ନୂଆଦିଲ୍ଲୀ: କାଲିଠୁ ଆଜି ଯାଏଁ ଯେମିତି ସବୁଠି ଶୁଭୁଛି ଇଣ୍ଡିଆ... ଇଣ୍ଡିଆ... ନାରା । ସେମିତି ଶୁଭୁଛି ବି ରୋହିତ... ରୋହିତ... କାରଣ ଫାଇନାଲରେ ଗତକାଲି ଦମ୍ ଦେଖାଇଛନ୍ତି ରୋହିତ ଶର୍ମା । ଆଉ ଟିମ୍ ଇଣ୍ଡିଆକୁ ମହାବିଜୟ ଦେଇ ମହାନାୟକ ସାଜିଛନ୍ତି ରୋହିତ ।
ସେମି ଫାଇନାଲରେ କୋହଲି ଦମଦାର ପ୍ରଦର୍ଶନ କରିଥିବା ବେଳେ ରୋହିତ ଫାଇନାଲ ଫାଇଟରେ ଚମତ୍କାର ପ୍ରଦର୍ଶନ କରି ଟିମକୁ ବିଜୟୀ କରାଇଛନ୍ତି । ୮୩ଟି ବଲରେ ରୋହିତ ୭୬ ରନ୍ କରିଛନ୍ତି । ଯେଉଁଥିରେ ୩ଟି ଛକା ଏବଂ ୭ଟି ଚୌକା ରହିଛି । ଯଦିଓ ଶତକରୁ ନିରାଶ ହୋଇଛନ୍ତି ରୋହିତ ମାତ୍ର ତାଙ୍କର ଏହି ବିରାଟ ସ୍କୋର ପୂରା ଦଳକୁ ଓଜନଦାର ବିଜୟ ଦେଇଛି ।
ଗତ ମ୍ୟାଚରେ ରୋହିତଙ୍କ ପ୍ରଦର୍ଶନକୁ ନେଇ ସମାଲୋଚନା ହେଉଥିବା ବେଳେ ଗତକାଲିର ଫାଇନାଲ ମ୍ୟାଚରେ ରୋହିତ ବାହିନୀ ଚାମ୍ପିୟନ ହେବା ପରେ ରୋହିତଙ୍କୁ ତାଙ୍କ ପ୍ରଶଂସକ ସୁପର ହିଟ୍ ରୋହିତ ବୋଲି ଡାକିବା ଆରମ୍ଭ କରି ଦେଇଛନ୍ତି ।
ସେପଟେ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଟାଇଟଲ ହାତେଇବା ପରେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ରୋହିତ କହିଛନ୍ତି, ସେ ଏବେ କ୍ରିକେଟରୁ ଅବସର ନେଉନାହାନ୍ତି । ରୋହିତ କହିଛନ୍ତି, ତାଙ୍କର କୌଣସି ଭବିଷ୍ୟତ କାର୍ଯ୍ୟସୂଚୀ ନାହିଁ। ଯେମିତି ଚାଲୁଛି ସେମିତି ଚାଲିବ।
ଫର୍ମରେ ନଥିବା ଯୋଗୁ ରୋହିତଙ୍କୁ ଅବସର ନେବାକୁ ଚାରିଆଡୁ ଚାପ ପଡୁ ଥିଲା । କିନ୍ତୁ ଫାଇନାଲ ମ୍ୟାଚରେ ୭୬ ରନର ଇନିଂସ ଖେଳି ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ରୋହିତ । ସେପଟେ ଅବସରକୁ ନେଇ ରୋହିତଙ୍କ ପୂର୍ବତନ କୋଚ କହିଛନ୍ତି, ୨୦୨୭ ବିଶ୍ବକପ ପରେ ରୋହିତ ଅବସର ଗ୍ରହଣ କରିବେ ।