ପୁଣି ଚେନ୍ନାଇର ଚମତ୍କାର ବିଜୟ

ଚେନ୍ନାଇ: ଦୁଇ ବର୍ଷ ପରେ ଆଇପିଏଲ୍‌କୁ ଫେରିଥିବା ଚେନ୍ନାଇ ସୁପର୍‌ କିଙ୍ଗସ ଲଗାତାର ଭାବେ ଚମତ୍କାର ବିଜୟ ହାସଲ କରିଛି। ମଙ୍ଗଳବାର କୋଲ୍‌କାତା ନାଇଟ୍‌ ରାଇଡର୍ସର ୨୦୨ ରନକୁ ଗୋଟିଏ ବଲ୍‌ ପୂର୍ବରୁ ପଛରେ ପକାଇ ୫ ଓ୍ଵିକେଟ୍‌ରେ ଜିତିଛି ଧୋନିଙ୍କ ଦଳ। ଏଥି ସହ ଆନ୍ଦ୍ରେ ରସେଲଙ୍କ ଛକା ବିସ୍ଫୋରଣ ପାଳି (୮୮*, ୩୬ ବଲ୍‌, ୧ ଚୌକା, ୧୧ ଛକା) ଚେନ୍ନାଇର ଦଳଗତ ପ୍ରଦର୍ଶନ ଆଗରେ ଫିକା ପଡ଼ିଯାଇଛି। ଶ୍ରେଷ୍ଠ ଖେଳାଳି ପୁରସ୍କାର ସାମ୍‌ ବିଲିଙ୍ଗସ (୫୬, ୨୩ ବଲ୍‌, ୨ ଚୌକା, ୫ ଛକା)କୁ ମଳିଛି।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ କୋଲ୍‌କାତା ନାଇଟ୍‌ ରାଇଡର୍ସ ଏଥର ସୁନୀଲ ନରିନ୍‌ (୧୨, ୪ ବଲ୍‌)ଙ୍କୁ ସଅଳ ହରାଇଥିଲା। କିନ୍ତୁ କ୍ରିସ୍‌ ଲିନ୍‌ (୨୨, ୧୬ ବଲ୍‌, ୪ ଚୌକା) ଏବଂ ରବିନ୍‌ ଉଥପ୍ପା (୨୯, ୧୬ ବଲ୍‌, ୨ ଚୌକା, ୩ ଛକା) ଦଳକୁ ପାଓ୍ଵାର ପ୍ଳେ ୬ ଓଭର ଭିତରେ ୬୪ ରନରେ ପହଞ୍ଚାଇ ଦେଇଥିଲେ। କ୍ରିସ୍‌ ଲିନ୍‌ଙ୍କୁ ରବୀନ୍ଦ୍ର ଜାଦେଜା ବୋଲଡ୍‌ କରିଥିଲେ। ନୀତିଶ ରାଣା (୧୬)ଙ୍କୁ ସେନ୍‌ ଓ୍ଵାଟ୍‌ସନ୍‌ ଓ୍ଵିକେଟ୍‌ ପଛପଟେ କ୍ୟାଚ୍‌ କରାଇ ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ଉଥପ୍ପାଙ୍କୁ ସୁରେଶ ରାଇନା ରନ୍‌ ଆଉଟ୍‌ କରିଦେଇଥିଲେ। ୭ ନମ୍ବର ସ୍ଥାନରେ ଆସିଥିବା େଓ୍ଵଷ୍ଟଇଣ୍ଡିଆନ୍‌ ଅଲରାଉଣ୍ଡର୍‌ ଆନ୍ଦ୍ରେ ରସେଲ କିନ୍ତୁ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ବୋଲରଙ୍କୁ ଫିକା ପକାଇ ଦେଇଥିଲେ। ଗତ ମ୍ୟାଚ୍‌ର ହିରୋ ତଥା ଜାତୀୟ ଦଳ ସାଥୀ ଡ୍ଵାନ ବ୍ରାଭୋଙ୍କୁ ଗୋଟିଏ ଓଭରରେ ୩ ଛକା ସହ ୨୧ ରନ୍‌ ଆଦାୟ କରିଥିଲେ। କେବଳ ଛକା ମୁଡ୍‌ରେ ଆସିଥିବା ରସେଲ ୨୬ ବଲ୍‌ରୁ ଅର୍ଧଶତକ ହାସଲ କରିଥିଲେ। ତାଙ୍କ ଅପରାଜିତ ୮୮ ରନରେ ମୋଟ ୧୧ ଛକା ଏବଂ ଗୋଟିଏ ମାତ୍ର ଚୌକା ସାମିଲ ଥିଲା। ରସେଲଙ୍କ ପାଳି କାରଣରୁ ଶେଷ ୧୦ ଓଭରରେ କୋଲ୍‌କାତା ୧୧୩ ରନ୍‌ ଉଠାଇ ନେଇଥିଲା। ଶେଷକୁ ଚଳିତ ଋତୁର ପ୍ରଥମ ୨୦୦ ଅତିକ୍ରମ କରିଥିଲା କୋଲ୍‌କାତା ଦଳ। କୋଲ୍‌କାତା ପାଳିରେ ମୋଟ ୧୭ ଛକା ଦେଖିବାକୁ ମିଳିଥିଲା। ବ୍ରାଭୋଙ୍କ ଗୋଟିଏ ବଲ୍‌କୁ ସେ ୧୦୫ ମିଟର୍‌ ଦୂରତ୍ୱ ମାରିବା ପରେ ଏହା ଚେପକ୍‌ ବାହାରକୁ ଚାଲିିଯିବାରୁ ଅମ୍ପାୟାର୍‌ ଆଉ ଏକ ବଲ୍‌ ନେଇ ଖେଳକୁ ଆଗକୁ ବଢ଼ାଇଥିଲେ।
୨୦୩ ରନ୍‌କୁ ପିଛା କରିଥିବା ଚେନ୍ନାଇ ପାଇଁ ସେନ୍‌ ଓ୍ଵାଟ୍‌ସନ୍‌ (୪୨, ୧୯ ବଲ୍‌, ୩ ଚୌକା, ୩ ଛକା) ଏବଂ ଅମ୍ବାତି ରାୟୁଡୁ (୩୯, ୨୬ ବଲ୍‌, ୩ ଚୌକା, ୨ ଛକା) ପ୍ରଥମ ୬ ଓଭରରେ ୭୫ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ସୁରେଶ ରାଇନା (୧୪, ୧୨ ବଲ୍‌) ଏବଂ ମହେନ୍ଦ୍ର ସିଂହ ଧୋନି (୨୫, ୨୮ ବଲ୍‌) ପ୍ରଭାବହୀନ ରହିଥିଲେ। କିନ୍ତୁ ଇଂଲିସ୍‌ ଖେଳାଳି ସାମ୍‌ ବିଲିଙ୍ଗ୍‌ସ (୫୬, ୨୩ ବଲ୍‌, ୨ ଚୌକା, ୫ ଛକା) ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ତଥାପି ଶେଷ ଓଭରରୁ ଚେନ୍ନାଇକୁ ୧୭ ରନ୍‌ ଆବଶ୍ୟକ ପଡ଼ିଥିଲା। ବିନୟ କୁମାର କିନ୍ତୁ ନୋ ଏବଂ ଓ୍ଵାଇଡ୍‌ ବଲ୍‌ ପକାଇବା ଚେନ୍ନାଇ କାମକୁ ସହଜ କରିଥିଲା। ବିନୟଙ୍କ ଶେଷ ଓଭର ପ୍ରଥମ ବଲ୍‌କୁ ବ୍ରାଭୋ (୧୧*, ୫ ବଲ୍‌) ଏବଂ ପଞ୍ଚମ ବଲ୍‌କୁ ଜାଦେଜା (୧୧*, ୭ ବଲ୍‌) ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ।
ମ୍ୟାଚ୍‌ରେ ମୋଟ ୩୧ ଛକା (କୋଲ୍‌କାତା-୧୭, ଚେନ୍ନାଇ-୧୪) ମଧ୍ୟ ଆଇପିଏଲ୍‌ କୀର୍ତିମାନ ହୋଇଥିଲା। ଗତବର୍ଷ ଦିଲ୍ଲୀ-ଗୁଜରାଟ ମ୍ୟାଚ୍‌ରେ ମଧ୍ୟ ୩୧ ଛକା ଦେଖିବାକୁ ମିଳିଥିଲା। ସେହିଭଳି ୨୦୨ ରନ୍‌କୁ ପଛରେ ପକାଇଦେବା ପରେ ଚେନ୍ନାଇ ମଧ୍ୟ କୋଲ୍‌କାତା ବିପକ୍ଷରେ ସଫଳ ପଶ୍ଚାତଧାବନ ବିଜୟ ହାସଲ କରିଥିଲା। ଚେନ୍ନାଇର ଶ୍ରେଷ୍ଠ ପଶ୍ଚାଧାବନ ବିଜୟ କିନ୍ତୁ ରହିଛି ୨୦୬ ରନ୍‌ (ବନାମ ଆର୍‌ସିବି, ୨୦୧୨)।
ସଂକ୍ଷିପ୍ତ ସ୍କୋର୍‌: କୋଲକାତା ନାଇଟ୍‌ ରାଇଡର୍ସ: ୨୦ ଓଭରରେ ୨୦୨/୬ (ଆନ୍ଦ୍ରେ ରସେଲ୍‌-୮୮*, ରବିନ୍‌ ଉଥପ୍ପା-୨୯, ଦୀନେଶ କାର୍ତିକ-୨୬, କ୍ରିସ୍‌ ଲିନ-୨୨, ସେନ୍‌ ଓ୍ଵାଟ୍‌ସନ୍‌-୨/୩୯, ହଭରଜନ ସିଂହ-୧/୧୧, ରବୀନ୍ଦ୍ର ଜାଦେଜା-୧/୧୯, ସାର୍ଦୁଲ ଠାକୁର-୧/୩୭)। ଚେନ୍ନାଇ ସୁପର କିଙ୍ଗ୍‌ସ: ୧୯.୫ ଓଭରରେ ୨୦୫/୫ (ସାମ୍‌ ବିଲିଙ୍ଗ୍‌ସ-୫୬, ସେନ୍‌ ଓ୍ଵାଟ୍‌ସନ୍‌-୪୨, ଅମ୍ବାତି ରାୟୁଡୁ-୩୯, ମହେନ୍ଦ୍ର ସିଂହ ଧୋନି-୨୫, ଟମ୍‌ କୁରାନ୍‌-୨/୩୯, ସୁନୀଲ ନରିନ-୧/୧୭, କୁଲଦୀପ ଯାଦବ-୧/୨୭, ପୀୟୂଷ ଚାଓ୍ଵଲା-୧/୪୯)।

ସମ୍ବନ୍ଧିତ ଖବର