ଏଜି ଓଡ଼ିଶା, କଟକ-ଏର ଯୁଗଳ ବିଜୟ

ଅନ୍ତଃଜିଲ୍ଲା ଓ ରାଜ୍ୟ ଟିଟି ପ୍ରତିଯୋଗିତା ଆରମ୍ଭ

ଅନୁଗୁଳ: ଅନୁଗୁଳ ଟେବୁଲ ଟେନିସ୍‌ ଏକାଡେମି ତଥା ଇଣ୍ଡୋର ହଲ୍‌ରେ ବୁଧବାରଠୁ ଆରମ୍ଭ ହୋଇଛି ୨୩ତମ ନାଲ୍‌କୋ ଅନ୍ତଃ ଜିଲ୍ଲା ଓ ରାଜ୍ୟ ଟେବୁଲ ଟେନିସ୍‌ ପ୍ରତିଯୋଗିତା। ଏଥିରେ ମୋଟ ୨୦ ଜିଲ୍ଲା ଓ ସଂଘମାନଙ୍କରୁ ୨୮୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୨ ଶୃଙ୍ଖଳ (ପୁରୁଷ ଦଳଗତ, କନିଷ୍ଠ ବାଳକ ଦଳଗତ, ପୁରୁଷ ଏକକ, ମହିଳା ଏକକ, ଯୁବ ବାଳକ ଦଳଗତ, କ୍ୟାଡେଟ୍‌ ବାଳକ ଏକକ, କ୍ୟାଡେଟ୍‌୍‌ ବାଳିକା ଏକକ, ଉପକନିଷ୍ଠ ବାଳକ ଏକକ, ଉପକନିଷ୍ଠ ବାଳିକା ଏକକ, କନିଷ୍ଠ ବାଳକ ଏକକ, କନିଷ୍ଠ ବାଳିକା ଏକକ ଓ ଭେଟେରାନ୍‌ ଏକକ)ରେ ପ୍ରତିଦ୍ୱନ୍ଦ୍ୱିତା ହେବ। ପ୍ରଥମ ଦିନ ପୁରୁଷ ଦଳଗତ ଗ୍ରୁପ୍‌ ପର୍ଯ୍ୟାୟରେ ଏଜି ଓଡ଼ିଶା ଓ କଟକ-ଏ ଦଳ ଯୁଗଳ ବିଜୟ ହାସଲ କରିଛନ୍ତି। ଏଜି ଦଳ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ପୁରୀ ଓ ଖୋର୍ଧାକୁ ସମାନ ୩-୦ ଲେଖାଏଁ ବ୍ୟବଧାନରେ ପରାସ୍ତ କରିଥିଲା ବେଳେ କଟକ-ଏ ଦଳ ମଧ୍ୟ ସମାନ ୩-୦ ଲେଖାଏଁ ବ୍ୟବଧାନରେ ଉଭୟ ବ୍ରହ୍ମପୁର ଓ ଭୁବନେଶ୍ୱରକୁ ହରାଇଛି। ଅନ୍ୟପକ୍ଷରେ କଟକ-ବି ୩-୦ରେ ନାଲ୍‌କୋ (ଦାମନଯୋଡ଼ି)କୁ, ଖୋର୍ଧା ୩-୨ରେ ପୁରୀକୁ, ନାଲ୍‌କୋ ୩-୦ରେ ଖୋର୍ଧାକୁ, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ ୩-୦ରେ ଅନଗୁଳକୁ ପରାସ୍ତ କରିଛି।

ଅନ୍ୟପକ୍ଷରେ କନିଷ୍ଠ ବାଳକ ଦଳଗତ ଗ୍ରୁପ୍‌ ପର୍ଯ୍ୟାୟରେ କଟକ-ଏ ୩-୦ରେ ବରଗଡ଼କୁ, ଖୋର୍ଧା ୩-୦ରେ ବ୍ରହ୍ମପୁରକୁ, କଟକ-ବି ୩-୦ରେ ପୁରୀକୁ ଏବଂ ଭୁବନେଶ୍ୱର ୩-୦ରେ ଅନଗୁଳକୁ ପରାସ୍ତ କରିଦେଇଛି।

ବୁଧବାର ଅତିରିକ୍ତ ମୁଖ୍ୟ ସଚିବ (ଏମ୍‌ଏସ୍‌ଏମ୍‌ଇ ବିଭାଗ) ତଥା ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍‌ ସଂଘ ସଭାପତି ଏଲ୍‌ଏନ୍‌ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନାଲ୍‌କୋ (ଅନଗୁଳ) କାର୍ଯ୍ୟନିବାହୀ ନିର୍ଦେଶକ ଆର୍‌କେ ମିଶ୍ର, ଓଡ଼ିଶା ଟିଟି ସଂଘର ସଂପାଦକ ରବୀନ୍ଦ୍ର କୁମାର ପରିଡ଼ା ଉପସ୍ଥିତ ଥିଲା ବେଳେ ଅନଗୁଳ ଜିଲ୍ଲାପାଳ ତଥା ଟିଟି ଏକାଡେମି ସଭାପତି ଅନିଲ କୁମାର ସାମଲ ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର