ପୁଣି ବିଶ୍ବକପ୍‌ ଦୌଡ଼ରେ ଭାରତ

ଲୌସାନ୍ (ସ୍ବିଜରଲାଣ୍ଡ୍‌)/ଭୁବନେଶ୍ବର: ଭୁବନେଶ୍ବରରେ ହକି ବିଶ୍ବକପ୍‌ ସମ୍ପନ୍ନ ହେବାର ଦୁଇ ମାସ ବିତି ନାହିଁ, ଭାରତ ପରବର୍ତୀ ସଂସ୍କରଣ ବିଶ୍ବକପ୍ ପାଇଁ ଦାବିଦାର ହୋଇଛି। ୨୦୨୨ ପୁରୁଷ ବିଶ୍ବକପ୍ କିମ୍ବା ୨୦୨୩ ମହିଳା ହକି ବିଶ୍ବକପ୍‌ ପାଇଁ ଆଗ୍ରହ ପ୍ରକାଶ କରିଥିବା ଦେଶ ମଧ୍ୟରେ ଭାରତର ନାମ ରହିଛି। ଭାରତ ସହିତ ଅଷ୍ଟ୍ରେଲିଆ, ଜର୍ମାନି, ମାଲେସିଆ, ନ୍ୟୁଜିଲାଣ୍ଡ୍‌ ଏବଂ ସ୍ପେନ୍‌ ମଧ୍ୟ ଏଫଆଇଏଚ୍‌ର ଏହି ପ୍ରମୁଖ ପ୍ରତିଯୋଗିତା ଆୟୋଜନ ଦୌଡ଼ରେ ସାମିଲ ହୋଇଛନ୍ତି। ଆୟୋଜନ ପାଇଁ ଆଗ୍ରହୀ ଦେଶଗୁଡ଼ିକ ୨୦୧୯ ମସିହା ଜାନୁଆରି ୩୧ ତାରିଖ ମଧ୍ୟରେ ସେମାନଙ୍କ ସଙ୍କେତ ଦେବାକୁ କୁହାଯାଇଥିଲା। ୨୦୨୨ ମସିହା ଜୁଲାଇ ୧ରୁ ୧୭ ତାରିଖ ମଧ୍ୟରେ ଆୟୋଜନ ଲାଗି ଜର୍ମାନି, ମାଲେସିଆ ଓ ସ୍ପେନ୍‌ ଆଗ୍ରହ ଦେଖାଇଛନ୍ତି। ଜର୍ମାନି ଉଭୟ ପୁରୁଷ ଓ ମହିଳା ବିଶ୍ବକପ୍ ପାଇଁ ଦାବି କରିଥିବା ବେଳେ ମାଲେସିଆ ଓ ସ୍ପେନ୍‌ କେବଳ ପୁରୁଷ ହକି ବିଶ୍ବକପ୍‌ ଦାବି ଉପସ୍ଥାପନ କରିଛନ୍ତି। ସେହିଭଳି ୨୦୨୩ ଜାନୁଆରି ୧୩ରୁ ୨୯ ତାରିଖ ମଧ୍ୟରେ ଆୟୋଜନ କରିବାକୁ ପସନ୍ଦ କରିଛନ୍ତି ଅଷ୍ଟ୍ରେଲିଆ, ଭାରତ ଏବଂ ନ୍ୟୁଜିଲାଣ୍ଡ୍‌। ଭାରତ ଉଭୟ ପୁରୁଷ ଓ ମହିଳା ବିଶ୍ବକପ୍‌ ଆୟୋଜନ ଦାବି କରିଥିବା ବେଳେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ କେବଳ ପୁରୁଷ ବିଶ୍ବକପ୍ ଦାବିଦାର ହୋଇଛନ୍ତି।
ଏଫ୍‌ଆଇଏଚ୍‌ ଏବେ ସବୁ ଦାବିଦାରମାନଙ୍କର ମୂଲ୍ୟାୟନ କରିବ ଏବଂ ଚଳିତ ବର୍ଷ ଜୁନ୍‌ ମାସରେ ଭୁବନେଶ୍ବରରେ ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲ୍ସ ଅବସରରେ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନେବ। ଏଫ୍‌ଆଇଏଚ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଏରି ୱିଲ୍‌ କହିଛନ୍ତି, ‘ଏତେ ସବୁ ଦୃଢ଼ ଦାବି ଉପସ୍ଥାପିତ ହେବା ଖୁସିର କଥା। ଏଥିରୁ ପ୍ରମାଣିତ‌ ହେଉଛି ଆମ ପ୍ରତିଯୋଗିତା ଗୁଡ଼ିକ କେତେ ଚିତ୍ତାକର୍ଷକ। ଉଭୟ ପୁରୁଷ ଓ ମହିଳା ବିଶ୍ବକପ୍‌କୁ ଆମେ ଆଗ୍ରହର ସହ ଅପେକ୍ଷା କରିଛୁ।’ ଭାରତକୁ ୨୦୨୩ ବିଶ୍ବକପ୍‌ ଆୟୋଜନ ଅଧିକାର ମିଳିଲେ ଏହା ଚତୁର୍ଥ ଅବସର ହେବ। ପୂର୍ବରୁ ୧୯୮୨ରେ ବମ୍ବେ, ୨୦୧୦ରେ ନୂଆଦିଲ୍ଲୀ ଏବଂ ୨୦୧୮ରେ ଭୁବନେଶ୍ବର ଏହାକୁ ଆୟୋଜନ କରି ସାରିଛି। ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଚତୁର୍ଦଶ ପୁରୁଷ ହକି ବିଶ୍ବକପ୍‌ ସଫଳତାର ସହ ଆୟୋଜିତ ହୋଇଥିଲା। ଆୟୋଜନର ସ୍ତର ଏତେ ଉଚ୍ଚ ଥିଲା ଯେ ଧାର୍ଯ୍ୟ ନୂଆ ମାନଦଣ୍ଡକୁ ପରବର୍ତୀ ସଂସ୍କରଣ ଆୟାଜକମାନେ ଛୁଇଁପାରିବା ସ୍ଥିତିରେ ନ ଥିବା ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ଓଡ଼ିଶା ସରକାରଙ୍କୁ ସବୁ ଶ୍ରେୟ ମିଳିଥିଲା।

ସମ୍ବନ୍ଧିତ ଖବର