ପୁଣି ଖୋଲିଲା କଙ୍ଗାରୁ ପେଡ଼ି:ଆସେସରେ ବି କରିଥିଲେ

ପଦାକୁ ଆସିଲା ବନ୍‌କ୍ରଫ୍ଟଙ୍କ ସିଡ୍‌ନି ଭିଡିଓ:ଇଂଲଣ୍ଡକୁ ଚିନିରେ ଦେଇଥିଲେ ଚକ୍‌ମା

କେପ୍‌ଟାଉନ୍‌: କେବଳ କେପ୍‌ଟାଉନ୍‌ ନୁହେଁ ଆସେସ୍‌ ଶୃଙ୍ଖଳାରେ ମଧ୍ୟ ଅଷ୍ଟ୍ରେଲିଆ ଖେଳାଳିମାନେ ବଲ୍‌ ବିକୃତ କରିଥିଲେ। ଯାହାର ପ୍ରମାଣ ସୋମବାର ମିଳି ଯାଇଛି। ଇଂଲଣ୍ଡ ବିପକ୍ଷ ପାଞ୍ଚ ଟିକିଆ ଆସେସ୍‌ ଶୃଙ୍ଖଳାର ଖଳନାୟକ ସେହି କାମେରୁନ୍‌ ବନକ୍ରଫ୍ଟ ଥିଲେ। ତେବେ ପରଦା ପଛରେ ରହି ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ହିଁ ତାଙ୍କୁ ଏଭଳି କରିବାକୁ ପ୍ରବର୍ତାଇ ଥିଲେ।
ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଗୋଟିଏ ଟେଷ୍ଟରୁ ବାସନ୍ଦ ହେବା ଏବଂ ମ୍ୟାଚ୍‌ ପାଉଣାର ଶତପ୍ରତିଶତ ଜରିମାନା ଦେବା ପରେ ମଧ୍ୟ ବଲ୍‌ ଟ୍ୟାମ୍ପରିଂ ବା ବଲ୍‌ ବିକୃତୀକରଣ ବିବାଦ ଥମିବାର ନାଁ ନେଉନାହିଁ। ସ୍ମିଥ୍‌ଙ୍କ କଳା ଯୋଜନାକୁ ପଡ଼ିଆ ଭିତରେ କାର୍ଯ୍ୟକାରୀ କରିଥିବା ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କାମେରୁନ୍‌ ବନକ୍ରଫ୍ଟଙ୍କ ଆଉ ଏକ ବିବାଦୀୟ ଭିଡିଓ ପଦାକୁ ଆସିଛି। ଏଥିରେ ସେ ନିଜ ପାଇଜାମା ପକେଟରେ କିଛି ଚିନି ଦାନା ପୂରାଉ ଥିବା ଦେଖିବାକୁ ମିଳୁଛି। ଫଳରେ ବନକ୍ରଫ୍ଟ ଯେ ବଲ୍‌ ଟ୍ୟାମ୍ପରିଂର ପୁରୁଣା ଖେଳାଳି ତାହା ସ୍ପଷ୍ଟ ହୋଇଛି। ଏହି ଭିଡିଓ ସିଡ୍‌ନି ପଡ଼ିଆରେ ଖେଳା ଯାଇଥିବା ଚଳିତ ବର୍ଷର ଆସେସ୍‌ ଶୃଙ୍ଖଳା ପଞ୍ଚମ ତଥା ଶେଷ ଟେଷ୍ଟ୍‌ ବେଳର ବୋଲି ଜଣାପଡ଼ିଛି। ଏହି ମ୍ୟାଚ୍‌ ଚଳିତ ମାସ ଜାନୁଆରି ୪ ତାରିଖରେ ଆରମ୍ଭ ହୋଇଥିଲା। ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଳି ଏବଂ ୧୨୩ ରନ୍‌ରେ ବିଜୟୀ ହୋଇଥିଲା। ଶୃଙ୍ଖଳାକୁ ମଧ୍ୟ କଙ୍ଗାରୁ ଦଳ ଏକତରଫା ଭାବେ ୪-୦ରେ ଜିତି ନେଇଥିଲା। ବନକ୍ରଫ୍ଟ କେଉଁ କାରଣରୁ ଚିନିି ପକେଟରେ ପୂରାଉଥିଲେ ତାହା ଅବଶ୍ୟ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚିତ ହେଉଥିବା ଏହି ଭିଡିଓରୁ ସ୍ପଷ୍ଟ ହେଉନାହିଁ। ତେବେ ସେ ଏହାକୁ ବଲ୍‌ର ଗୋଟିଏ ପଟକୁ ଚିକ୍କଣ କରିବାରେ ବ୍ୟବହାର କରିଥିବା ଅନୁମାନ କରାଯାଉଛି। ସେତେବେଳେ ସେ କିନ୍ତୁ ଏଥିରୁ ସହଜରେ ଖସି ଯାଇଥିଲେ। କେପଟାଉନରେ କିନ୍ତୁ ବଲ୍‌ ଉପରେ ବାଲି କାଗଜ ଘସି ଧରା ପଡ଼ି ଯାଇଥିଲେ। ତେବେ ଅତୀତରେ ସେ ଅନେକ ଥର ଏହି ଭଳି ଭାବେ କ୍ରିକେଟ୍‌ ଜଗତକୁ ଠକିଥିବାର ଆଶଙ୍କା ଏବେ ଦେଖା ଦେଇଛି। ଚିନିି ସାଧାରଣତଃ ବଲ୍‌ର ପାଲଟା ଘୂର୍ଣ୍ଣନରେ ସହାୟକ ହୋଇଥାଏ। ଚିନିିକୁ ପକେଟରେ ରଖି ଏହାକୁ ଝାଳରେ ମିଶାଇ ଖେଳାଳିମାନେ ବଲ୍‌ର ଗୋଟିଏ ପଟକୁ ଚିକ୍କଣ ରଖି ଅନ୍ୟ ପଟକୁ ସେମିତି ଛାଡ଼ି ଦିଅନ୍ତି। ଫଳରେ ଯେଉଁପଟ ତୁଳନାତ୍ମକ ଭାବେ ଅଧିକ ଚିକ୍କଣ ଥାଏ ସେହିପଟକୁ ବଲ୍‌ ଘୂରିଥାଏ। ବନକ୍ରଫ୍ଟଙ୍କ ନୂଆ ଭିଡିଓ ପଦାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଆହୁରି କଠୋର ଦଣ୍ଡବିଧାନ ଦାବି ଜୋର ଧରିଛି। ସାରା ବିଶ୍ୱର କ୍ରିକେଟରମାନେ ତାଙ୍କୁ ଭର୍ତ୍ସନା କରିଛନ୍ତି। ବନକ୍ରଫ୍ଟ ବଲ୍‌ ବିକୃତୀକରଣର ସର୍ଦାର ବୋଲି କେହି କେହି କହିଛନ୍ତି।
ଦାନ୍ତ, ବୋତଲ ଓପନର, ଲିପ୍‌ ବାମ୍‌, ହେୟାରଜେଲ୍‌ରେ ହୋଇ ସାରିଛି
ସମୟକ୍ରମେ କ୍ରିକେଟ୍‌ ଖେଳାଳିମାନେ ଭିନ୍ନ ଭିନ୍ନ ଏବଂ ଅଭିନବ ଉପାୟରେ ବଲ୍‌ ବିକୃତି ବା ବଲ୍‌ ଟ୍ୟାମ୍ପରିଂ କରିଛନ୍ତି। ପାଲଟା ସୁଇଂ ପାଇଁ ସେମାନେ ନିଜ ଦାନ୍ତ, ବଟଲ ଓପନର, ଲିପ୍‌ ବାମ୍‌ ଓ ହେୟାରଜେଲ୍‌ ଆଦି ବ୍ୟବହାର କରି ସାରିଛନ୍ତି। କାମେରୁନ୍‌ ବନକ୍ରଫ୍ଟ ଆଉ ପାଦେ ଆଗେଇଯାଇ କେପଟାଉନ ଟେଷ୍ଟ୍‌ରେ ବାଲିକାଗଜର ଉପଯୋଗ କରିଥିଲେ। କ୍ରିକେଟ୍‌କୁ ଭଦ୍ର ଲୋକର ଖେଳ କୁହା ଯାଉଥିଲେ ମଧ୍ୟ ବଲ୍‌ ବିକୃତି ଭଳି ନିନ୍ଦନୀୟ କାର୍ଯ୍ୟ ଏଥିରେ ବହୁ ଦଶନ୍ଧି ଧରି ଚାଲି ଆସୁଛି। କେପଟାଉନ ଟେଷ୍ଟରେ ସମ୍ଭବତଃ ଏହା ଟିକିଏ ଅଧିକ ଚର୍ଚିତ ହୋଇଛି। ଏପରିକି ବିଭିନ୍ନ ଦେଶର ଘରୋଇ କ୍ରିକେଟରେ ଏହା ଏକ ବ୍ୟାଧିରେ ପରିଣତ ହୋଇଛି।
ଏମିତି ଧରାପଡ଼ିଥିଲା ଅଷ୍ଟ୍ରେଲିଆର ଠକେଇ
କେପଟାଉନ ଟେଷ୍ଟ୍‌ର ତୃତୀୟ ଦିନରେ କାମେରୁନ୍‌ ବନକ୍ରଫ୍ଟ ବାଲିକାଗଜ ଘସି ବଲ୍‌ର ଆକାର ବଦଳାଇବାକୁ ଚେଷ୍ଟା କରୁଥିଲା ବେଳେ ଧରାପଡ଼ିଥିଲେ। ହେଲେ ପାଲଟା ସୁଇଂ ପାଇଁ ଅଷ୍ଟ୍ରେଲିଆ ଖେଳାଳିମାନେ ଯେ କିଛି ଗୋଟାଏ କାରସାଦି କରୁଛନ୍ତି ତା’ର ଆଭାସ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଦ୍ୱିତୀୟ ଦିନରୁ ପାଇ ସାରିଥିଲେ। ଅଷ୍ଟ୍ରେଲିଆ ବୋଲରମାନେ ୩୦ ଓଭର ପୂର୍ବରୁ ବଲ୍‌କୁ ଉଭୟ ପଟକୁ ଘୂରାଇବା ହିଁ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ଏପରିକି ଘାସ ନଥିବା ଓ୍ଵିକେଟ୍‌ରେ ବଲ୍‌ ଏଭଳି ବ୍ୟବହାର କରିବା ନେଇ କେତେକ ପୂର୍ବତନ ଦକ୍ଷିଣ ଆଫ୍ରିକା ବୋଲର ବି ସନ୍ଦେହ ପ୍ରକଟ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଏଥିଲାଗି ଦ୍ୱିତୀୟ ଦିନର ଖେଳ ଶେଷ ପରେ ଆନୁଷ୍ଠାନିକ ଭାବେ କଙ୍ଗାରୁ ଉପ ଅଧିନାୟକ ଡେଭିଡ୍‌ ଓ୍ଵାର୍ନରଙ୍କ ନାଁରେ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଓ୍ଵାର୍ନର ତାଙ୍କ ଅଙ୍ଗୁଳିରେ ଗୁଡ଼ାଇଥିବା ଟେପରେ କିଛି ଗୋଟାଏ ରଖିଥିବା ସେମାନେ ଆଶଙ୍କା କରିଥିଲେ। ହେଲେ ପ୍ରମାଣ ନଥିବାରୁ ଓ୍ଵାର୍ନର ଏହି ଅଭିଯୋଗରୁ ଆରାମରେ ଖସି ଯାଇଥିଲେ। ଏହା ପରେ ପ୍ରମାଣ ଯୋଗାଡ଼ କରିବା ଦାୟିତ୍ୱ ଦକ୍ଷିଣ ଆଫ୍ରିକା ଦଳ ମ୍ୟାଚ୍‌ର ପ୍ରସାରଣକାରୀ ସଂସ୍ଥା ସୁପରସ୍ପୋର୍ଟସ ନେଟ୍‌ଓ୍ଵାର୍କକୁ ଦେଇଥିଲା। ସେଠାରୁ ସୁପରସ୍ପୋର୍ଟସ ନେଟଓ୍ଵାର୍କ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଧରିବାକୁ ଯୋଜନା କରିଥିଲା। ସଂସ୍ଥାର କ୍ୟାମେରାମ୍ୟାନ୍‌ ଅଷ୍ଟ୍ରେଲିଆ ବୋଲର ପକାଉଥିବା ପ୍ରତି ବଲ୍‌ ଏବଂ ପଡ଼ିଆ ଭିତରେ ଏହିି ଦଳର ଖେଳାଳିଙ୍କ ପ୍ରତିଟି ପ୍ରତିକ୍ରିୟାକୁ ଅତି ନିକଟରୁ ସୁଟିଂ କରିଥିଲେ। ଦେଢ଼ ଘଣ୍ଟା ଧରି ବିଭିନ୍ନ କ୍ୟାମେରାରେ ୧୧ ଜଣ ଯାକ କଙ୍ଗାରୁ ଖେଳାଳିଙ୍କୁ ଅନୁଧ୍ୟାନ କରିବା ପରେ ଶେଷରେ ସେମାନେ ବିଛାଇଥିବା ଜାଲରେ ବନକ୍ରଫ୍ଟ ଫସି ଯାଇଥିଲେ। ବନକ୍ରଫ୍ଟ କିଛି ଗୋଟାଏ କରୁଥିବା ସନ୍ଦେହ ହେବା ପରେ ଏହାକୁ ସୁଟିଂ କରି ସେମାନେ ବଡ଼ ପରଦାରେ ଦେଖାଇ ଦେଇଥିଲେ।

ସମ୍ବନ୍ଧିତ ଖବର