ପାକିସ୍ତାନକୁ ପୁଣି ପିଟିଲା ଭାରତ

ମସ୍କାଟ (ଓମାନ): ପଞ୍ଚମ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ଶନିବାର ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୩-୧ରେ ହରାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ପ୍ରଥମ ମିନିଟରେ ମହମ୍ମଦ ଇରଫାନ୍ ଜୁନିଅରଙ୍କ ପେନାଲଟି କର୍ନର ଗୋଲ ବଳରେ ପାକିସ୍ତାନ ଆଗୁଆ ହୋଇଥିଲେ ମଧ୍ୟ ଦ୍ବିତୀୟ କ୍ବାର୍ଟରରେ ମନପ୍ରୀତ୍ ସିଂହଙ୍କ‌ ଚମତ୍କାର ଗୋଲ (୨୪ ମିନିଟ) ବଳରେ ଭାରତ ପ୍ରଥମାର୍ଧ ସୁଦ୍ଧା ୧-୧ରେ ବରାବର ସ୍ଥିତିରେ ରହିଥିଲା। ଦ୍ବିତୀୟାର୍ଧ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିବା ଭାରତ ପାଇଁ ମନଦୀପ ସିଂହ (୩୨ ମିନିଟ) ଏବଂ ଦିଲପ୍ରୀତ୍ ସିଂହ (୪୨ ମିନିଟ) ଗୋଲ ଦେଇ ବିଜୟକୁ ଏକପ୍ରକାର ନିଶ୍ଚିତ କରି ଦେଇଥିଲେ। ଭାରତ ନିଜର ପରବର୍ତୀ ମ୍ୟାଚ ରବିବାର ଜାପାନ ସହ ଖେଳିବ।

ଶୁକ୍ରବାର ପ୍ରଥମ ଦିବସରେ ଗତଥରର ବିଜେତା ଭାରତ ୧୧-୦ ଗୋଲ୍‌ରେ ଆୟୋଜକ ଓମାନକୁ ହରାଇ ସମ୍ପୂର୍ଣ୍ଣ ପଏଣ୍ଟ ପକେଟସ୍ଥ କରିଥିଲା। ଭାରତ ପକ୍ଷରୁ ଦିଲପ୍ରୀତ୍ ସିଂହ ହ୍ୟାଟ୍ରିକ୍ ଅର୍ଜନ କରିଥିବା ବେଳେ ଅନ୍ୟ ଗୋଲଗୁଡ଼ିକ ଜଣେ ଲେଖାଏଁ ଦେଇଥିଲେ। ମ୍ୟାଚ୍ ଆରମ୍ଭରୁ ଭାରତୀୟ ଅଗ୍ରଭାଗ ‌େଖଳାଳିମାନେ ପ୍ରଧାନ୍ୟ ବିସ୍ତାର କରିଥ‌ିଲେ। ଭାରତ ପାଇଁ ଯୁବ ଷ୍ଟ୍ରାଇକର ଦିଲପ୍ରୀତ୍ ସିଂହ ୪୧, ୫୫, ୫୭ତମ ମିନିଟରେ ୩ ଗୋଲ୍ ଦେଇ ହ୍ୟାଟ୍ରିକ ଅର୍ଜନ କରିଥ‌ିଲେ। ପ୍ରଥମାର୍ଧ ସୁଦ୍ଧା ୪-୦ରେ ଆଗୁଆ ଥିବା ଭାରତ ପାଇଁ ଅନ୍ୟ ଗୋଲଗୁଡ଼ିକ ଲଳିତ ଉପାଧ୍ୟାୟ (୧୭), ହରମନପ୍ରୀତ୍ ସିଂହ (୨୨), ନିଳକଣ୍ଠ ଶର୍ମା (୨୩), ମନଦୀପ ସିଂହ (୩୦), ଗୁରଜାନ୍ତ ସିଂହ (୩୭(), ଆକାଶଦୀପ ସିଂହ (୪୮), ବରୁଣ କୁମାର (୪୯ ମିନିଟ ଏବଂ ଚିଙ୍ଗଲସାନା ସିଂହ କଙ୍ଗୁଜମ (୫୩) ପ୍ରତ୍ୟେକ ଗୋଟିଏ ଲେଖାଏଁ ଦେଇଥିଲେ। ଓମାନ ଖେଳାଳି ଭଲ ଆରମ୍ଭ କରିଥିଲେ ମଧ୍ୟ ବିଶେଷ ସଫଳ ହୋଇନଥିଲା। ପ୍ରଥମ କ୍ବାର୍ଟରକୁ ଗୋଲ୍‌ଶୂନ୍ୟ ରଖିବା ପରେ ଭାରତୀୟ ଦଳ ଦ୍ବିତୀୟ କ୍ବାର୍ଟରରୁ ଅଧିକ ଆକ୍ରମଣାତ୍ମକ ଖେଳିଥିଲା। ଶେଷ ୧୦ ମିନିଟ ଭିତରେ ବି ଭାରତ ୩ ଗୋଲ୍ ଦେଇ ମ୍ୟାଚକୁ ଏକତରଫା କରି ଦେଇଥିଲା। ୨ ଥର ବିଜେତା ପାକିସ୍ତାନ ନିଜର ପ୍ରଥମ ମ୍ୟାଚ୍‌ରେ ୩-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ହରାଇଦେଇଥିଲା। ପ୍ରଥମ ଦିନର ଅନ୍ୟ ଏକ ମ୍ୟାଚ୍‌ରେ ଜାପାନକୁ ୩-୦ରେ ହରାଇ ମାଲେସିଆ ଗତ ଏସୀୟ କ୍ରୀଡ଼ା ଫାଇନାଲ ପରାଜୟର ପ୍ରତିଶୋଧ ନେଇଥିଲା। ଜାପାନ କିନ୍ତୁ ଶନିବାର ୨-୦ରେ ଦକ୍ଷିଣ କୋରିଆକୁ ହରାଇ ବିଜୟଧାରାକୁ ଫେରିଛି।

ଶ୍ରୀଜେଶଙ୍କ ଦ୍ବିଶତକ
ପାକିସ୍ତାନ ବିପକ୍ଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ରେ ଭାରତୀୟ ଗୋଲ୍‌ ରକ୍ଷକ ପିଆର ଶ୍ରୀଜେଶ୍ ନିଜ ୨୦୦ତମ ମ୍ୟାଚ୍ ଖେଳିଥିଲେ। ବିଶ୍ବ ହକିର ଅନ୍ୟତମ ଶ୍ରେଷ୍ଠ ଗୋଲ୍‌ରକ୍ଷକ ଭାବେ ପରିଚିତ ‌କେରଳର ଏହି ୩୨ ବର୍ଷୀୟ ତାରକା ୨୦୦୬ରେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ୨୦୧୩ ଏସିଆ କପ୍‌ ସହ ଏକାଧିକ ମହାଦେଶୀୟ ପ୍ରତିଯୋଗିତାରେ ଶ୍ରୀଜେଶ ଶ୍ରେଷ୍ଠ ଗୋଲ୍ ରକ୍ଷକ ପୁରସ୍କାର ହାସଲ କରି ସାରିଛନ୍ତି। ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ୨୦୧୬ରେ ତାଙ୍କ ସାହସିକ ଗୋଲ୍‌ରକ୍ଷଣ କଳା ଏବଂ ବଳିଷ୍ଠ ନେତୃତ୍ବ ପାଇଁ ଭାରତ ଲଣ୍ଡନ ଚାମ୍ପିଅନ୍ସ ଟ୍ରଫି ହକିରେ ରୌପ୍ୟ ପଦକ ହାସଲ କରିଥିଲା। ୨୦୦ ମ୍ୟାଚ୍ ମାଇଲଖୁଣ୍ଟ ଲାଗି ହକି ଇଣ୍ଡିଆ ମହାସଚିବ ରାଜିନ୍ଦର ସିଂହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର