ହକି ଦଳର ବେଲ୍‌ଜିୟମ ଗସ୍ତ : ପୁଣି ସ୍ପେନ୍‌କୁ ହରାଇଲା ଭାରତ

ନୁଆଦିଲ୍ଲୀ : ବେଲ୍‌ଜିୟମ ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଦଳ ରବିବାର କ୍ରମାଗତ ତୃତୀୟ ବିଜୟ ପାଇଛି। ପ୍ରଥମ ମ୍ୟାଚ୍‌ରେ ଘରୋଇ ବେଲ୍‌ଜିୟମକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ଶୁକ୍ରବାର ସ୍ପେନ୍‌ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ୬-୧ ଗୋଲ୍‌ରେ ଜିତିଥିଲା। ରବିବାର ଅଷ୍ଟମ ମାନ୍ୟତାପ୍ରାପ୍ତ‌ ସ୍ପେନ୍‌କୁ ପୁଣି ଥରେ ମାତ୍‌ ଦେଇଛି ପଞ୍ଚମ ମାନ୍ୟତାପ୍ରାପ୍ତ ଭାରତ। ହରମନପ୍ରୀତ ସିଂହ (୪୧, ୫୧ ମିନିଟ୍‌)ଙ୍କ ଯୁଗଳ ଗୋଲ୍‌ ବଳରେ ଭାରତ ୫-୧ରେ ସ୍ପେନ୍‌କୁ ହରାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆକାଶଦୀପ ସିଂହ (୫ ମିନିଟ୍‌), ଏସ୍‌ଭି ସୁନିଲ (୨୦ ମିନିଟ୍‌) ଓ ରମନଦୀପ ସିଂହ (୩୫ ମିନିଟ୍‌) ଭାରତ ପାଇଁ ଗୋଟିଏ ‌ଲେଖାଏଁ ଗୋଲ୍‌ କରିଥିଲେ।

ରବିବାର ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ଗ୍ଲେସିଆସ୍‌ ଆଲଭାରୋଙ୍କ ଗୋଲ୍‌ରେ ସ୍ପେନ୍‌ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ଏହି ଖୁସି ‌ସ୍ପେନ୍‌ର ବେଶି ସମୟ ରହିନଥିଲା। ଏହାର ଦୁଇ ମିନିଟ୍‌ ପରେ ଆକାଶଦୀପ ଫିଲ୍ଡ ଗୋଲ୍‌ ଜରିଆରେ ଏହାକୁ ଶୁଝି ସ୍ଥିତି ସମାନ ସ୍ତରକୁ ଆଣିଥିଲେ। ଏହାପରେ ଭାରତ ଆଉ ‌ସ୍ପେନ୍‌କୁ ସୁଯୋଗ ନ ଦେବା ସହ ପ୍ରଥମାର୍ଧରେ ୪-୧ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଧରେ ହରମନପ୍ରୀତଙ୍କ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ ବଳରେ ଭାରତ ୫-୧ ବ୍ୟବଧାନରେ ବିଜୟୀ ହୋଇଥିଲା। ଭାରତ ମଙ୍ଗଳବାର ଏହି ଗସ୍ତର ଚତୁର୍ଥ ମ୍ୟାଚ୍‌ ବିଶ୍ବ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ଥିବା ବେଲ୍‌ଜିୟମ ସହ ଖେଳିବ।

ସମ୍ବନ୍ଧିତ ଖବର