କୋହଲିଙ୍କ ପରେ କିଏ ? ଏହି ତିନି ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ଜୋରଦାର

ମୁମ୍ବାଇ:  ବିରାଟ କୋହଲି  ପଦ ଛାଡିବା ପରେ ଏବେ କିଏ ହେବେ ଭାରତୀୟ ଟେଷ୍ଟ୍ କ୍ରି‌କେଟ ଦଳର ପରବର୍ତୀ ଅଧିନାୟକ?  ଏହାକୁ ନେଇ  ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପଦ ପାଇଁ ଏବେ ତିନି ଜଣଙ୍କ ନାଁ ସାମ୍ନାକୁ ଆସୁଛି-ରୋହିତ ଶର୍ମା, କେ. ଏଲ୍ ରାହୁଲ ଓ ଋଷଭ ପନ୍ତ । ବରିଷ୍ଠ କ୍ରିକେଟର ଓ କ୍ରୀଡ଼ାପ୍ରେମୀଙ୍କ ମତରେ ରୋହିତ ଶର୍ମାଙ୍କୁ ଟେଷ୍ଟ ଅଧିନାୟକ କରିବା ଆବଶ୍ୟକ । କିନ୍ତୁ ବିସିସିଆଇ ରୋହିତଙ୍କୁ ଅଧିନାୟକ କରିବା ମୁଡରେ ନ ଥିବା ଜଣାପଡ଼ିଛି । ହେଲେ ଯଦି ବିସିସିଆଇ ତିନିଟି ଫର୍ମାଟ୍ ପାଇଁ ଜଣେ ଅଧିନାୟକ ରଖିବାକୁ ଚାହେଁ, ତେବେ ରୋହିତ ଶର୍ମାଙ୍କୁ ଏହି ପଦ ମିଳିପାରେ ।

ରୋହିତ ଶର୍ମା ଦିନିକିଆ ଓ ଟି-୨୦ରେ ଅଧିନାୟକ ଅଛନ୍ତି । ରୋହିତଙ୍କ ପରେ ରାହୁଲ ନାଁ ଚର୍ଚ୍ଚାରେ ରହିଛି । ରୋହିତ ଅଧିନାୟକ ନହେଲେ ସବୁଠୁ ଆଗରେ ରହିବ କେ. ଏଲ୍. ରାହୁଲଙ୍କ ନାଁ । ଏବେ ରାହୁଲ ଭଲ ଫର୍ମରେ ଅଛନ୍ତି । ଟେଷ୍ଟ ଦଳର ଉପଅଧିନାୟକ ମଧ୍ୟ ଅଛନ୍ତି ରାହୁଲ । ଗତ ଦକ୍ଷିଣ ଆଫ୍ରିକା ସରିଜର ଗୋଟିଏ ମ୍ୟାଚରେ ଅଧିନାୟକ ହୋଇଥିଲେ ରାହୁଲ । କୋହଲି ଆହତ ଥିବାରୁ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା । ରାହୁଲଙ୍କ ପରେ ତୃତୀୟ ଖେଳାଳି ଭାବେ ଋଷଭ ପନ୍ତଙ୍କ ନାଁ ଚର୍ଚ୍ଚାରେ ରହିଛି ।  ୨୪ ବର୍ଷୀୟ ଖେଳାଳି  ଋଷଭ ପନ୍ତ ସବୁ ଫର୍ମାଟରେ ଚୂଡାନ୍ତ ଏକାଦଶରେ ନିଜର ସ୍ଥାନ ପକ୍କା କରୁଛନ୍ତି । ଜଣେ ଭଲ ୱିକେଟ୍ କିପରି ଭାବେ ନିଜର ଦକ୍ଷତା ଦେଖାଉଛନ୍ତି । ଭଲ ଫର୍ମରେ ମଧ୍ୟ ରହିଛନ୍ତି ପନ୍ତ । ତେଣୁ ତାଙ୍କୁ ମଧ୍ୟ ଏହି ପଦ ମିଳିବା ସମ୍ଭାବନା ରହିଛି । ଅନ୍ୟତମ ଦାବିଦାର ଆଜିଙ୍କ୍ୟ ରାହଣେ ଭଲ ଫର୍ମରେ ନଥିବାରୁ ତାଙ୍କୁ ଅଧିନାୟକ କରା ନଯାଇପାରେ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର