ୱେଲିଂଟନ୍: ଶେଷ ୬ ବଲ୍ରୁ ୭ ରନ୍ ଆବଶ୍ୟକ ଥିଲା, ନ୍ୟୁଜିଲାଣ୍ଡ୍ ହାତରେ ଥିଲା ୭ ୱିକେଟ୍। କ୍ରିଜ୍ରେ ଥିଲେ ଅଭିଜ୍ଞ ରସ୍ ଟେଲର୍ ଯିଏକି ଦଳର ଅନ୍ୟ ସମସ୍ତଙ୍କ ମିଳିତ ଟି-୨୦ ମ୍ୟାଚ୍ଠାରୁ ଅଧିକ ଖେଳିଛନ୍ତି। ଏଭଳି ସ୍ଥିତିରୁ ନ୍ୟୁଜିଲାଣ୍ଡ୍ ବଦଳରେ ଭାରତ ମ୍ୟାଚ୍ ଜିତିବା ନିଶ୍ଚିତ ନାଟକୀୟ, ଉତ୍କଣ୍ଠାପୂର୍ଣ୍ଣ, ରୋମାଞ୍ଚଭରା, ଲୋମଟାଙ୍କୁରା ଆଦି ମୁହୂର୍ତର ସମାହାର ଆଣିଥିଲା। ଶେଷ ଓଭର ବୋଲିଂ କରିବା ପୂର୍ବରୁ ଶାର୍ଦୁଲ ଠାକୁରଙ୍କ ପାଇଁ ଦିନଟି ମିଶ୍ରିତ ପ୍ରଦର୍ଶନରେ ସୀମିତ ଥିଲା। ଏକ ଚମତ୍କାର ତଥା ଖେଳ ଜୀବନର ସବୁଠୁ ସ୍ମରଣୀୟ ଓଭର ବୋଲିଂ କରି ଠାକୁର ରାତାରାତି ନାୟକ ପାଲଟିଗଲେ। ୬ ବଲ୍ ଭିତରେ ୪ ୱିକେଟ୍ର ପତନ ଓ ମାତ୍ର ୬ ରନ୍ ବ୍ୟୟ କରିବା ହିଁ ଗୋଟିଏ ଦିନ ବ୍ୟବଧାନରେ ମ୍ୟାଚ୍କୁ ଲଗାତାର ଭାବେ ସୁପର୍ ଓଭରକୁ ଟାଣି ନେଇଥିଲା। ବୁଧବାର ଭଳି ଭାରତ ବି ଶୁକ୍ରବାର ବାଜି ମାରିନେଇଥିଲା। ୫ ମ୍ୟାଚ୍ ଶୃଙ୍ଖଳାରେ ବି ୪-୦ ଅଗ୍ରଣୀ ନେଇଯାଇଛି କୋହଲି ସେନା।
ସୁପର ଓଭର ସହଜ
ମ୍ୟାଚ୍ ସମୟରେ ଅନେକ ଉତ୍ଥାନ ଓ ପତନ ଦେଇ ଗତି କରିଥିଲା ଉଭୟ ଦଳର ପାଳି। କିନ୍ତୁ ସୁପର୍ ଓଭର୍ ଅପେକ୍ଷାକୃତ ଥିଲା ସହଜ। ତଥାପି କିଛି କମ୍ ରୋମାଞ୍ଚଭରା ନ ଥିଲା। ବୁମରାଙ୍କ ସୁପର୍ ଓଭରରେ ଦୁଇ ଥର କ୍ୟାଚ୍ ହାତଛଡ଼ା କରିଥିଲେ ଶ୍ରେୟସ ଆୟର ଏବଂ କେଏଲ୍ ରାହୁଲ। ଟିମ୍ ସିଫର୍ଟ ଏବଂ କଲିନ୍ ମୁନ୍ରୋ ଖେଳିଥିବା ଏହି ଓଭରରୁ ନ୍ୟୁଜିଲାଣ୍ଡ୍ ମୋଟ ୧୩ ରନ୍ (୨, ୪, ୨, ୱିକେଟ୍, ୪, ୧) ସଂଗ୍ରହ କରିଥିଲା। ନ୍ୟୁଜିଲାଣ୍ଡ୍ ପାଇଁ ପୁଣି ଟିମ୍ ସାଉଦି ସୁପର ଓଭରରେ ବୋଲିଂ କରିଥିଲେ ମଧ୍ୟ କେଏଲ୍ ରାହୁଲ୍ ପ୍ରଥମ ଦୁଇ ବଲ୍କୁ ସୀମା ବାହାରକୁ ପଠାଇ ୧୦ ରନ୍ (୬, ୪) ଆଦାୟ କରିବା ପରେ ତୃତୀୟ ବଲ୍ରେ ଆଉଟ୍ ହୋଇଯାଇଥିଲେ। ବିରାଟ କୋହଲି (୨, ୪) ଗୋଟିଏ ବଲ୍ ପୂର୍ବରୁ ମ୍ୟାଚ୍ ଶେଷ କରି ପୁଣି କିୱି ପର କାଟି ନେଇଥିଲେ। ଅଲ୍ରାଉଣ୍ଡ୍ ଦକ୍ଷତା ପାଇଁ ଶାର୍ଦୁଲ ଠାକୁର (୧୫ ବଲ୍ରୁ ୨୦ ରନ୍ ଏବଂ ୪-୦-୩୩-୨) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।ଟେନ୍ସନ୍ରୁ ଟାଇ
ସମ୍ପୂର୍ଣ୍ଣ ମ୍ୟାଚ୍ର ୩୮ ଓଭର ପ୍ରାୟ ନ୍ୟୁଜିଲାଣ୍ଡ୍ ହାତରେ ଥିଲା। ଭାରତକୁ ୮୮/୬ରେ ସଂଘର୍ଷ କରାଇଥିଲା। କୋହଲିଙ୍କ ଦଳକୁ ୧୬୫/୫ରେ ସୀମିତ ରଖିବା ପରେ ମ୍ୟାଚ୍ ଅବଶ୍ୟ ବରାବର ସ୍ଥିତିକୁ ଆସିଥିଲା। ଘରୋଇ ଦଳର ପଶ୍ଚାତଧାବନ ବେଳେ ଶେଷ ଦୁଇ ଓଭରରେ ଭାରତ ହିଁ ମ୍ୟାଚ୍କୁ ଅପ୍ରତ୍ୟାଶିତ ଭାବେ ଟାଇ କରି ନେଇଥିଲା। ଶେଷ ୧୨ ବଲ୍ରୁ ୧୧ ରନ୍ ଆବଶ୍ୟକ କରୁଥିଲା ଘରୋଇ ଦଳ। ୧୯ତମ ଓଭର ବୋଲିଂ କରିଥିବା ନଭଦୀପ ସୈନିଙ୍କ ମାତ୍ର ୪ ରନ୍ (୦, ୨, ୦, ୦, ୧, ୧) ହିଁ କ୍ଷେତ୍ର ପ୍ରସ୍ତୁତ କରିଥିଲା। ଶେଷ ଓଭରରୁ ୭ ରନ୍ ଆବଶ୍ୟକ ପଡ଼ିଥିବା ବେଳେ ହାତରେ ୭ ୱିକେଟ୍ ରଖିଥିବା ନ୍ୟୁଜିଲାଣ୍ଡ୍ ଲକ୍ଷ୍ୟରେ ପହଞ୍ଚିନପାରିବା ଦଳର କଳ୍ପନା ବାହାରେ ଥିଲା। ସବୁଠୁ ଅଧିକ ଘଟଣାବହୁଳ ଥିଲା ବିଂଶତମ ଓଭର। ଏଥିରେ ୪ ୱିକେଟ୍ର ପତନ ଏବଂ ୬ ରନ୍ ସଂଗ୍ରହ ହିଁ ମ୍ୟାଚ୍କୁ ଟାଇ କରିଥିଲା। ଶାର୍ଦୁଲ ପ୍ରଥମ ବଲ୍ରେ ରସ୍ ଟେଲର୍ଙ୍କୁ ଆୟରଙ୍କ ହାତରେ କ୍ୟାଚ୍ କରାଇବା ଏବଂ ତୃତୀୟ ବଲ୍ରେ ଟିମ୍ ସିଫର୍ଟ ରାହୁଲଙ୍କ ଥ୍ରୋରେ ରନ୍ ଆଉଟ୍ ହେବା ଉଭୟ ଦଳ ପାଇଁ ଲୋମଟାଙ୍କୁରା ମୁହୂର୍ତ ଆଣିଥିଲା। ଦ୍ବିତୀୟ ବଲ୍କୁ ମିଚେଲ୍ ସାଣ୍ଟନର୍ ଚୌକା ମାରିଥିଲେ। ଶାର୍ଦୁଲଙ୍କ ଶେଷ ୩ ବଲ୍ (୧, ୱିକେଟ୍, ୧ ରନ୍ ଓ ୱିକେଟ୍) ନ୍ୟୁଜିଲାଣ୍ଡ୍କୁ ବୋକା ମନାଇ ଦେଇଥିଲା। ଉଭୟ ଦଳର ସ୍କୋର୍ (ଭାରତ-୧୬୫/୮, ନ୍ୟୁଜିଲାଣ୍ଡ୍-୧୬୫/୭)ରେ ଶେଷ ହୋଇଥିଲା।ପାଣ୍ଡେ ବଞ୍ଚାଇଥିଲେ
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ପାଇଁ ପରୀକ୍ଷାନିରୀକ୍ଷାର ପ୍ରଥମ ଫର୍ଦ ନିଷ୍ଫଳ ଯାଇଥିଲା। ରୋହିତ ଶର୍ମାଙ୍କ ବଦଳରେ ଆସିଥିବା ସଂଜୁ ସାମସନ୍ ଅଧିକ ସମୟ ତିଷ୍ଠି ନ ଥିଲେ। ରବୀନ୍ଦ୍ର ଜାଦେଜାଙ୍କ ସ୍ଥାନ ନେଇଥିବା ୱାସିଂଟନ୍ ସୁନ୍ଦର ଖାତା ଖୋଲି ପାରିନଥିଲେ। ମହମ୍ମଦ ସାମିଙ୍କ ବିକଳ୍ପରେ ଖେଳିଥିବା ନଭଦୀପ ସୈନି ଅବଶ୍ୟ ନିରାଶ କରିନଥିଲେ। ବିରାଟ କୋହଲି, ଶ୍ରେୟସ ଆୟର, ଶିଭମ ଦୁବେ ମଧ୍ୟ ନିରାଶ କରିଥିଲେ। ଦ୍ବାଦଶ ଓଭର ବେଳକୁ ୮୮/୬ ସ୍ଥିତିରେ ଥିବା ଭାରତକୁ କିନ୍ତୁ ମନୀଷ ପାଣ୍ଡେ (୫୦*, ୩୬ ବଲ୍, ୩ ଚୌକା) ବଞ୍ଚାଇଥିଲେ। ନିମ୍ନକ୍ରମରେ ଶାର୍ଦୁଲ ଠାକୁର (୨୦, ୧୫ ବଲ୍) ଏବଂ ନଭଦୀପ ସୈନି (୧୧*, ୯ ବଲ୍)ଙ୍କୁ ସାଥୀ କରି ଦୁଇଟି ଉପଯୋଗୀ ଭାଗୀଦାରି ଗଢ଼ିଥିଲେ। ଫଳରେ ଭାରତ ୧୬୫ ରନ୍ର ଲଢ଼ୁଆ ସ୍କୋର୍ କରିପାରିଥିଲା। ଈଶ ସୋଢ଼ୀ (୩/୨୬) ନ୍ୟୁଜିଲାଣ୍ଡ୍ର ସଫଳ ବୋଲର ଥିଲେ। ଜବାବରେ କଲିନ୍ ମୁନରୋ (୬୪, ୪୭ ବଲ୍), ଟିମ୍ ସିଫର୍ଟ (୫୭, ୩୯ ବଲ୍)ଙ୍କ ଲଢ଼ୁଆ ଅର୍ଧଶତକ କିନ୍ତୁ ଶେଷ ୨ ଓଭରରେ ସୈନି ଓ ଶାର୍ଦୁଲଙ୍କ ଶାଣିତ ବୋଲିଂ ଆଗରେ ଫିକା ପଡ଼ିଯାଇଥିଲା।ନୂଆ କ୍ରିକେଟ୍ ପରାମର୍ଶଦାତା ସମିତି ଗଠିତ
ମଦନ ଲାଲ, ଆର୍ପି ସିଂହ, ସୁଲକ୍ଷଣା ସଦସ୍ୟ
ନୂଆଦିଲ୍ଲୀ, ୩୧|୧: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଶୁକ୍ରବାର ନୂଆ କ୍ରିକେଟ୍ ପରାମର୍ଶଦାତା ସମିତି (ସିଏସି) ଗଠନ କରିଛି। ଏଥିରେ ପୂର୍ବତନ କ୍ରିକେଟର୍ ମଦନ ଲାଲ, ରୁଦ୍ର ପ୍ରତାପ ସିଂହ ଓ ସୁଲକ୍ଷଣା ନାଏକଙ୍କୁ ନିଯୁକ୍ତି ମିଳିଛି। ଏହି ସିଏସି ସମିତିର ଏବର ପ୍ରଥମ କାମ ହେଉଛି ବିଦାୟ ନେଇଥିବା ଦୁଇ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦ ଓ ଗଗନ ଖୋଡ଼ାଙ୍କ ବିକଳ୍ପ ତୁରନ୍ତ ଖୋଜିବା। ଏମାନଙ୍କ ନିଯୁକ୍ତି ଗୋଟିଏ ବର୍ଷ ପାଇଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି। କପିଳ ଦେବ, ଅଂଶୁମାନ ଗାଏକ୍ବାଡ ଓ ଶାନ୍ତା ରଙ୍ଗାସ୍ବାମୀଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ମାମଲା ଆସିବାରୁ ଏମାନେ ସିଏସିରୁ ଓହରି ଯାଇଥିଲେ। ଏହାପରଠୁ ଆଉ ସିଏସି ନିଯୁକ୍ତି ହୋଇନଥିଲା।
କିଏ କ’ଣ କହିଲେ
। ବିଗତ ୨ ମ୍ୟାଚ୍ରୁ ମୁଁ କିଛି ନୂଆ ଶିଖିଲି ‘ପ୍ରତିପକ୍ଷ ଭଲ ଖେଳୁଥିବା ବେଳେ ଶାନ୍ତ ହୋଇ ଶେଷ ପର୍ଯ୍ୟନ୍ତ ସୁଯୋଗକୁ ଅପେକ୍ଷା କର ଏବଂ ପ୍ରତ୍ୟାବର୍ତନ ପ୍ରୟାସ ବି ରହୁ। ପୂର୍ବରୁ ଅମେ ସୁପର୍ ଓଭର ଖେଳିନଥିଲୁ, ଏବେ ୨ଟିର ଅଭିଜ୍ଞତା ମଳିଯାଇଛି। -ବିରାଟ କୋହଲି
। କଷ୍ଟକର ମୁହୂର୍ତ ଥିଲା, ଆମେ ନିଜକୁ ଏଭଳି ପରିସ୍ଥିତିକୁ ଆଣିଥିଲୁ। ଭାରତ ଭଳି କ୍ବାଲିଟି ଦଳ ଥିଲା, ଆମେ କିନ୍ତୁ ସୁଯୋଗକୁ ସମର୍ପି ଦେଇଥିଲୁ, ସେମାନେ ଏହାକୁ ଦୁଇ ହାତରେ ମାଡ଼ି ବସିଥିଲେ। -ଟିମ୍ ସାଉଦି
। ନଖ କାମୁଡ଼ା ମ୍ୟାଚ୍ ଖେଳିଥିବାରୁ ଭଲ ଲାଗୁଛି। ଏଭଳି ଦୁଇ ମ୍ୟାଚ୍ଠାରୁ ଅଧିକ ଆଶା କରାଯାଇ ନପାରେ। ଶେଷ ମ୍ୟାଚ୍ ପରେ ଶିଖିଥିଲୁ କୌଣସି ମୁହୂର୍ତରେ ଆଶା ଛାଡ଼ିବା କଥା ନୁହେଁ। -ଶାର୍ଦୁଲ ଠାକୁର
। ଆମେ ନ୍ୟୁଜିଲାଣ୍ଡ୍କୁ ୦-୫ର ଶୃଙ୍ଖଳା ପରାଜୟ ଦେବାକୁ ପ୍ରୟାସ କରିବୁ। ଏବେ ଆମେ ୪-୦ରେ ଆଗୁଆ ରହିଛୁ ଏବଂ ମାଉଣ୍ଟ ମଙ୍ଗାନୁଇରେ ରବିବାର ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ମ୍ୟାଚ୍ ଉପରେ ନଜର ରଖିଛୁ -ମନୀଷ ପାଣ୍ଡେ