ପୁଣି ଭାରତ-ଅଷ୍ଟ୍ରେଲିଆ: ଆଜି ବିଶାଖାପାଟଣାରେ ପ୍ରଥମ ଟ୍ବେଣ୍ଟି-୨୦, ହାଇଦ୍ରାବାଦରୁ ଦିନିକିଆ

ବିଶାଖାପାଟଣା ଭାରତ ଓ ଅଷ୍ଟ୍ରେଲିଆ ପୁଣି ଥରେ ମୁହାଁମୁହିଁ ହେବେ। ଭାରତ ଗତ ନଭେମ୍ବରରେ ଅଷ୍ଟ୍ରେଲିଆ ଯାଇଥିଲା। ଅଷ୍ଟ୍ରେଲିଆ ଏବେ ଭାରତ ଆସିଛି। ମାତ୍ର ୪ ମାସ ଭିତରେ ବିଶ୍ବ କ୍ରିକେଟ୍‌ର ଏହି ଦୁଇ ଶକ୍ତିଶାଳୀ ଦେଶ ପରସ୍ପରକୁ ଦ୍ବିତୀୟ ଥର ଭେଟିବାକୁ ଯାଉଛନ୍ତି। କଙ୍ଗାରୁ ଦଳ ଚଳିତ ଭାରତ ଗସ୍ତରେ ଦୁଇଟି ଟ୍ବେଣ୍ଟି-୨୦ ଏବଂ ପାଞ୍ଚଟି ଦିନିକିଆ ଖେଳିବ। ରବିବାରଠାରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ବିଶାଖାପାଟଣାର ୱାଇ ଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯିବ। ଅନ୍ୟପକ୍ଷରେ ଦିନିକିଆ ଶୃଙ୍ଖଳା ହାଇଦ୍ରାବାଦଠାରେ ମାର୍ଚ ୨ ତାରିଖରୁ ଆରମ୍ଭ ହେବ। ଘରୋଇ ପରିବେଶରେ ଭାରତଠାରୁ ଉଭୟ ଟେଷ୍ଟ୍‌ ଓ ଦିନିକିଆ ଶୃଙ୍ଖଳା ହାରିଥିବା ଅଷ୍ଟ୍ରେଲିଆ ପାଇଁ ଏହି ପାଲଟା ଗସ୍ତ ପ୍ରତିଶୋଧ ନେବାର ସୁଯୋଗ ପ୍ରଦାନ କରିବ। ଅନ୍ୟପକ୍ଷରେ ଇଂଲଣ୍ଡରେ ମେ’ମାସରେ ଖେଳାଯିବାକୁ ଥିବା ବିଶ୍ବକପ୍ ପୂର୍ବରୁ ଭାରତ ପାଇଁ ଏହା ଶେଷ ଅନ୍ତର୍ଜାତୀୟ ଶୃଙ୍ଖଳା ହେବ। ତେଣୁ ଭାରତ ପାଇଁ ଏହି ଶୃଙ୍ଖଳା ନିଜ ଦକ୍ଷତାର ଧାରକୁ ଆହୁରି ଶାଣିତ କରିବା ଓ ମଧ୍ୟକ୍ରମକୁ ସଜାଡ଼ିବା ଲାଗି ଏକ ଭଲ ମଞ୍ଚ ହେବ। ଭାରତୀୟ ଖେଳାଳି ଏହା ପରେ ଆଇପିଏଲ୍‌ରେ ବ୍ୟସ୍ତ ହୋଇଯିବେ। ସେପଟେ ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଅନ୍ୟତମ ଏସୀୟ ଶକ୍ତି ପାକିସ୍ତାନ ବିପକ୍ଷରେ ଆଉ ଏକ ଶୃଙ୍ଖଳା ଖେଳିବ।

କୋହଲି, ବୁମ୍‌ରା ଫେରିବେ
ନ୍ୟୁଜିଲାଣ୍ଡ ଶୃଙ୍ଖଳା ଅଧାରୁ ବିଶ୍ରାମ ନେଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ତିନିସପ୍ତାହ ପରେ କ୍ରିକେଟ୍‌କୁ ଫେରିବା ଶୃଙ୍ଖଳାକୁ ଅଧିକ ରୋମାଞ୍ଚକର କରିଛି। ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ସ୍ପିନ୍ ଯୋଡ଼ି କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ସ୍ଥାନ ପାଇବ‌ା ଏକପ୍ରକାର ନିଶ୍ଚିତ ଥିଲା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୁଲଦୀପଙ୍କୁ ବିଶ୍ରାମ ମିଳିଛି। ଚହଲ ସେଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତର ପ୍ରମୁଖ ଅସ୍ତ୍ର ହେବେ। ସେପଟେ ଅସ୍ଥିର ପ୍ରାରମ୍ଭିକ ଯୋଡ଼ି ଅଷ୍ଟ୍ରେଲିଆ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ବିଶ୍ବକପ୍‌ରେ ଅଧିନାୟକ ଆରୋନ୍ ଫିଞ୍ଚଙ୍କ ସହ କିଏ ପାଳି ଆରମ୍ଭ କରିବ, ସେ ନିଷ୍ପତ୍ତି ଅଷ୍ଟ୍ରେଲିଆ ଏହି ଶୃଙ୍ଖଳାରେ ନେଇପାରିବ। ବଲ୍ ବିକୃତ ବିବାଦରେ ବାସନ୍ଦାଦେଶ ଭୋଗୁଥିବା ଡେଭିଡ୍ ୱାର୍ନର ଫେରିବା ପରେ ଏହି ସ୍ଥାନ ତାଙ୍କୁ ମିଳିବାର ସମ୍ଭାବନା ଅବଶ୍ୟ ଅଧିକ ରହିଛି। ଭାରତରେ ଉପ ଅଧିନାୟକ ଆଲେକ୍ସ କ୍ୟାରି, ଡାର୍କି ସଟ୍‌ କିମ୍ବା ଉସ୍‌ମାନ ଖୱାଜା ପାଳି ଆରମ୍ଭ କରିପାରନ୍ତି। ଅଷ୍ଟ୍ରେଲିଆ ଖେଳାଳିମାନେ ସେଠାକାର ଘରୋଇ ଟ୍ବେଣ୍ଟି-୨୦ ଲିଗ୍ ବିଗ୍ ବାସ୍ ଖେଳି ଭାରତ ଆସିଛନ୍ତି। ଏହା ସେମାନଙ୍କ ପାଇଁ ଲାଭ ଦାୟକ ହେବ ବ‌ୋଲି କ୍ୟାରି ଆଶା ପ୍ରକାଶ କରିଛନ୍ତି। ଆମ ଦଳର ସମସ୍ତ ଖେଳାଳିଙ୍କ ଆତ୍ମବିଶ୍ବାସ ଢେର ଉଚ୍ଚରେ ରହିଛି। ପଡ଼ିଆକୁ ଓହ୍ଲାଇବା ଲାଗି ଆମେ ସମସ୍ତେ ଉତ୍ସା‌ହିତ ଅଛୁ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳରେ ସାମିଲ ଥିବା ବିଜୟ ଶଙ୍କର ମଧ୍ୟ ଘରୋଇ ପରିବେଶରେ ନିଜ ଅସଲ ଦକ୍ଷତା ଦେଖାଇବା ଲକ୍ଷ୍ୟରେ ରହିବେ। ଯେ କୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ସେ ପୂରା ପ୍ରସ୍ତୁତ ବୋଲି ଶଙ୍କର ମଧ୍ୟ କହି ସାରିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ସହ ୱିକେଟ୍‌ରକ୍ଷଣ ବିକଳ୍ପ ପାଇଁ ଋଷବ ପନ୍ତ ମଧ୍ୟ ନିଜ ପ୍ରଦର୍ଶନ ଦଳରେ ଦାବିଦାରି ଉପସ୍ଥାପନା କରି ପାରିବେ। ପ୍ରଥମ ଥର ପାଇଁ ଦଳରେ ଥିବା ମୟଙ୍କ ମାର୍କଣ୍ଡଙ୍କ ପାଇଁ ଏହି ଶୃଙ୍ଖଳା ଅଭୁଲା ଅଭିଜ୍ଞତା ହେବ। ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ଅଲରାଉଣ୍ଡର ମାର୍କସ ‌ଷ୍ଟୋଇନିସଙ୍କୁ ସବୁଠାରୁ ବଡ଼ ବିପଦ ବୋଲି ବର୍ଣ୍ଣନା କରିଛନ୍ତି ଅଧିନାୟକ କୋହଲି।
ଭାରତ ୧୧, ଅଷ୍ଟ୍ରେଲିଆ ୬ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ୧୮ ଟ୍ବେଣ୍ଟି-୨୦ ମଧ୍ୟରୁ ଭାରତ ୧୧ରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ୬ ମ୍ୟାଚ୍‌ ଜିତିଛି। ଗୋଟିଏ ମ୍ୟାଚ୍ ଟାଇ ରହିଛି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଶୃଙ୍ଖଳାକୁ ଭାରତ ୧-୧ରେ ଅମୀମାଂସିତ ରଖିଛି। ୨୦୧୭ରେ ଘରେ ଏବଂ ୨୦୧୮ରେ ଅଷ୍ଟ୍ରେଲିଆରେ ଏହି ଦୁଇ ଶୃଙ୍ଖଳା ଖେଳାଯାଇଥିଲା। ଶେଷ ଥର ପାଇଁ ଭାରତ ୨୦୧୬ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆକୁ ୩-୦ରେ ଧୂଳି ଚଟାଇଥିଲା। ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୧-୨ରେ ହାରିଥିଲା।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଋଷବ ପନ୍ତ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, କ୍ରୁନାଲ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ଯଶ୍‌ପ୍ରୀତ ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ, ମୟଙ୍କ ମାର୍କଣ୍ଡ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଡାର୍କି ସଟ୍, ପ୍ୟାଟ୍ କମିନ୍ସ, ଆଲେକ୍ସ କ୍ୟାରି, ଜାସନ ବେହେରନଡ୍ରଫ୍, ନାଥନ କୁଲଟର ନାଇଲ୍, ପିଟର ହ୍ୟାଣ୍ଡ୍ସକମ୍ବ, ଉସମାନ ଖୱାଜା, ନାଥନ ଲାୟନ, ଗ୍ଲେନ୍ ମ୍ୟାକ୍ସୱେଲ୍, ଝେ ରିଚାର୍ଡସନ୍, କାନେ ରିଚାର୍ଡସନ୍, ମାର୍କସ ଷ୍ଟୋଇନିସ୍, ଆଷ୍ଟନ୍ ଟର୍ନର, ଆଦାମ ଜାମ୍ପା।

ସମ୍ବନ୍ଧିତ ଖବର