ମାଦ୍ରିଦ୍‌ : ପର୍ତୁଗାଲ୍‌ ଫରୱାର୍ଡ କ୍ରିଷ୍ଟିଆନ୍‌ ରୋନାଲ୍‌ଡୋ ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ ତାଙ୍କ ପ୍ରତ୍ୟାବର୍ତନରେ ୭ ନମ୍ବର ଜର୍ସି ପିନ୍ଧି ଖେଳିବାକୁ ଅନୁମତି ପାଇଛନ୍ତି। ୨୦୦୩ରୁ ୨୦୦୯ ମଧ୍ୟରେ ରୋନାଲ୍‌ଡୋ ୬ ଋତୁ ଧରି ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ ଖେଳିଥିଲେ। ସେଥିମଧ୍ୟରେ ସେ ୮ ବୃହତ୍‌ ଟ୍ରଫି ଜିତିଥିଲେ। ଏବେ ଚଳିତ ସପ୍ତାହରେ ଜୁଭେଣ୍ଟସ୍‌ ଛାଡ଼ି ସେ ପୁନର୍ବାର ମାଞ୍ଚେଷ୍ଟରକୁ ଫେରିଛନ୍ତି ଏବଂ ୨ ବର୍ଷିୟା ଚୁକ୍ତି କରିଛନ୍ତି। ଏହି କ୍ଲବ୍‌ ପକ୍ଷରୁ ପ୍ରଥମ ମ୍ୟାଚ୍‌ରୁ ହିଁ ତାଙ୍କୁ ୭ ନମ୍ବର ଜର୍ସି ପ୍ରଦାନ କରାଯାଇଛି ବୋଲି ଦି ଓଲ୍‌ଡ ଟ୍ରାଫୋଡ୍‌ କ୍ଲବ୍‌ ପକ୍ଷରୁ କୁହାଯାଇଛି। ଫଳରେ ସେ ଏହି କ୍ଲବ୍‌ର ମହାନ୍‌ ତାରକା ଜର୍ଜ ବେଷ୍ଟ, ବ୍ରିୟାନ୍‌ ରବ୍‌ସନ୍‌, ଏରିକ୍‌ କାଣ୍ଟୋନା ଏବଂ ଡେଭିଡ୍‌ ବେକ୍‌ହାମ୍‌ଙ୍କ ପଦାଙ୍କ ଅନୁସରଣ କରିବେ। ତେଣୁ ଗତ ସଂସ୍କରଣରେ ୭ ନମ୍ବର ଜର୍ସି ପରିଧାନ କରିଥିବା ମାଞ୍ଚେଷ୍ଟର ଷ୍ଟ୍ରାଇକର ଏଡିସନ୍‌ କାଭାନି ୨୧ ନମ୍ବର ଜର୍ସିକୁ ବଦଳିଯିବେ। ଏଡିସନ୍‌ ମଧ୍ୟ ନିଜ ଉରୁଗୁଏ ଦଳ ପକ୍ଷରୁ ଆନ୍ତର୍ଜାତିକ ଦାୟିତ୍ବ ବେଳେ ସେହି ୨୧ ନମ୍ବର ଜର୍ସି ପିନ୍ଧିଥା’ନ୍ତି। ରୋନାଲ୍‌ଡୋଙ୍କୁ ଏବେ ୭ ନମ୍ବର ଜର୍ସି ମିଳିଯିବା ପରେ ସେ ଏହି ଜର୍ସି ଫେରିପାଇବା ନେଇ ନିଶ୍ଚିତ ନଥିଲେ, ହେଲେ ପୁଣି ଜର୍ସି ଫେରିପାଇଥିବାରୁ ସେ କ୍ଲବ୍‌କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ଅନ୍ୟପକ୍ଷରେ ପର୍ତୁଗାଲ୍‌ ପକ୍ଷରୁ ବୁଧବାର ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ ବିଜୟୀ ୨ ଗୋଲ୍‌ କରିଥିବା ରୋନାଲ୍‌ଡୋ ନିଜର ସାର୍ଟ ଖୋଲି ବିଜୟ ଉତ୍ସବ ପାଳିନ କରିବାକୁ ସହଜରେ ଗ୍ରହଣ କରିନପାରି ପର୍ତୁଗାଲ ଫୁଟ୍‌ବଲ୍‌ ଫେଡେରେସନ୍‌ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ନିଲମ୍ବିତ କରିଛି। ଯାହାଫଳରେ ରୋନାଲ୍‌ଡୋ ମଙ୍ଗଳବାର ଆଜରବୈଜାନ୍‌ ଗସ୍ତରୁ ବଞ୍ଚିତ ହେବେ। ଏପରିକି ସେ ାନିବାର ବିଶ୍ବକପ୍‌ ଆୟୋଜକ କାତାର ବିପକ୍ଷ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବାରୁ ମଧ୍ୟ ବଞ୍ଚିତ ରହିବେ।