୍ୟ ହୋଇଥିବାରୁ ନିୟମିତ ବଡ଼ ସଟ୍ ଖେଳିବା ଚାପରେ ନିଜ ନିଜ ୱିକେଟ୍ ହରାଇଥିଲେ। ଉଭୟ କିନ୍ତୁ ଚିତ୍ତାକର୍ଷକ ଢଙ୍ଗରେ ନିଜ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ। ନିଜ ଦ୍ବିତୀୟ ସ୍ପେଲ୍‌ରେ ଫେରି ଭୁବନେଶ୍ବର ବଟଲର୍‌ଙ୍କୁ ହାର୍ଦିକ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍ କରାଇବା ପରେ ମ୍ୟାଚ୍ ଭାରତ ଆଡ଼କୁ ଢଳିବା ଆରମ୍ଭ ହୋଇଥିଲା। ସେହିଭଳି ଠିକଣା ସମୟରେ ଶାର୍ଦୁଳ ଠାକୁର ମଲାନଙ୍କୁ ଆଉଟ୍ କରି ଖେଳର ମୋଡ଼ ପୂରା ବଦଳାଇ ଦେଇଥିଲେ। ଏହା ପରେ କେବଳ ଯାହା ଔପଚାରିକତା ବାକି ଥିଲା। ଜନି ବେୟାରଷ୍ଟୋ, ବେନ୍ ‌ଷ୍ଟୋକ୍ସ, ଅଧିନାୟକ ଇଅନ ମୋର୍ଗାନ ଓ ଜୋଫ୍ରା ଆର୍ଚର ପ୍ରମୁଖ ବିଫଳ ହେବା ପରେ ଇଂଲଣ୍ଡ ୮ ୱିକେଟ୍ ହରାଇ ୧୮୮ ରନ୍‌ରେ ଅଟକି ଯାଇଥିଲା। ୧୨ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିବା ପରେ ଶେଷ ୮ ଓଭରର ଖରାପ ପ୍ରଦର୍ଶନ ପାଇଁ ହାରିଥିଲା ଇଂଲିସ୍ ଦଳ।

କୋହଲି-ରୋହିତ କମାଲରେ ୨୨୪/୨
ଶନିବାରର ଟ୍ରଫି ନିର୍ଣ୍ଣାୟକ ମୁକାବିଲାରେ ନୂଆ ରଣନୀତି ଏବଂ ନିଆରା ଓପନିଂ ଯୋଡ଼ିକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। କେଏଲ୍ ରାହୁଲଙ୍କୁ ବାଦ୍ ‌ଦେଇ ୬ ଜଣ ବୋଲରଙ୍କୁ ନେଇ ଖେଳିଥିବା ଭାରତ ପାଇଁ ହିଟ୍ ମ୍ୟାନ୍ ରୋହିତ ଶର୍ମା (୬୪)ଙ୍କ ସହ ଅଧିନାୟକ ତଥା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି କୋହଲି (୮୦*) ନିଜେ ପାଳି ଆରମ୍ଭ କରିଥିଲେ। ଉଭୟ ଆପାତତଃ ନିଜ ଲକ୍ଷ୍ୟ ବି ପୂରଣ କରିଥିଲେ। କେତେକ ଅଭିନବ ଓ ଆଖିଦୃଶିଆ ସଟ୍ ସହ ୫୪ ବଲ୍‌ରୁ ୯୪ ରନ୍ ସଂଗ୍ରହ କରିଥିଲେ। କୋହଲି ପାଳି ଗଢ଼ିବାରେ ଲାଗିଥିଲା ବେଳେ ରୋହିତ ଆକ୍ରମଣ ଉପରେ ଅଧିକ ଧ୍ୟାନ ଦେଇଥିଲେ। ବେନ୍ ଷ୍ଟୋକ୍ସଙ୍କ ବଲ୍‌ରେ ବୋଲ୍ଡ ହେବା ପୂର୍ବରୁ ନିଜ ୨୨ତମ ଅର୍ଦ୍ଧଶତକ ମାତ୍ର ୩୦ ବଲ୍‌ରୁ ହାସଲ କରି ନେଇଥିଲେ। ରୋହିତ ଯିବା ପରେ ଚତୁର୍ଥ ମ୍ୟାଚ୍‌ର ନାୟକ ସୂର୍ଯ୍ୟକୁମାର ଯାଦବ (୩୨) ପୁଣି ଥରେ ନିଜ ତେଜ ଦେଖାଇଥିଲେ। କେତେକ ବିସ୍ଫୋରକ ସଟ୍ ଖେଳି ଇଂଲଣ୍ଡ ବୋଲରଙ୍କୁ ନୟାନ୍ତ କରିଥିଲେ। ୧୨.୨ ଓଭରରେ ଭାରତ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୪୦ ରନ୍ କରି ନେଇଥିଲା। ତେବେ କ୍ରିସ୍ ଜୋର୍ଡାନ ଓ ଜାସନ ରୟ ସୀମା ରେଖା ପାଖରେ ଅବିସ୍ବଶନୀୟ ତାଳମେଳର ପରିଚୟ ନେଇ ଏକ ଅସାଧାରଣ କ୍ୟାଚ୍ ନେବା ପରେ ସୂର୍ଯ୍ୟାସ୍ତ ହୋଇଥିଲା। ସୂର୍ଯ୍ୟଙ୍କ ପାଳି‌ରେ ସେହିଠାରେ ପୂର୍ଣ୍ଣଛେଦ ପଡ଼ିଥିଲା। ଏହା ପରେ କୋହଲି ଓ ହାର୍ଦିକ ପାଣ୍ଡ୍ୟା ପ୍ରଶଂସନୀୟ ବ୍ୟାଟିଂ କରି ଅବିଭାଜିତ ତୃତୀୟ ୱିକେଟ୍‌ରେ ୮୧ ରନ୍ ଯୋଡ଼ି ଭାରତ ସ୍କୋର୍‌କୁ ୨୨୪/୨ରେ ପହଞ୍ଚାଇ ଦେଇଥିଲେ। କୋହଲି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଭାରତର ସର୍ବାଧିକ ସ୍କୋରର ହୋଇଥିଲେ। ସେ ୩୬ ବଲ୍‌ରୁ ୨୮ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଇଂଲଣ୍ଡ ବିପକ୍ଷରେ ଭାରତର ଏହା ଥିଲା ସର୍ବୋଚ୍ଚ ଟ୍ବେଣ୍ଟି-୨୦ ସ୍କୋର। ସେହିଭଳି ମୋଟ ଉପରେ ଚତୁର୍ଥ ଏବଂ ଘରୋଇ ମାଟିରେ ତୃତୀୟ ସର୍ବୋଚ୍ଚ ଦଳଗତ ରନ୍।

ସମ୍ବନ୍ଧିତ ଖବର