ଚେନ୍ନାଇ: ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ଏବେ ୨୪ ବର୍ଷ ବୟସ। ଦେଶ ପାଇଁ ଅନେକ ଗୌରବ ବହନ କରିସାରିଲେଣି। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଏହି ହାଇଦ୍ରାବାଦୀ ଝିଅ ନିକଟରେ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ପ୍ରଥମ ଭାରତୀୟ ହେବାର କୀର୍ତ୍ତିମାନ ରଚିଛନ୍ତି। ହେଲେ ତାଙ୍କୁ ବିବାହ କରିବାକୁ ଚାହିଁଛନ୍ତି ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି। ଏହା ବାସ୍ତବ ନା ମଜା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଚର୍ଚ୍ଚାକୁ ଆସିଛି। ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର ମାଲାଇସାମି ନାମକ ଏହି ବ୍ୟକ୍ତି ସିନ୍ଧୁଙ୍କୁ ବାହା ହେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ପିଟିସନ୍ ଦାୟର କରିଛନ୍ତି। ସିନ୍ଧୁଙ୍କୁ ସେ ବାହା ହେବାକୁ ଚାହାନ୍ତି ବୋଲି ମାଲାଇସାମି ପିଟିସନ୍ରେ ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ, ଯଦି ଆବଶ୍ୟକ ବ୍ୟବସ୍ଥା ମୁତାବକ ବିବାହ ଠିକ୍ ନହେବ ତାହାଲେ ସେ ସିନ୍ଧୁଙ୍କୁ ଅପହରଣ କରିନେବେ ବୋଲି ଧମକ ମଧ୍ୟ ଦେଇଛନ୍ତି। ଏଭଳି ଏକ ଘଟଣା ଜିଲ୍ଲାପାଳଙ୍କ ଦ୍ବାରା ଆୟୋଜିତ ସାପ୍ତାହିକ ବୈଠକ (ଜନ ଶୁଣାଣି)ରେ ପଦାକୁ ଆସିଛି। ଏହି ବୈଠକକୁ ସାଧାରଣ ଲୋକ ସେମାନଙ୍କ ଅଭିଯୋଗ ଦାଖଲ କରିବାକୁ ଆସିଥାନ୍ତି। ସେହି ଦୃଷ୍ଟିରୁ ମାଲାଇସାମି ମଧ୍ୟ ବୈଠକକୁ ଆସିଥିଲେ ଏବଂ ସିନ୍ଧୁଙ୍କ ଏକ ଫଟୋ ସହ ତାଙ୍କୁ ବିବାହ କରିବାର ଆଗ୍ରହ ସମ୍ବଳିତ ଦରଖାସ୍ତ ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଲା, ମାଲାଇସାମି ଦରଖାସ୍ତରେ ତାଙ୍କୁ ଜଣେ ୧୬ ବର୍ଷର ବାଳକ ବୋଲି ଦାବି କରିଥିଲେ। ତାଙ୍କ ଜନ୍ମ ୨୦୦୪ ଏପ୍ରିଲ ୪ ତାରିଖରେ ବୋଲି ଉଲ୍ଲେଖ କରିଥିଲେ। ସିନ୍ଧୁଙ୍କ ଖେଳ ଜୀବନର ଉତ୍ଥାନରେ ସେ ଖୁବ୍ ପ୍ରଭାବିତ ଏବଂ ତାଙ୍କୁ ଜୀବନସାଥୀ କରିବାକୁ ଚାହାନ୍ତି ବୋଲି ମାଲାଇସାମି କହିଥିଲେ।
ହାଇଦ୍ରାବାଦ: ବିଡବ୍ଲୁଏଫ୍ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିବା ବ୍ୟାଡ୍ମିଣ୍ଟନ ଲଳନା ପିଭି ସିନ୍ଧୁଙ୍କୁ ପୁଣି ଏକ ବିଏମ୍ଡବ୍ଲୁ ଏସ୍ୟୁଭି କାର୍ ଉପହାର ମିଳିଛି। ତେଲେଙ୍ଗାନା ବ୍ୟାଡ୍ମିଣ୍ଟନ ସଂଘର ଉପସଭାପତି ଭି ଚାମୁଣ୍ଡେଶ୍ବରନାଥଙ୍କ ତରଫରୁ ସିନ୍ଧୁଙ୍କୁ ଏହି କାର୍ ମିଳିଛି। ତେଲୁଗୁ ଚଳଚିତ୍ର ତାରକା ନାଗାର୍ଜୁନ ଆକିନେକି ଶନିବାର ଏହି ଉପହାର ସିନ୍ଧୁଙ୍କୁ ପ୍ରଦାନ କରିଥିଲେ। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏଥିପାଇଁ ଆୟୋଜିତ ଉତ୍ସବରେ ସିନ୍ଧୁଙ୍କ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ଏବଂ ତାଙ୍କ ପିତାମାତା ପିଭି ରମନ୍ନା ଓ ପି ବିଜୟା ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ, ୪ ବର୍ଷ ପୂର୍ବେ ସିନ୍ଧୁଙ୍କୁ ପ୍ରଥମ ଥର ଏଭଳି କାର୍ ଉପହାର ମିଳିଥିଲା। ରିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିବା ପରେ ସିନ୍ଧୁ ପ୍ରଥମ ବିଏମ୍ଡବ୍ଲୁ କାର୍ ଉପହାର ପାଇଥିଲେ। ଏବେ ୪ ବର୍ଷ ଅନ୍ତରରେ ଦ୍ବିତୀୟ ବିଏମ୍ଡବ୍ଲୁ ଉପହାର ପାଇ ଗର୍ବ ଅନୁଭବ କରିଛନ୍ତି। ତେଲେଙ୍ଗାନା ବ୍ୟାଡ୍ମିଣ୍ଟନ ସଂଘର ଉପସଭାପତି ଭି ଚାମୁଣ୍ଡେଶ୍ବରନାଥ ନିଜ ଅର୍ଥରେ ଦକ୍ଷ କ୍ରୀଡ଼ାବିତ୍ଙ୍କୁ କାର୍ ଉପହାର ଦେବାରେ ବେଶ୍ ପରିଚିତ। ଏହିଭଳି ଭାବେ ସେ ୨୨ କାର୍ ଉପହାର ଦେଇସାରିଲେଣି। ଏହାକରି ଗୌରବ ଆଣୁଥିବା କ୍ରୀଡ଼ାବିତ୍ଙ୍କ ଉତ୍ସାହିତ କରିବା ଏବଂ ଆଗକୁ ବଢ଼ିବାର ମନୋବଳ ବଢ଼ାଇବା ମୋର ଲକ୍ଷ୍ୟ ବୋଲି ଚାମୁଣ୍ଡେଶ୍ବରନାଥ କହିଛନ୍ତି।