ବାଙ୍ଗାଲୋର ପୁଣି ହାରିଲା, ବାଦ୍‌ ପଡ଼ିଲେ ଯୋସେଫ୍‌

ମୁମ୍ବାଇ: ଲଗାତାର ୬ ମ୍ୟାଚ୍ ହାରିବା ପରେ ସପ୍ତମରେ ବିଜୟ ଖାତା ଖୋଲିଥିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର। ଅଷ୍ଟମ ଆସୁ ଆସୁ କିନ୍ତୁ ପୁଣି ଥରେ ପରାଜିତ ହୋଇଛି ଏହି ଦଳ। ସୋମବାର ଚଳିତ ଆଇପିଏଲ୍‌ର ୩୧ତମ ମ୍ୟାଚ୍‌ରେ ବାଙ୍ଗାଲୋରକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ହରାଇ ଦେଇଛି। ଫଳରେ ପଞ୍ଚମ ବିଜୟ ହାସଲ କରି ପଏଣ୍ଟ ତାଲିକାର ଚତୁର୍ଥରୁ ତୃତୀୟକୁ ଉନ୍ନୀତ ହୋଇଛି। ସେପଟେ ବାଙ୍ଗାଲୋର ସପ୍ତମ ପରାଜୟ ବରଣ କରି ସବାଶେଷ ସ୍ଥାନରେ ଝୁଲି ରହିଛି। ବାଙ୍ଗାଲୋର ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହା ଶକ୍ତିଶାଳୀ ବ୍ୟାଟିଂକ୍ରମ ଥିବା ମୁମ୍ବାଇକୁ ଅଟକାଇବା ଲାଗି ଆଦୌ ପର୍ଯ୍ୟାପ୍ତ ନଥିଲା। ମୋଇନ ଅଲ୍ଲୀ ଗୋଟିଏ ଓଭରରେ ମୁମ୍ବାଇର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୨୮ ରନ୍, ୧୯ ବଲ୍, ୨ ଚୌକା, ୨ ଛକା) ଓ କ୍ବିଣ୍ଟନ୍ ଡି’ କକ (୪୦ ରନ୍, ୨୬ ବଲ୍, ୫ ଚୌକା, ୨ ଛକା)ଙ୍କୁ ଆଉଟ୍ କରିଥିଲେ। ଏହା ପୂର୍ବରୁ ରୋହିତ-ଡି’କକ୍ କିନ୍ତୁ ଦୃଢ଼ ମୂଳଦୁଆ ପକାଇ ସାରିଥିଲେ। ସୂର୍ଯ୍ୟ କୁମାର ଯାଦବ (୨୯ ରନ୍, ୨୩ ବଲ୍, ୨ ଚୌକା‌, ୧ ଛକା) ଓ ଈଶାନ କିଷନ (୨୧ ରନ୍, ୯ ବଲ୍, ୩ ଛକା) ଉପଯୋଗୀ ପାଳି ଖେଳିଥିଲେ। ତେବେ ପବନ ନେଗିଙ୍କ ଊନ୍ନବିଂଶ ଓଭରରୁ ୨୨ ରନ୍ ଅମଳ କରି ବିସ୍ଫୋରକ ହାର୍ଦିକ ପାଣ୍ଡ୍ୟା (୩୭* ରନ୍, ୧୬ ବଲ୍, ୫ ଚୌକା‌, ୨ ଛକା) ମୁମ୍ବାଇକୁ ଗୋଟିଏ ଓଭର ପୂର୍ବରୁ ବିଜୟୀ କରାଇଥିଲେ। ପୂର୍ବରୁ ବାଙ୍ଗାଲୋର ୧୭୧/୭ ରନ୍ କରିଥିଲା। ବିରାଟ କୋହଲି (୮) ବଡ଼ ସ୍କୋର କରି ପାରି ନଥିଲେ। ଏବି ଡି’ ଭିଲିୟର୍ସ (୭୫ ରନ୍, ୫୧ ବଲ୍, ୬ ଚୌକା, ୪ ଛକା) ଓ ମୋଇନ୍ ଅଲ୍ଲୀ (୫୦ ରନ୍, ୩୨ ବଲ୍, ୧ ଚୌକା, ୫ ଛକା)ଙ୍କ ଅର୍ଧଶତକ ବଳରେ ହିଁ ବାଙ୍ଗାଲୋର ଏହି ସମ୍ମାନଜନକ ସ୍କୋର କରିଥିଲା। ଲସିଥ ମାଲିଙ୍ଗା (୪-୦-୩୧-୪)ଙ୍କ ଶେଷ ଓଭରରେ ଡି’ଭିଲିୟର୍ସ ରନ୍ ଆଉଟ୍ ହେବା ସହ ମୋଟ ତିନିଟି ୱିକେଟ୍‌ର ପତନ ହୋଇଥିଲା। ଫଳରେ ବାଙ୍ଗାଲୋର ୨୦୦ ଛୁଇଁ ପାରି ନଥିଲା।

ସଂକ୍ଷିପ୍ତ ସ୍କୋର: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୭୧/୭ (ଏବି ଡି’ଭିଲିୟର୍ସ-୭୫, ମୋଇନ ଅଲ୍ଲୀ-୫୦, ଲସିଥ ମାଲିଙ୍ଗା-୪/୩୧, ହାର୍ଦିକ ପାଣ୍ଡ୍ୟା-୧/୨୧, ଜାସନ ବେହେରନଡର୍ଫ-୧/୪୯)। ମୁମ୍ବାଇ ଇଣ୍ଡିଆନ୍ସ ୧୯ ଓଭରରେ ୧୭୨/୫ (କ୍ବିଣ୍ଟନ୍ ଡି’ କକ୍-୪୦, ହାର୍ଦିକ ପାଣ୍ଡ୍ୟା-୩୭*, ସୂର୍ଯ୍ୟକୁମାର ଯାଦବ-୨୯, ରୋହିତ ଶର୍ମା-୨୮, ମୋଇନ ଅଲ୍ଲୀ-୨/୧୮, ୟୁଜବେନ୍ଦ୍ର ଚହଲ-୨/୨୭, ମହମ୍ମଦ ସିରାଜ-୧/୨୧)।

ମୁମ୍ବାଇ ଇଣ୍ଡିଆନ୍‌ସର ୱେଷ୍ଟ୍‌ଇଣ୍ଡିଜ୍‌ ଦ୍ରୁତ ବୋଲର ଅଲ୍‌ଜାରି ‌ଯୋସେଫ୍‌ ଆଇପିଏଲ୍‌ରୁ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିଛନ୍ତି। ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ ବେଳେ ‌ଯୋସେଫ୍‌ ସୀମାରେଖା ଅଞ୍ଚଳରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ପଡ଼ି ଯାଇଥିଲେ। ତାଙ୍କ ଡାହଣ କାନ୍ଧରେ ଆଘାତ ଲାଗିଥିଲା। ଯୋସେଫ ବିଳମ୍ବରେ ଆଇପିଏଲ୍‌ରେ ସ୍ଥାନ ପାଇଥିଲେ ମଧ୍ୟ ହାଇଦ୍ରାବାଦ ବିପକ୍ଷ ପଦାର୍ପଣ ମ୍ୟାଚ୍‌ରେ ସେ ୬/୧୨ ବୋଲିଂ ସଫଳତା ପାଇଥିଲେ। ଆହତ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଆଦାମ ମିଲନେଙ୍କ ସ୍ଥାନରେ ଯୋସେଫ ମୁମ୍ବାଇ ଦଳରେ ସୁଯୋଗ ପାଇଥିଲେ।

ସମ୍ବନ୍ଧିତ ଖବର