ପୁଣି ବ୍ୟାଟିଂ ବିପର୍ଯ୍ୟୟ

ସାଉଥମ୍ପଟନ୍‌: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍‌ ଦଳର ବ୍ୟାଟିଂ ବିଫଳତା ଜାରି ରହିଛି। ଏଠାରେ ଖେଳା ଯାଉଥିବା ପଞ୍ଚମ ଟେଷ୍ଟ୍‌ରେ ଇଂଲଣ୍ଡର ୩୩୨ ରନ୍‌ ଜବାବରେ ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ୬ ଓ୍ଵିକେଟ୍‌ ହରାଇ ୧୭୪ ରନ୍‌ କରିବା ସହ ଆଉ ଏକ ଆସନ୍ନ ପରାଜୟ ଆଡ଼କୁ ଅଗ୍ରସର ହୋଇଛି। ଧାଓ୍ଵନ, ରାହୁଲ, ରାହାଣେ, ପୂଜାରା ଓ ଋଷବ ପନ୍ତ ନିଜ ନିଜ ଓ୍ଵିକେଟ୍‌ ଫିଙ୍ଗି ଦେଇଛନ୍ତି। ଅଧିନାୟକ ବିରାଟ କୋହଲି (୪୯) ଏକାକି ଲଢ଼ିଥିଲେ ମଧ୍ୟ ଅର୍ଧଶତକର ଗୋଟିଏ ରନ୍‌ ପୂର୍ବରୁ ବେନ୍‌ ଷ୍ଟୋକ୍ସଙ୍କ ଶିକାର ହୋଇଛନ୍ତି। ଶନିବାର ଖେଳ ଶେଷ ବେଳକୁ ନବାଗତ ହନୁମା ବିହାରୀ ୨୫ ଓ ରବୀନ୍ଦ୍ର ଜାଦେଜା ୮ ରନ୍‌ରେ ଅପରାଜିତ ରହିଛନ୍ତି। ପ୍ରଥମ ଦିନ ୧୯୮ ରନ୍‌ରେ ୭ ଜଣ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇଥିବା ଭାରତ ଏହି ଦଳର ଶେଷ ତିନିଟି ଓ୍ଵିକେଟ୍‌ ନେବାକୁ ଆଉ ୧୩୪ ରନ୍‌ ବ୍ୟୟ କରିଥିଲା। ଫଳରେ ଇଂଲଣ୍ଡ ୩୩୨ ରନ୍‌ କରି ତା’ର ସ୍ଥିତି ସୁଦୃଢ଼ କରି ନେଇଥିଲା। ସେପଟେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ (୩) ଓ ଲୋକେଶ ରହୁଲ (୩୭) ଚିରାଚରିତ ଭାବେ ପୁଣି ଥରେ ବିଫଳ ହୋଇଥିଲେ। ସେହିଭଳି ଚତୁର୍ଥ ସ୍ଥାନରେ ଆସିଥିବା ଅଜିଙ୍କ୍ୟ ରାହାଣେ (୦) ଖାତା ଖୋଲି ପାରି ନଥିଲେ। ଚେତେଶ୍ୱର ପୂଜାରା (୩୭) ଭଲ ଆରମ୍ଭ ପାଇଥିଲେ। ହେଲେ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ପୂର୍ବରୁ ଜୋସ୍‌ ବଟଲର (୮୯) ଭାରତୀୟ ବୋଲରଙ୍କୁ ନିର୍ଧୁମ ଛେଚିଥିଲେ। ଷ୍ଟୁଆର୍ଟ ବ୍ରଡ (୩୮)ଙ୍କ ସହ ମିଶି ନବମ ଓ୍ଵିକେଟ୍‌ରେ ୯୮ ରନ୍‌ ଯୋଡ଼ି ଭାରତକୁ ନିରାଶ କରିଥିଲେ। ଇଂଲଣ୍ଡକୁ ମଧ୍ୟ ମ୍ୟାଚ୍‌କୁ ଫେରାଇ ଆଣିଥିଲେ।

ଦ୍ରାବିଡ଼୍‍ଙ୍କ କୀର୍ତିମାନର ସମକକ୍ଷ ହେଲେ ରାହୁଲ୍‌
ସାଉଥମ୍ପ୍‌ଟନ୍‌: ଲୋକେଶ ରାହୁଲ୍‌ ଶନିବାର ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‍ର ଦ୍ୱିତୀୟ ଦିବସରେ ରାହୁଲ୍‌ ଦ୍ରାବିଡ଼୍‍ଙ୍କ ୧୩ ବର୍ଷ ତଳର ଏକ କୀର୍ତିମାନର ସମକକ୍ଷ ହୋଇଛନ୍ତି। ଶନିବାର ମିଡ୍‌ ଅନ୍‌ ଅଞ୍ଚଳରେ ନିଜ ମୁଣ୍ଡ ଉପରେ ଯାଉଥିବା ଏକ ବଲ୍‌କୁ ଚମତ୍କାର ଭାବେ ଧରିନେଇ ରାହୁଲ୍‌ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ପାଭିଲିୟନ୍‌ ଫେରାଇ ଦେଇଥିଲେ। ଏଥି ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ରାହୁଲ୍‌ଙ୍କର ଏହା ଥିଲା ତ୍ରୟୋଦଶ କ୍ୟାଚ୍‌। ଆଉ ବ୍ରଡ୍‌ଙ୍କ କ୍ୟାଚ୍‌ ନେଇ ରାହୁଲ୍‌ ମଧ୍ୟ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍ଲିପ୍‌ କ୍ଷେତ୍ରରକ୍ଷକ ଭାବେ ପରିଗଣିତ ରାହୁଲ୍‌ ଦ୍ରାବିଡ୍‌ଙ୍କ କୀର୍ତିମାନର ସମକକ୍ଷ ହୋଇଯାଇଥିଲେ। ୧୩ ବର୍ଷ ତଳେ ଅର୍ଥାତ୍‌ ୨୦୦୪-୦୫ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ଦ୍ରାବିଡ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ସମାନ ସଂଖ୍ୟକ କ୍ୟାଚ୍‌ ଧରି ଲମ୍ବା ସମୟ ଧରି ଭାରତୀୟ କୀର୍ତିମାନ ଅତୁଟ ରଖିଥିଲେ। ଅବଶ୍ୟ ଦ୍ରାବିଡ୍‌ ସେହି ଶୃଙ୍ଖଳାରେ ୪ ଟେଷ୍ଟରୁ ଏଭଳି ସଫଳତା ହାତେଇଥିଲେ। ତଥାପି ଇଂଲଣ୍ଡ ଦ୍ୱିତୀୟ ପାଳିରେ ଦ୍ରାବିଡ୍‌ଙ୍କ ଅତିକ୍ରମ କରିବା ଏବଂ ସର୍ବକାଳୀନ କୀର୍ତିମାନ ପାଖରେ ପହଞ୍ଚିବାର ସୁଯୋଗ ରାହୁଲ୍‌ଙ୍କର ରହିଛି। ଦ୍ରାବିଡ଼ ଓ ରାହୁଲ୍‌ଙ୍କ ବ୍ୟତୀତ ଗୋଟିଏ ଟେଷ୍ଟ ଶୃଙ୍ଖଳାରେ ୧୩ କ୍ୟାଚ୍‌ ଧରିଥିବା ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ରହିଛନ୍ତି େଓ୍ଵଷ୍ଟଇଣ୍ଡିଜ୍‌ର ବ୍ରାଏନ୍‌ ଲାରା ଓ ଅଷ୍ଟ୍ରେଲିଆର ବବ୍‌ ସିମ୍ପ୍‌ସନ୍‌। ତେବେ ଏହି ଦୁଇ ଜଣ ନିଜ ନିଜର ଖେଳ ଜୀବନ ମଧ୍ୟରେ ଦୁଇ ଥର ଲେଖାଏଁ ଏଭଳି ସଫଳତା ପାଇଥିଲେ। ଲାରା ୨୦୦୬ରେ ଭାରତ ଏବଂ ୧୯୯୭-୯୮ରେ ଇଂଲଣ୍ଡ ବିପକ୍ଷରେ ଏବଂ ସିମ୍ପ୍‌ସନ୍‌ ୧୯୫୭-୫୮ରେ ଦକ୍ଷିଣ ଆଫ୍ରିକା ଓ ୧୯୬୦-୬୧ରେ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ବିପକ୍ଷରେ ସଫଳତା ସାଉଁଟିଥିଲେ। ତେବେ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ କ୍ୟାଚ୍‌ ନେବାର ସର୍ବକାଳୀନ କୀର୍ତିମାନ ଏବେ ବି ଅଷ୍ଟ୍ରେଲିଆର ଜାକ୍‌ ଗ୍ରିଗୋରିଙ୍କ ନାମରେ ରହିଛି। ସେ ୧୯୨୦-୨୧ ଘରୋଇ ଆସେସ୍‌ ଶୃଙ୍ଖଳାରେ ୧୫ କ୍ୟାଚ୍‌ ନେଇଥିଲେ। ତାଙ୍କ ପଛକୁ ୧୪ କ୍ୟାଚ୍‌ ନେଇ ଅନ୍ୟତମ ଅଷ୍ଟ୍ରେଲୀୟ ଗ୍ରେଗ୍‌ ଚାପେଲ୍‌ (ଇଂଲଣ୍ଡ ବିପକ୍ଷ ୧୯୭୪-୭୫ ଆସେସ୍‌) ଦ୍ୱିତୀୟରେ ରହିଛନ୍ତି।

ନାୟରଙ୍କୁ ନନେବା ନିଷ୍ପତ୍ତିକୁ ଗାଭାସ୍କରଙ୍କ ସମାଲୋଚନା
ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଓଭାଲ ଟେଷ୍ଟ୍‌ରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ କରୁଣ ନାୟରଙ୍କୁ ସୁଯୋଗ ଦିଆ ନଯିବାକୁ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ତୀବ୍ର ସମାଲୋଚନା କରିଛନ୍ତି। ଏଥିନେଇ ସେ ଖୋଲା ଖୋଲି ଭାବେ ପ୍ରଶ୍ନ ଉଠାଇଛନ୍ତି। ନାୟର ୧୮ ଜଣିଆ ଭାରତୀୟ ଦଳରେ ଥିଲେ। ହେଲେ ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରଥମ ଚାରି ଟେଷ୍ଟରେ ହାର୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ଦେଇଥିଲେ। ପଞ୍ଚମ ଟେଷ୍ଟରେ ହାର୍ଦିକଙ୍କୁ ବାଦ୍‌ ଦେଇଥିଲେ ମଧ୍ୟ ତାଙ୍କ ସ୍ଥାନରେ ହାଇଦ୍ରାବାଦ ଅଲରାଉଣ୍ଡର ହନୁମା ବିହାରୀଙ୍କୁ ଖେଳାଇଥିଲେ। ହନୁମା ଶେଷ ଦୁଇ ଟେଷ୍ଟ ଲାଗି କୁଲଦୀପ ଯାଦବଙ୍କ ସ୍ଥାନରେ ଦଳକୁ ଆସିଥିଲେ। ଯାହାକୁ ଗାଭାସ୍କର ସହଜରେ ଗ୍ରହଣ କରି ନାହାନ୍ତି। ନାୟରଙ୍କୁ କାହିଁକି ଚୂଡ଼ାନ୍ତ ଦଳରୁ ଦୂରେଇ ରଖା ଯାଉଛି, ମୁଁ ବୁଝି ପାରୁ ନାହିଁ। ଏଥିନେଇ କୌଣସି ଯୁକ୍ତିି ମୋତେ ସନ୍ତୁଷ୍ଟ କରିବ ନାହିଁ। ମୁଁ ଜାଣିଛି ସେ ଦଳୀୟ ପରିଚାଳକଙ୍କ ପସନ୍ଦର ଖେଳାଳି ନୁହନ୍ତି। ତ୍ରି-ଶତକ ପରେ ଆପଣ ତାଙ୍କୁ ଦଳରେ ନେଲେ ନାହିଁ। ଆଷ୍ଟ୍ରେଲିଆ ଶୃଙ୍ଖଳାରେ ମାତ୍ର ଦୁଇଟି ପାଳିରେ ଖରାପ କରିବା ପରେ ତାଙ୍କୁ ଆଉ ସୁଯୋଗ ଦେଉ ନାହାନ୍ତି। ଚୟନକର୍ତା ତାଙ୍କୁ ଦଳକୁ ଆଣିଥିଲେ ମଧ୍ୟ ଦଳୀୟ ପରିଚାଳକ ତାଙ୍କୁ ଦଳରେ ରଖିବାକୁ ଚାହୁଁ ନାହାନ୍ତି ବୋଲି ଗାଭାସ୍କର କହିଛନ୍ତି।

ସମ୍ବନ୍ଧିତ ଖବର